ବାଲେଶ୍ୱର : ଯୁବକଙ୍କୁ ଅପହରଣ ପରେ ୪୦ ଲକ୍ଷ ଟଙ୍କା ମୁଣ୍ଡଜାମିନ୍ ରଖିଥିବା ଅଭିଯୁକ୍ତକୁ ଗିରଫ କରିଛି ବାଲେଶ୍ବର ଜିଲ୍ଲା ତାଳସାରି ଥାନା ପୁଲିସ। ଝାରସୁଗୁଡ଼ାର ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟା ଘଟଣାକୁ ଦୃଷ୍ଟିରେ ରଖି ବାଲେଶ୍ବର ପୁଲିସ ଏହି ମାମଲାକୁ ଅତି ଗମ୍ଭୀରତା ସହ ନେଇଥିଲା। ନିଜେ ଏସ୍ପି ସାଗରିକା ନାଥ ପୂରା ଅପରେସନ୍କୁ ଟ୍ରାକିଂ କରିଥିଲେ। ଯାହାଫଳରେ ୪୮ ଘଣ୍ଟା ମଧ୍ୟରେ ଅପହର୍ତ୍ତାକୁ ଧରାଯିବା ସହ ଅପହୃତ ଯୁବକଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇପାରିଛି।
ଅପହର୍ତ୍ତା ଜଣକ ହେଲେ, ବାଲେଶ୍ବର ଟାଉନ୍ ଥାନା ଅଞ୍ଚଳର ସୁମନ ଦେ। ତାଙ୍କ ବିରୋଧରେ ଆଇପିସି ୩୬୪ (କ) ଓ ୩୬୫ ଧାରାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି। ସୂଚନା ଅନୁସାରେ, ବସ୍ତା ଥାନା ଅଞ୍ଚଳର ଶିବାନନ୍ଦ ପାତ୍ର ନାମକ ଜଣେ ଯୁବକ ନିଜ ପରିବାର ସହ ବାଲେଶ୍ବର ସହର ସହଦେବଖୁଣ୍ଟା ଥାନା ଅଞ୍ଚଳରେ ରହୁଛନ୍ତି। ଦୁଇଦିନ ତଳେ ଶିବାନନ୍ଦ କୌଣସି କାମରେ ଚନ୍ଦନେଶ୍ବର ଯାଇଥିବା ବେଳେ ସେଠାରେ ଅଭିଯୁକ୍ତ ସୁମନ ନିଜ କାର୍ରେ ତାଙ୍କୁ ମୟୂରଭଞ୍ଜ ଜିଲ୍ଲାର ଏକ ନିଛାଟିଆ ସ୍ଥାନକୁ ଅପହରଣ କରି ନେଇଥିଲେ। ଏହାପରେ ଶିବାନନ୍ଦଙ୍କ ପତ୍ନୀଙ୍କୁ ଫୋନ୍ କରି ସ୍ବାମୀଙ୍କୁ ଜୀବିତ ଅବସ୍ଥାରେ ଫେରି ପାଇବାକୁ ହେଲେ ୪୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି ଧମକାଇଥିଲେ । ଏ କଥା ଜାଣିବା ପରେ ବିବ୍ରତ ହୋଇପଡ଼ିଥିଲେ ଶିବାନନ୍ଦଙ୍କ ପତ୍ନୀ ନୀରବାଳା। ସେ ନଗଦ ୫ ଲକ୍ଷ ଟଙ୍କା ଓ ୩ଟି ଚେକ୍ ପ୍ରଦାନ କରିବା ସହ ଘଟଣା ସମ୍ପର୍କରେ ତାଳସାରୀ ଥାନାକୁ ଯାଇ ଅଭିଯୋଗ କରିଥିଲେ।
ଏସ୍ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ପୁଲିସର ଏକ ଟିମ୍ ସୁମନଙ୍କୁ ଗିରଫ କରିବା ସହ ଅପହୃତ ଶିବାନନ୍ଦଙ୍କୁ ଉଦ୍ଧାର କରିଥିଲେ। ସୁମନ ବ୍ୟବହାର କରୁଥିବା ମୋବାଇଲ, କାର୍ ଏବଂ ସେ ନେଇଥିବା ୫ ଲକ୍ଷ ଟଙ୍କା, ଚେକ୍କୁ ପୁଲିସ ଜବତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/kidnapped-fff.jpg)