ରାଉରକେଲା,: ଗୋପବନ୍ଧୁପାଲୀ, ମଧୁସୂଦନପାଲୀ ଓ ଟିମ୍ବରକଲୋନିରେ ମାତିଛନ୍ତି ଦଲାଲ। ସେମାନଙ୍କ ଟାର୍ଗେଟ୍‌ରେ ନିରୀହ ଗରିବ ପରିବାର। ରୋଜଗାର ଲୋଭ ଦେଖାଇ ନାବାଳିକାମାନଙ୍କୁ ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦ ଆଦି ଅଞ୍ଚଳକୁ ଚାଲାଣ କରି ମୋଟା ଅଙ୍କର ରୋଜଗାର କରୁଛନ୍ତି। ଅନେକ ନାବାଳିକାଙ୍କୁ ପରେ ଘରେ ବିକ୍ରି କରି ଦେଉଥିବା ନେଇ ଅନେକ ଅଭିଯୋଗ ମଧ୍ୟ ରହିଛି। ରାଉରକେଲା ପୁଲିସ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ବାହାର ରାଜ୍ୟରେ ବନ୍ଧାପଡିଥିବା ଅନେକ ନାବାଳିକାମାନଙ୍କୁ ଉଦ୍ଧାର କରିଛନ୍ତି। ସ୍ଥାନୀୟ ପୁଲିସ କିଛି ଦଲାଲ ବାନ୍ଧି ଜେଲରେ ପୂରାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ସମାନ ଘଟଣାର ପୁନରାବୃତ୍ତି ହୋଇଛି। ଟିମ୍ବରକଲୋନିରୁ ଜଣେ ନାବାଳିକାଙ୍କୁ ଗତ ୪ ମାସ ତଳେ ଅପହରଣ କରି ନିଆଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

Advertisment

ଗାନ୍ଧିରୋଡ୍‌ର ଜଣେ ଦଲାଲ ଓ ତାଙ୍କ ପତ୍ନୀ ନାବାଳିକାଙ୍କୁ ଦିଲ୍ଲୀରେ ବିକ୍ରି କରି ଦେଇଥିବା ପିତା ରାଜୁ ଓରାମ କହିଛନ୍ତି। ସେ କହିଛନ୍ତି, ଗତ ୨୦୨୨ ସେପ୍ଟେମ୍ବର ମାସରେ ଗାନ୍ଧିରୋଡ୍‌ର ଦଲାଲ ଜଣକ ତାଙ୍କ ଘରକୁ ଆସିଥିଲା। ଝିଅକୁ ରୋଜଗାର ଲୋଭ ଦେଖାଇ ଡାକି ନେଇଥିଲା। ଦିଲ୍ଲୀର ଚାଇଲ୍‌ଡ ଲାଇନ୍‌ ଝିଅକୁ ଉଦ୍ଧାର କରି ଦିଲ୍ଲୀ ପୁଲିସକୁ ଜିମା ଦେଇଥିଲେ। ଦିଲ୍ଲୀ ପୁଲିସ ଏ ସଂକ୍ରାନ୍ତରେ ନାବାଳିକା ତାଙ୍କୁ ଜଣାଇଥିଲେ। ପରିବାର ଲୋକଙ୍କ ସହ ସେ  ଦିଲ୍ଲୀ ଯାଇ ଝିଅକୁ ଘରକୁ ଆଣିଥିଲେ। ପୁଣି ମାସକ ପରେ ଗାନ୍ଧିରୋଡ୍‌ର ଦଲାଲଙ୍କ ପତ୍ନୀ ନାବାଳିକାଙ୍କୁ ରୋଜଗାର ଲୋଭ ଦେଖାଇ ଘରକୁ ଡାକି ନେଇଥିଲେ। ବିଳମ୍ବିତ ରାତିରେ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ବହୁ ଖୋଜାଖୋଜି କରି ନ ପାଇବାରୁ ପ୍ଲାଣ୍ଟସାଇଟ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲୁ। ପୁଲିସ ମାମଲା ରୁଜୁ କରି କାମ ସାରି ଦେଇଛି। ଆଜିକୁ ୪ ମାସ ବିତିଯାଇଥିଲେ ହେଁ ଝିଅର କୌଣସି ପତ୍ତା ମିଳୁନି। ଝିଅକୁ ଫେରାଇ ଆଣିବାରେ ଏସ୍‌ପି ସ୍ଥାନୀୟ ପୁଲିସକୁ ନିର୍ଦ୍ଦେଶ ଦେବାକୁ ସେ ନିବେଦନ କରିଛନ୍ତି।