ବିଗୁଡୁଛି ପଦ୍ମପୁର ସ୍ଥିତି: ବିଜେପି ନେତାଙ୍କୁ ଅପହରଣ! ବିଳମ୍ବିତ ରାତିରେ ଉଦ୍ଧାର

ବରଗଡ଼/ଝାରବନ୍ଧ : ପଦ୍ମପୁର ଉପ ନିର୍ବାଚନକୁ କେନ୍ଦ୍ରକରି ଉତ୍ତପ୍ତ ହେଉଛି ରାଜନୀତି। ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେଡି-ବିଜେପିର ଛକାପଞ୍ଝା କ୍ରମଶଃ ମୁହାମୁହିଁ ସ୍ଥିତି ଆଡ଼କୁ ମୁହାଁଉଛି। ବିଜେଡି ସମର୍ଥକଙ୍କ ବିରୋଧରେ କେନ୍ଦ୍ରର ବିଜେପି ସରକାରଙ୍କ ନିୟନ୍ତ୍ରଣାଧୀନ ଆୟକର ବିଭାଗର ଚଢ଼ଉ ଏବଂ ଅନ୍ୟପଟରେ ରାଜ୍ୟ ସରକାରଙ୍କ ପରିଚାଳନାଧୀନ ବିକ୍ରିକର ବିଭାଗର ବିଜେପି ସମର୍ଥିତ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଉପରେ ପାଲଟା ଚଢ଼ଉକୁ ନେଇ ଆଜି ଦିନତମାମ ପଦ୍ମପୁର ଉପଖଣ୍ଡ ଉଠପଡ଼ ହେଉଥିଲା ବେଳେ ସଂଧ୍ୟାରେ ଝାରବନ୍ଧ ବ୍ଲକ୍‌ ଅନ୍ତର୍ଗତ ଗୋଠୁଗୁଡ଼ା ପଞ୍ଚାୟତର ବିଜେପି ପ୍ରଭାରୀ ଦିଲୀପ ସେନାପତିଙ୍କୁ ଅପହରଣ ଅଭିଯୋଗ ପରିସ୍ଥିତିକୁ ଜଟିଳ କରିଛି। ଦିଲୀପଙ୍କୁ ଲାଞ୍ଜିଗଡ଼ ବିଧ‌ାୟକ ପ୍ରଦୀପ ଦିଶାରୀ ଏବଂ ତାଙ୍କର କିଛି ସହଯୋଗୀ ଅପହରଣ କରିଥିବା ବିଜେପିର ଝାରବନ୍ଧ ମଣ୍ଡଳ ସଭାପତି ମିଲନ ପାଣ୍ଡେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ମିଲନଙ୍କ ଅଭିଯୋଗ ଅନୁସାରେ, ଦିଲୀପ ସୋମବାର ସଂଧ୍ୟା ପ୍ରାୟ ସାଢେ ୭ଟା ସମୟରେ ଦଳୀୟ କାର୍ଯ୍ୟକ୍ରମ ସାରି ଘରକୁ ବାଇକ୍‌ରେ ଫେରୁଥିଲା ବେଳେ ଝାରବନ୍ଧର ସାନଦାଦର ଛକ ପାଖରେ କେତେକ ଦୁର୍ବୃତ୍ତ ହଠାତ୍‌ କଳା ଓ ଧଳା ରଂଗର ଦୁଇଟି ଇନୋଭାରେ ଆସି ତାଙ୍କୁ ଅଟକାଇଥିଲେ। କିଛି କଥାବାର୍ତ୍ତା ପୂର୍ବରୁ ସେମାନେ ବିଭିନ୍ନ ପିସ୍ତଲ ଦେଖାଇ ତାଙ୍କୁ କାର୍‌କୁ ଟେକି ନେଇ ପଳାଇଥିଲେ। ଏଥିରେ ବିଧାୟକ ଶ୍ରୀ ଦିଶାରୀଙ୍କ ସମେତ ତାଙ୍କ ସହଯୋଗୀମାନେ ଥିଲେ ବୋଲି ଥାନାରେ ଦାଖଲ ଲିଖିତ ଅଭିଯୋଗପତ୍ରରେ ଦର୍ଶାଯାଇଛି। ଅପହୃତ ଦିଲୀପଙ୍କ ମୋବାଇଲ୍‌ ସହ ଯୋଗାଯୋଗ କରାଯାଉଥିଲେ ହେଁ ତାହା ସମ୍ଭବ ହେଉନଥିବା ଅଭିଯୋଗକାରୀ ମିଲନ କହିଛନ୍ତି। ତେଣୁ ସେ ଏବେ କେଉଁଠାରେ ଓ କିପରି ଅବସ୍ଥାରେ ଅଛନ୍ତି ତାହା ଚିନ୍ତାର ବିଷୟ ହୋଇପଡ଼ିଛି। ଦିଲୀପଙ୍କ ଉଦ୍ଧାର ପାଇଁ ଯୁଦ୍ଧକାଳୀନଭିତ୍ତିରେ ଆବଶ୍ୟକ ପଦକ୍ଷେପ ନେବା ସହ ଅଭିଯୁକ୍ତ ଅପହର୍ତ୍ତା ବିଧାୟକ ଶ୍ରୀ ଦିଶାରୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ବିଜେପି କର୍ମୀମାନେ ଦାବି କରିଛନ୍ତି।

ଏ ସଂପର୍କରେ ବିଧାୟକ ଶ୍ରୀ ଦିଶାରୀଙ୍କ ପ୍ରତିକ୍ରିୟା ନେବା ଲାଗି ବାରମ୍ବାର ତାଙ୍କ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇନଥିଲେ। ସବିଶେଷ ଖବର ଅନୁସାରେ ଅପହୃତ ଦିଲୀପ ସେନାପତିଙ୍କୁ ଝାରବନ୍ଧ ଥାନା ଅନ୍ତର୍ଗତ ସର୍‌ଲି ଗ୍ରାମରୁ ରାତି ୧୧ଟା ସମୟରେ ଉଦ୍ଧାର କରାଯାଇଥିବା ଜଣାଯାଇଛି। ସେ ସେଠାରେ ଗ୍ରାମବାସୀଙ୍କ ଗହଣରେ ଥିବା ଥାନାଧିକାରୀ ଦିଲୀପ ବେହେରା ସୂଚନା ଦେଇଛନ୍ତି। ତାଙ୍କୁ କେଉଁ ପରିସ୍ଥିତିରେ ଅପହରଣ କରାଗଲା ଏବଂ ପରବର୍ତ୍ତୀ ଘଟଣାବଳୀ କଣ ଥିଲା ସେ ନେଇ ପଚରାଉଚରା ଜାରି ରହିଥିବା ଥାନାଧିକାରୀ ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର