ଦାରିଙ୍ଗବାଡ଼ି : କନ୍ଧମାଳ ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ଯୁବକଙ୍କୁ ଭୁବନେଶ୍ବରରୁ ଅପହରଣ କରାଯାଇଛି। ଅପହରଣକାରୀ ତାଙ୍କ ମୁକ୍ତି ପାଇଁ ୪୦ ହଜାର ଟଙ୍କା ଦାବି କରୁଥିବା ଯୁବକଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଯୁବକ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ କାଜୁରୀପାଦେରି ଗ୍ରାମର ସୁଶାନ୍ତ ପରିଚ୍ଛା। ସୁଶାନ୍ତଙ୍କୁ ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ଅପହରଣ କରା ଯାଇଥିବା ନେଇ ପରିବାର ଲୋକେ ଭରତପୁର ଥାନା ଓ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଭରତପୁର ଥାନାରେ ଏ ନେଇ କେସ୍ ନମ୍ବର ୧୧୪ ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ସୁଶାନ୍ତ ଗତ ଅକ୍ଟୋବର ମାସରୁ ଭୁବନେଶ୍ୱର ଯାଇ କଳ୍ପନା ଛକ ନିକଟ ଶିଶୁପାଳଗଡ଼ ଠାରେ କାମ କରୁଥିଲେ। ଗଲା ଡିସେମ୍ବର ୨୫ ତାରିଖ ବଡ଼ଦିନ ଥିବାରୁ ସେ ୨୧ ତାରିଖରେ ଭୁବନେଶ୍ବରରୁ ବାହାରି ୨୨ ତାରିଖରେ ଘରେ ପହଞ୍ଚିବେ ବୋଲି ପତ୍ନୀ ସିକିନ୍ତା ନାୟକଙ୍କୁ କହିଥିଲେ। ହେଲେ ୨୨ ତାରିଖ ଦିନ ସେ ଆଉ ଘରକୁ ଫେରି ନଥିଲେ। ତାପରଠୁ ତାଙ୍କର ପତ୍ତା ନାହିଁ। ଫୋନ୍ କଲେ ସୁଇଚ୍ ଅଫ୍ ଆସୁଛି। ଇତି ମଧ୍ୟରେ ଅପହରଣକାରୀ ଜଣକ ଜଣେ ମହିଳାଙ୍କ ଜରିଆରେ ଫୋନ୍ କରି ସୁଶାନ୍ତଙ୍କୁ ମୁକ୍ତ କରିବା ପାଇଁ ପତ୍ନୀ ସିକିନ୍ତାଙ୍କୁ ୪୦ ହଜାର ଟଙ୍କା ଦେବାକୁ ଦାବି କରିଥିଲା। ଏହାକୁ ନେଇ ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବହୁ ଖୋଜାଖୋଜି ପରେ ପୁଲିସର ଦ୍ବାରସ୍ଥ ହୋଇଛନ୍ତି।