ଜୟପୁର / ବ୍ରହ୍ମପୁର: ରାୟଗଡ଼ା ସ୍ବାଗତ ହୋଟେଲରୁ ନିଖୋଜ ହୋଇଥିବା ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାଙ୍କ ସନ୍ଧାନ ୬ଘଣ୍ଟା ପରେ ମିଳିଛି। ଅଜ୍ଞାତ ବ୍ୟକ୍ତି ଅପହରଣ କରି ତାଙ୍କୁ ବ୍ରହ୍ମପୁର ହିଲ୍ପାଟଣା ସ୍ଥିତ ବାସଭବନରେ ନେଇ ଛାଡ଼ିଛନ୍ତି। ସେମାନେ କିଏ, କାହିଁକି ଅପହରଣ କଲେ ସ୍ପଷ୍ଟ ହୋଇପାରୁନି। ତେବେ ବେଦାନ୍ତ ବିରୋଧରେ ଉଠିଥିବା ସ୍ବରକୁ ଚାପି ଦେବାକୁ ଅପହରଣ କରାଯାଇଥିଲା। ପୁଲିସ ନା କଂପାନିର ଗୁଣ୍ଡା ଥିଲେ ତାହାର ତଦନ୍ତ ହେଉ ବୋଲି ଶ୍ରୀ ସାମନ୍ତରା ଦାବି କରିଛନ୍ତି।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ରେ ଖଣି ଖନନ ପୂର୍ବରୁ ସ୍ଥାନୀୟ ଲୋକ ସିଧାସଳଖ ବେଦାନ୍ତ ଏବଂ ମୈତ୍ରୀ କଂପାନିକୁ ବିରୋଧ କରିବାରୁ ପୁଲିସ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାସକ ମଧ୍ୟରେ ୨୧ଜଣଙ୍କୁ ମିଥ୍ୟା ମାମଲାରେ ପୁଲିସ ଗିରଫ କରିଥିବାରୁ ଆଜି ରାୟଗଡ଼ାରେ ସାମ୍ବାଦିକ ସମ୍ମିଳନୀ କରିବାକୁ ସୂଚନା ଦେଇଥିଲେ ପ୍ରଫୁଲ୍ଲ ସାମନ୍ତରା। କାଶୀପୁର ବ୍ଲକ୍ରେ ବେଦାନ୍ତର ଅରାଜକତା ଏବଂ ପୁଲିସର ଦମନଲୀଳା ସଂପର୍କରେ ଅବଗତ କରାଇବେ ବୋଲି ଗଣମାଧ୍ୟମକୁ ଜଣାଇଥିଲେ। କିନ୍ତୁ ସାମ୍ବାଦିକ ସମ୍ମିଳନୀର ଦେଢ଼ ଘଣ୍ଟା ପୂର୍ବରୁ ୪ରୁ ୫ଜଣ ଅଜ୍ଞାତ ବ୍ୟକ୍ତି ହୋଟେଲରେ ପଶିଥିଲେ। ରୁମ୍ ନମ୍ବର ୧୦୩ରୁ ପ୍ରଫୁଲ୍ଲଙ୍କୁ ଉଠାଇ ନେଇ ଗାଡ଼ିରେ ବସାଇଥିଲେ। ଏହାପରେ ପ୍ରଫୁଲ୍ଲଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଅଜ୍ଞାତ ବ୍ୟକ୍ତିଙ୍କ ହାବଭାବରୁ ସେମାନେ ପୁଲିସ ବୋଲି ହୋଟେଲ ମାଲିକ ଅନୁମାନ କରିଥିଲେ। ଘଟଣା ସଂକ୍ରାନ୍ତରେ ଥାନାରେ ଏତଲା ଦେବେ ବୋଲି ଜଣାଇଥିଲେ। ଅନ୍ୟପକ୍ଷରେ ରାୟଗଡ଼ା ପୁଲିସ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲା। ତେଣୁ ପ୍ରଫୁଲ୍ଲଙ୍କ ହଠାତ୍ ନିଖୋଜ ହେବା ପଛର ରସହ୍ୟ ସନ୍ଦେହକୁ ବଢ଼ାଇଥିଲା। କିନ୍ତୁ ବ୍ରହ୍ମପୁର ପହଞ୍ଚିବା ପରେ ରହସ୍ୟ ଉପରୁ ପ୍ରଫୁଲ୍ଲ ପରଦା ହଟାଇ ତାଙ୍କୁ ଅପହରଣ କରାଯାଇଥିଲା ବୋଲି କହିଛନ୍ତି।
ପ୍ରଫୁଲ୍ଲଙ୍କ କହିବା ମୁତାବକ, ୧୫ଦିନ ହେବ ଘରୋଇ କମ୍ପାନିକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁଛନ୍ତି, ସେମାନଙ୍କ ବିରୋଧରେ ୟୁଏପିଏ ଲଗାଇ ଗିରଫ କରାଯାଉଛି। ସେମାନଙ୍କୁ ଆଇନଗତ ସାହାଯ୍ୟ ଯୋଗାଇ ଦେବାକୁ ରାୟଗଡ଼ା ଯାଇଥିଲେ। ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ। କିନ୍ତୁ ୩ଟା ୪୦ ମିନିଟ୍ରେ ରୁମ୍ ବାହାର ପଟୁ କେହି ବନ୍ଦ କରିଦେଇଥିଲେ। ଖୋଲିବା ପାଇଁ ଡାକିବାରୁ, ତିନିଜଣ ଲୋକ ସାଦା ପୋଷାକରେ ଭିତରକୁ ପଶି ଆସିଥିଲେ। ତାଙ୍କ ଫୋନ୍ ଛଡ଼ାଇ ଦେବା ସହ ନାଁ ପଚାରିଥିଲେ। ନାଁ କହିବା ମାତ୍ରେ କାନ୍ଧରେ ପକାଇଥିବା ଗାମୁଛାରେ ହାତକୁ ବାନ୍ଧିଦେଲେ। ପ୍ରତିବାଦ କରିବାରୁ ମୁହଁକୁ ବାନ୍ଧି ଗୋଟିଏ ଗାଡ଼ିରେ ବସାଇ ଦେଇଥିଲେ। ପ୍ରାୟ ଦେଢ଼ ଘଣ୍ଟାରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଗାଡ଼ି ଚାଲିଲା ପରେ ବ୍ରହ୍ମପୁରରେ ଛାଡ଼ି ଦେବେ ବୋଲି ଅଜଣା ବ୍ୟକ୍ତି କହିଥିଲେ। ବ୍ୟାଗ୍ କଥା ପଚାରିବାରୁ, ତାହା ଘରେ ପହଞ୍ଚିଯିବ କହି ଅଧାରାସ୍ତାରେ କ୍ଷମା ମାଗିଥିଲେ।
ମୋହନାରେ ଅଜଣା ବ୍ୟକ୍ତିଙ୍କୁ କେହି ଚିହ୍ନି ସ୍ଥାନୀୟ ଆଇଆଇସିଙ୍କୁ ଫୋନ୍ କରିଥିଲେ। ତେଣୁ ଆଇଆଇସି ଗେଟ୍କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଜଣା ବ୍ୟକ୍ତିମାନେ କୌଣସି ବ୍ୟକ୍ତିକୁ ଫୋନ୍ କରି ଆଇଆଇସିଙ୍କୁ କହି ଗେଟ୍ ଖୋଲିବାକୁ ନିବେଦନ କରିବାରୁ ଗେଟ୍ ଖୋଲିଥିଲା। ପ୍ରାୟ ୪ଘଣ୍ଟା ପରେ ମୁହଁ ଖୋଲିଥିଲେ ଏବଂ ଘରେ ପହଞ୍ଚିବା ପରେ ଗାଡ଼ିରୁ ଓହ୍ଲାଇ ଗୋଡ଼ ଧରି ଭୁଲ ମାଗିଥିଲେ। କିଛିଦିନ ତଳେ ଭାଲଚନ୍ଦ୍ର ଷଡ଼ଙ୍ଗୀଙ୍କୁ ମଧ୍ୟ ପୁଲିସ ଥାନାରେ ଅଟକ ରଖିଥିଲା। ରାଜ୍ୟ ସରକାରଙ୍କ ପୁଲିସ, ପ୍ରଶାସନ ଏବେ କର୍ପୋରେଟ ନିୟନ୍ତ୍ରଣରେ ଅଛନ୍ତି। ନବୀନ ପଟ୍ଟନାୟକ ମଧ୍ୟ ୫-ଟି ନାଁରେ ଅଫିସରଙ୍କୁ ରାଜ୍ କରିବା ପାଇଁ ଛାଡ଼ି ଦେଇଛନ୍ତି। ଆଜିର ଘଟଣାରେ ସରକାରଙ୍କ ସମ୍ପୂର୍ଣ୍ଣ ହାତ ରହିଛି ବୋଲି ଗଣମାଧ୍ୟମକୁ ପ୍ରଫୁଲ୍ଲ କହିଛନ୍ତି। ସାମାଜିକ କର୍ମୀ ଭାଲଚନ୍ଦ୍ର ଷଡ଼ଙ୍ଗୀ ସାମାଜିକ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ସିଜିମାଳରେ ଆଦିବାସୀ ଓ ଦଳିତଙ୍କ ଉପରେ ବେଦାନ୍ତ-ମୈତ୍ରୀ କଂପାନି ତଥା ପୁଲିସର ଦମନଲୀଳା ବିରୋଧରେ ଶ୍ରୀ ସାମନ୍ତରା ରାୟଗଡ଼ାରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର ଥିଲା। ରାୟଗଡ଼ା ପୁଲିସ ପ୍ରେସ୍ମିଟ୍ ପୂର୍ବରୁ ତାଙ୍କୁ ବେଆଇନ ଭାବେ ଅପହରଣ କରି ନେଇଥିଲା। ଅନ୍ୟପକ୍ଷରେ ସିପିଆଇ (ଏମ୍-ଏଲ୍) ଲିବ୍ରେସନ୍ ପକ୍ଷରୁ ସଂପାଦକ ତ୍ରିପତି ଗମାଙ୍ଗ କଡ଼ା ନିନ୍ଦା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/5s4fh564sf65ffshfhfh.jpg)