ଯାଜପୁର/ଧର୍ମଶାଳା: ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଅପହୃତ ହୋଇଥିବା ନେଇ ଧର୍ମଶାଳା ଥାନାରେ ଏତଲା ହୋଇଥିବା ବେଳେ ଓ ହାଇକୋର୍ଟରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି। ଅପହୃତ ଛାତ୍ରୀ ଅପହରଣକାରୀଙ୍କ କବଳରୁ ଉଦ୍ଧାର ପାଇଁ ନିଜ ମା'ଙ୍କୁ ଫୋନ୍ କରିଛନ୍ତି। ବାପାଙ୍କୁ କହି ମତେ ଉଦ୍ଧାର କର; ନହେଲେ ସେମାନେ ମୋତେ ମାରି ଫିଙ୍ଗି ଦେବେ ବୋଲି ଛାତ୍ରୀଜଣକ ଫୋନ୍ କରି ଜଣାଇଛନ୍ତି, ଯାହାକି ଭାଇରାଲ ହୋଇଛି। ପୁଲିସ୍ ମାମଲାଟିକୁ ଗମ୍ଭୀରତାର ସହ ଗ୍ରହଣ କରି ତୁରନ୍ତ ଅପହୃତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି। ଏହି ଘଟଣାରେ ଅଭିଯୁକ୍ତ ଯୁବକ ଅବଦୁଲ ସେହମତ୍ ଖାଁର ବାପାଙ୍କୁ ପୁଲିସ ଗିରଫ କରି ତନାଘନା ଚଳାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମର ଜନୈକା ଯୁବତୀଙ୍କ ସହିତ ପଡୋଶୀ ଚୋରମୁହାଁ ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ଅବଦୁଲ ସେହମତ୍ ଖାଁ ଓରଫ ବବି ପ୍ରଥମେ ବନ୍ଧୁତା ସ୍ଥାପନ କରିଥିଲା। ଗତ ୫ ତାରିଖ ଦିନ ସମ୍ପୃକ୍ତ ଯୁବତୀ ନିଜର ମାଇଗ୍ରେସନ୍ ସାର୍ଟିଫିକେଟ୍ ପାଇଁ ବ୍ୟାସନଗର ସ୍ଵୟଂଶାସିତ ମହାବିଦ୍ୟାଳୟକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଅପହରଣ କରିନେଇଥିଲା। ପୁଲିସରେ ଜଣାଇଲେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ଜୀବନରେ ମାରି ଦେବାର ଭୟ ଦେଖାଇଥିଲା। ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ମୁସଲମାନ ରୀତିନୀତିରେ ବଳପୂର୍ବକ ବିବାହ କରିବାକୁ ଉଦ୍ୟମ କରିଥିଲା। ଝିଅ ଠାରୁ ଫୋନ୍ ଯୋଗେ ଜାଣିବା ପରେ ତାଙ୍କ ପିତା ଧର୍ମଶାଳା ଥାନାରେ ଏ ସଂପର୍କରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ କୌଣସି ସଫଳତା ମିଳି ପାରିନାହିଁ। ଅନ୍ୟପଟେ ଯୁବତୀଙ୍କ ଅପହରଣରେ ଅପରାଧିକ ଷଡ଼ଯନ୍ତ୍ର କରିଥିବା ଏବଂ ଅପହୃତାଙ୍କ ପିତାମାତାଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ପୁଲିସ ଆଜି ମୁଖ୍ୟ ଅଭିଯୁକ୍ତ ବବିର ପିତା ଅବଦୁଲ ହମିଦ ଖାଁଙ୍କୁ ଗିରଫ କରି ଚଣ୍ଡିଖୋଲ କୋର୍ଟ ଚାଲାଣ କରିଛି। ଜେଏମଏଫସି ଜାମିନ ଆବେଦନର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି। ଅନ୍ୟପଟେ ଝିଅର ଜୀବନ ପ୍ରତି ବିପଦ ରହିଥିବାରୁ ଝିଅର ଉଦ୍ଧାର ନିମନ୍ତେ ପ୍ରାର୍ଥନା କରି ତାଙ୍କ ବାପା ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତିି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/kidnap-1.jpg)