କାର୍‌ରେ ଯୁବତୀଙ୍କୁ ଅପହରଣ!

ମଙ୍ଗଳାବାଗ ମାତାମଠ ରାସ୍ତାରେ ଚାଞ୍ଚଲ୍ୟ
ଇନୋଭା ଭିତରୁ ବଞ୍ଚାଇବାକୁ ଚିତ୍କାର
ପରିଚୟ ପାଇ ବି ପୁଲିସ ଚୁପ୍

କଟକ : କଟକ ସହର ଭିତରେ ରାତି ୯ଟା ପାଖାପାଖି ସମୟରେ ଜଣେ ଯୁବତୀଙ୍କୁ ବଳପୂର୍ବକ ଅପହରଣ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ଧଳା ରଂଗର ଇନୋଭା କାରରେ ଯୁବତୀଙ୍କୁ ଅପହରଣ କରି ନିଆଯାଉଥିବା ବେଳେ ସେ ନୂଆପାଟଣା ଏଲଆଇସି ଅଫିସ ସାମନାରେ ଡୋର୍ ଖୋଲି ଦେଇ ବଂଚାଅ, ବଂଚାଅ କହି ଚିତ୍କାର କରିଥିଲେ। କିନ୍ତୁ ଗାଡି ଭିତରେ ଥିବା ଯୁବକ ତାଙ୍କୁ ଭିତରକୁ ଭିଡି ନେଇ ଦ୍ରୁତ ଗତିରେ ହାୱଡା ମୋଟର ଛକରୁ ରେମଣ୍ଡ ସୋରୁମ୍ ଦିଗରେ ମହାନଦୀ ରିଂ ବନ୍ଧ ଆଡକୁ ପଳାଇଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ସେଠାରେ ଛିଡା ହୋଇଥିବା କିଛି ଯୁବକ ଗାଡ଼ିର ପିଛା କରିଥିଲେ। ଇନୋଭ ଗାଡିଟି ମହାନଦୀ ରିଂ ବନ୍ଧରେ ଯୋବ୍ରା ଆଡକୁ ଯାଇ ବ୍ୟାରେଜ୍ ଦେଇ ଜଗତପୁର ଦିଗକୁ ଦ୍ରୁତ ଗତିରେ ପଳାଇ ଯାଇଥିଲା। ସେହି ଗାଡ଼ିକୁ ସୁରକ୍ଷା ଦେବା ପାଇଁ ବି ବାଇକରେ କିଛି ଯୁବକ ଯାଉଥିବା ଜଣା ପଡିଥିଲା। ସ୍ଥାନୀୟ ଯୁବକ ଇନୋଭା ଗାଡ଼ିକୁ ବେଶି ବାଟ ପିଛା କରିବାକୁ ସାହସ କରି ନ ପାରି ଏ ସଂପର୍କରେ ମାଲଗୋଦାମ ଓ ମଙ୍ଗଳାବାଗ ଥାନାରେ ସୂଚନା ଦେଇଥିଲେ। ପୁଲିସକୁ ଗାଡ଼ିର ନମ୍ବର ବି ଦେଇଥିଲେ।

ଇନୋଭା ଗାଡ଼ିର ନମ୍ବର ଯାଞ୍ଚରୁ ତାହା ଚାଉଳିଆଗଂଜ ଅଞ୍ଚଳର ଜଣେ ମହିଳାଙ୍କ ନାମରେ ଥିବା ଜଣା ପଡିଥିଲା। ଜଗତପୁର ଦିଗକୁ ଯାଇଥିବା ଏହି ଗାଡ଼ିଟି ‌ଚୌଦ୍ବାର ଆଡକୁ ଗଲା ନା ଜଗତପୁର ବାଟ ଦେଇ ଜାତୀୟ ରାଜପଥ ଆଡକୁ ଗଲା, ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଅନ୍ୟପଟେ ମଙ୍ଗଳାବାଗ ଥାନା ପୁଲିସ କହିବା ଅନୁଯାୟୀ ଗାଡ଼ି ନମ୍ବରରୁ ତାହାର ମାଲିକଙ୍କୁ ଯୋଗାଯୋଗ କରିବାରୁ ସେଥିରେ ଡ୍ରାଇଭର ଓ ତାଙ୍କର ପତ୍ନୀ ଥିବା ସେ କହିଛନ୍ତି। ପାରିବାରିକ ବିବାଦ କହି ଘଟଣାକୁ ଏଡାଇ ଯାଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ ଏହାକୁ ନେଇ କେହି ଅଭିଯୋଗ କରି ନାହାନ୍ତି। କିନ୍ତୁ ଗାଡ଼ି ମାଲିକଙ୍କ ଏଭଳି ସ୍ପଷ୍ଟୀକରଣରେ ପୁଲିସ ସନ୍ତୁଷ୍ଟ ହୋଇ କିଭଳି ହାତ ବାନ୍ଧି ବସିଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି। ମାଲିକଙ୍କ ଗାଡ଼ିରେ ଡ୍ରାଇଭର ଯଦି ତାଙ୍କ ପତ୍ନୀକୁ ନେଇ ଯାଉଥି‌ଲା ତେବେ ସଂପୃକ୍ତ ଯୁବତୀ ବଂଚାଇବାକୁ ଚିତ୍କାର କରୁଥିଲେ କାହିଁକି? ଯଦି ଯୁବତୀ ଜଣକ କୌଣସି ସମସ୍ୟାରେ ପଡିଛନ୍ତି, ତେବେ ତାଙ୍କୁ ତାଙ୍କ ସ୍ଥିତିରେ କାହିଁକି ଛାଡି ଦେଇଛି ପୁଲିସ? ଗାଡ଼ି ମାଲିକ କାହିଁକି ଥାନାରେ ଅଭିଯୋଗ ନ କରି ଚୁପ୍ ବସିଛନ୍ତି? ପତ୍ନୀଙ୍କୁ ଏଭଳି ନିର୍ଯ୍ାତନା ଦେଇ ଗାଡ଼ିରେ ବଳପୂର୍ବକ ନେବାକୁ ମାଲିକ କଣ ସହଯୋଗ ଦେଇଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସଂପୂର୍ଣ୍ଣ ଘଟଣାକୁ ସନ୍ଦେହଜନକ କରିଛି। ସ୍ଥାନୀୟ ଯୁବକଙ୍କ ସୂଚନା ପରେ ବି ପୁଲିସର ଏଭଳି ହାଲକା ମନୋଭାବ ଅପରାଧୀଙ୍କୁ ଖସି ଯିବାର ସୁଯୋଗ ଦେଇଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଘଟଣାର ରହସ୍ୟ ଉନ୍ମୋଚନ କରିବାକୁ ଥାନାରେ ସୂଚନା ଦେଇଥିବା ଯୁବକମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର