ଫୁଲନଖରା: ଚାରି ଜଣ ଦୁର୍ବୃତ୍ତ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜି)ଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଅପହରଣ କରି ନେଉଥିବା ବେଳେ ଚିତ୍କାର ଶୁଣି ତାଙ୍କୁ ସାହାଯ୍ୟ କରିବାକୁ ଯାଇଥିବା ଜଣେ ଆଇନ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ର ହେଉଛନ୍ତି କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ବର ଗ୍ରାମର ଆଇନଜୀବୀ ଅଭିରାମ ପାତ୍ରଙ୍କ ପୁତ୍ର ଅନୁସନ୍ଧାନ ଚମ୍ପତ୍ତିରାୟ।
ସୂଚନା ଅନୁଯାୟୀ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜି)ଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା କଟକ ଜିଲ୍ଲା ଓଲଟପୁର ଥାନା ଅନ୍ତର୍ଗତ ମଉଜପୁର ଗ୍ରାମର ସୌମ୍ୟରଞ୍ଜନ ସ୍ବାଇଁ ସ୍କୁଟିରେ ଭୁବନେଶ୍ବରରୁ ଘରକୁ ଫେରୁଥିଲେ। ହଂସପାଳ-ଭିଙ୍ଗାରପୁର ରାସ୍ତାରେ ୪ ଜଣ ଯୁବକ ଏକ କାର୍ରେ ଆସି ତାଙ୍କୁ ବଳପୂର୍ବକ ଟେକି ନେଇଥିଲେ। ମାତ୍ର ତାଙ୍କର ଦୁଇ ଗୋଡ଼ ବାହାରକୁ ଦେଖାଯାଉଥିଲା। ସେ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ। ସେହି ସମୟରେ ଭୁବନେଶ୍ବର ଆଇଟିଆର କଲେଜରୁ ଘରକୁ ଫେରୁଥିବା ଚତୁର୍ଥ ବର୍ଷ ଆଇନ ବିଭାଗ ଛାତ୍ର ଅନୁସନ୍ଧାନ ଉକ୍ତ କାର୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।
ମାତ୍ର କାର୍ ଚାଳକ ଜାଣି ଶୁଣି ଧକ୍କା ଦେଇ ତାଙ୍କୁ କିଛି ବାଟ ଘୋଷାରି ନେଇଥିଲା। ଫଳରେ ଅନୁସନ୍ଧାନ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଦୁର୍ବୃତ୍ତମାନେ ସୌମ୍ୟରଂଜନଙ୍କୁ ଛାଡ଼ି ପଳାଇଥିଲେ। ଏ ସମ୍ପର୍କରେ ସୌମ୍ୟରଂଜନ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/08/HzRY9AYPC355x7XjPLkB.jpg)