କେନ୍ଦ୍ରାପଡ଼ା/ ମହାକାଳପଡ଼ା: ଦାଦାବଟି ପାଇଁ ଜଣେ ଠିକାଦାରଙ୍କୁ ଅପହରଣ କରିଛନ୍ତି ଦୁର୍ବୃତ୍ତ। କିନ୍ତୁ ଯୁବ ଠିକାଦାର ଜଣକ କାର୍ରୁ ଡେଇଁ ଜୀବନ ବଂଚାଇ ପାରିଥିବାବେଳେ ଏଭଳି ଏକ ଅଭାବନୀୟ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମାର୍ଶାଘାଇ ଥାନା ଯଦୁପୁର ଗ୍ରାମ ନିକଟରେ ଘଟିଥିବା ଏହି ଘଟଣା ସଂପର୍କରେ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି। ଦୁଇ ଲକ୍ଷ ଟଙ୍କା ଦାଦାବଟି ପାଇଁ ଏହି ଅପହରଣ ଉଦ୍ୟମ ହୋଇଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ଭିକାରି ବେହେରା (ମଣ୍ଟୁ) ହେଉଛନ୍ତି ଜଣେ ଯୁବ ଠିକାଦାର। ଗଲା ଦୁଇ-ତିନିବର୍ଷ ହେବ ସେ ହରିଦାସପୁର-ପାରାଦୀପ ନୂଆ ରେଳପଥ ନିର୍ମାଣ ପ୍ରକଳ୍ପରେ ଠିକା କାମ କରୁଛନ୍ତି। ଆଜି ଭୋର ପ୍ରାୟ ସାଢେ ୪ଟା ବେଳେ ଚାରି ଜଣ ଦୁର୍ବୃତ୍ତ ଏକ କାର୍ରେ ଆସି ମଣ୍ଟୁଙ୍କ ଘରେ ପହଞ୍ଚି ଥିଲେ। ସେମାନଙ୍କ ଭିତରୁ ଜଣେ ଯୁବକ କାର୍ରୁ ଓହ୍ଲାଇ କବାଟ ବାଡ଼େଇ ମଣ୍ଟୁ ଅଛନ୍ତି କି ବୋଲି ପଚାରିଥିଲେ। ଏହା ଶୁଣି ଘର ଲୋକ ମଣ୍ଟୁଙ୍କୁ ଡାକିବାରୁ ସେ ନିଦରୁ ଉଠି ସେମାନଙ୍କ ପାଖକୁ ଯାଇଥିଲେ। ଏହି ସମୟରେ କାର୍ରେ ଆସିଥିବା ଯୁବକଙ୍କ ଭିତରୁ ଜଣେ ମଣ୍ଟୁଙ୍କ ମୁଣ୍ଡରେ ବଂଧୁକ ଲଗାଇଥିବା ବେଳେ ଅନ୍ୟ ଦୁଇଜଣ ତାଙ୍କୁ କାର୍ ଭିତରକୁ ଭିଡ଼ି ନେଇଥିଲେ। ପାଖାପାଖି ୧କିଲୋମିଟର ପର୍ଯ୍ୟନ୍ତ ଅପରାଧୀମାନେ ଦ୍ରୁତଗତିରେ କାର୍ ନେଇଯିବା ପରେ ୨ଲକ୍ଷ ଟଙ୍କା ବଟି ମାଗିଥିଲେ। ହେଲେ ଜାତୀୟ ରାଜପଥ ଉପରେ ଟ୍ରକ୍ ଜାମ୍ ଥିବାରୁ କାର୍ ଆଉ ଆଗକୁ ଯାଇପାରି ନଥିଲା। ଯଦୁପୁର ଛକରେ କାର୍ ଅଟକିଥିବା ସମୟରେ ଠିକାଦାର ମଣ୍ଟୁ ସାହସର ସହିତ ସେମାନଙ୍କ ସହ ଧସ୍ତାଧସ୍ତି କରି କାର୍ ଡୋର୍କୁ ଗୋଇଠା ମାରି ତଳକୁ ଡେଇଁପଡ଼ି ଦୌଡ଼ିଥିଲେ। ଏଭଳି ଘଟଣା ଦେଖି ସେଠାରେ ଲୋକ ଜମା ହେବାରୁ କାର୍ ବୁଲାଇ ୪ ଦୁର୍ବୃତ୍ତ ସେଠାରୁ ଖସି ପଳାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/kidnap-1518012521-1549093662.jpg)