ବ୍ରହ୍ମପୁରରୁ ଅପହରଣ, ଆନ୍ଧ୍ରରୁ ଉଦ୍ଧାର

ମୁଣ୍ଡ ଜାମିନ ପାଇଁ ମାଗିଲେ ୩ ଲକ୍ଷ, ତିନି ଅପହରଣକାରୀ ଗିରଫ

ବ୍ରହ୍ମପୁର : ବ୍ରହ୍ମପୁର ସହରରୁ ଜଣେ ବ୍ୟବସାୟୀଙ୍କୁ ଅପହରଣ କରିନେବା ସହ ମୁଣ୍ଡ ଜାମିନ ରଖି ୩ ଲକ୍ଷ ଟଙ୍କା ମାଗିବା ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି।। ବ୍ରହ୍ମପୁର ପୁଲିସର ତ୍ବରିତ ପଦକ୍ଷେପ ଫଳରେ ଅପହରଣର ମାତ୍ର ୧୨ ଘଣ୍ଟା ମଧ୍ୟରେ ବ୍ୟବସାୟୀଙ୍କୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ ଜିଲ୍ଲା କାଶୀବୁଗା ଥାନା ରାଜୀବ ନଗରର ଟି. ମଣିକାନ୍ତ ଓରଫ୍‌ ବରୁଣ(୨୭), କାଶୀବୁଗା ଥାନା ଶିବାଜୀନଗରର ମଣିକାନ୍ତ ଭୋନା(୨୭) ଓ କାଶୀବୁଗା ହରିଜନ ସାହିର ଟି. ସନ୍ତୋଷ ଓରଫ୍ ଲଣ୍ଡା(୨୭) ବୋଲି ଏଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।

ପୁଲିସର ସୂଚନା ଅନୁସାରେ ବଡ଼ବଜାର ଥାନା ଅନ୍ତର୍ଗତ ଠାକୁରାଣୀ ମନ୍ଦିର ନିକଟସ୍ଥ ପୋଡ଼ିପେଦିବାରୀ ସାହିର ବ୍ୟବସାୟୀ ଏମ୍. ରଂଜିତ ଓ ଗିରଫ ଅଭିଯୁକ୍ତ ବରୁଣ ସମ୍ପର୍କୀୟ ଭାଇ। ଉଭୟେ ଏକାଠି ବିଭିନ୍ନ ବ୍ୟବସାୟ କରିଥାନ୍ତି। ବ୍ୟବସାୟରେ ୩ଲକ୍ଷ ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ବରୁଣ ବାରମ୍ବାର ରଂଜିତଙ୍କୁ ୩ଲକ୍ଷ ଟଙ୍କା ମାଗିଥିଲେ। ହେଲେ ରଂଜିତ ଟଙ୍କା ଦେଉନଥିଲେ ବୋଲି ପୁଲିସ କହିଛି। ଗତକାଲି ସକାଳ ପ୍ରାୟ ୯ଟା ବେଳେ ବରୁଣ ତାଙ୍କର ଦୁଇଜଣ ସହଯୋଗୀଙ୍କ ସହିତ ବ୍ରହ୍ମପୁର ଆସିଥିଲେ। ସେମାନେ ଅନ୍ଧପସରା ରୋଡ଼ ଆମ୍ବ ମାର୍କେଟ ନିକଟରେ ରହି ରଂଜିତକୁ ଡାକିଥିଲେ। ରଂଜିତ ଆସିବା ପରେ ତାଙ୍କୁ ଏକ କାର୍‌ରେ ବସାଇ ଅପହରଣ କରି ପଲାସା ନେଇ ଯାଇଥିଲେ। ଏହାପରେ ଅପହରଣକାରୀ ରଂଜିତଙ୍କ ମୁଣ୍ଡ ଜାମିନ୍‌ ରଖି ତାଙ୍କ ପରିବାରବର୍ଗଙ୍କୁ ୩ଲକ୍ଷ ଟଙ୍କା ଦେବାକୁ ଫୋନ୍‌ କରିଥିଲେ। ଘଟଣା ସମ୍ପର୍କରେ ରଂଜିତଙ୍କ ପତ୍ନୀ ଏମ୍‌. ଦୀପିକା ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମୋବାଇଲ୍‌ ଫୋନ୍‌ ନମ୍ବର ଟ୍ରାକ୍‌ କରି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା।

ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୋସାଇଁ ନୂଆଗାଁ ଥାନା ଅଧିକାରୀ ସୁମିତ କୁମାର ସୋରେନ୍‌ଙ୍କ ନେତୃତ୍ବରେ ଏକ ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ତୁରନ୍ତ ପଲାସା ଅଭିମୁଖେ ବାହାରିଥିଲା। ସେଠାରେ ଆନ୍ଧ୍ର ପୁଲିସ ସହାୟତାରେ ବ୍ରହ୍ମପୁର ପୁଲିସ ରାତି ପ୍ରାୟ ୮ଟା ବେଳେ ବରୁଣଙ୍କ ଘରୁ ବ୍ୟବସାୟୀ ରଂଜିତଙ୍କୁ ଉଦ୍ଧାର କରିଥିଲା। ରଂଜିତଙ୍କୁ ବ୍ରହ୍ମପୁର ଅଣାଯାଇ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ଗୋସାଇଁ ନୂଆଗାଁ ଥାନା କେସ୍ ନମ୍ବର ୬୪/୨୧ରେ ମାମଲା ରୁଜୁ କରି ୩ଜଣ ଅପହରଣକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାରେ ବ୍ୟବହୃତ ହୋଇଥିବା କାର୍‌ ଜବତ କରିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର