ରାଜନୈତିକ ଶତ୍ରୁତାରୁ ଅପହରଣ! ସମିତିସଭ୍ୟ ପ୍ରାର୍ଥୀ ନିଖୋଜ, ପୁସିଂ କାର୍ଡ ଛପାଇବାକୁ ଯାଇଥିଲେ, ଫେରିଲେ ନାହିଁ

ସନ୍ଧାନୀ କୁକୁର ନେଇ ପୁଲିସର ଛାନ୍‌ଭିନ୍‌, ବିଧାୟିକାଙ୍କ ତନାଘନା, ବାଇକ୍‌ ଏବଂ ଚପଲ ପାଇଲା ପୁଲିସ

ମେରାମଣ୍ଡଳୀ: ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ନିଖୋଜ। ପୁସିଂ କାର୍ଡ ଛପାଇବାକୁ ଯାଇ ବଜାରରୁ ଆଉ ଘରକୁ ଫେରି ନାହାନ୍ତି। ରାସ୍ତାରେ ତାଙ୍କର ଚପଲ ଏବଂ ମଟରସାଇକଲ୍ ପଡ଼ିଛି, ଅଥଚ ପ୍ରାର୍ଥୀଙ୍କର ପତ୍ତା ମିଳୁନାହିଁ। ନିର୍ବାଚନ ସମୟରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ପଦାକୁ ଆସିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍‌ ନୂଆଗାଁ ପଞ୍ଚାୟତରୁ। ଗଲା୨୪ଘଣ୍ଟା କାଳ ପ୍ରାର୍ଥୀ ଘରକୁ ନ ଫେରିବାରୁ କେବଳ ପରିବାର ଲୋକ ନୁହନ୍ତି, ଢେଙ୍କାନାଳ ଜିଲ୍ଲା ପୁଲିସର ବି ଚିନ୍ତା‌ ବଢ଼ିଛି। ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମଧ୍ୟ କଣ୍ଟାବଣିଆ ଥାନାକୁ ଯାଇ ପଚରାଉଚରା କରି ଫେରିଛନ୍ତି।

ସୂଚନା ମୁତାବକ, ନିଖୋଜ ସମିତିସଭ୍ୟ ପ୍ରାର୍ଥୀଙ୍କ ନାମ ହେଲା ସୁବ୍ରତ ବେହେରା(୨୩) ଓରଫ୍‌ ଟିକନ। ବାପାଙ୍କ ନାମ ହେଲା ଟିବୁ ବେହେରା। ଘର କଣ୍ଟାବଣିଆ ଥାନା ନୂଆଗାଁରେ। ସୁବ୍ରତଙ୍କ ବୟସ ୨୩ବର୍ଷ। ଚଳିତ ପଞ୍ଚାୟତ ନିର୍ବାଚନରେ ସେ ନୂଆଗାଁ ପଞ୍ଚାୟତରୁ ସମିତିସଭ୍ୟ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ସେ ଥିଲେ ବିଜେଡି ସମର୍ଥିତ ପ୍ରାର୍ଥୀ। ନିର୍ବାଚନ ପ୍ରଚାର ପାଇଁ ଗତକାଲି ନିମବାହାଳି ବଜାରକୁ ପୁସିଂ କାର୍ଡ ଛପାଇବାକୁ ଯାଇଥିଲେ। ତା’ ପରଠାରୁ ସେ ଆଉ ଘରକୁ ଫେରିନାହାନ୍ତି। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିନ୍ତୁ, କୌଣସି ଜାଗାରୁ ତାଙ୍କର ପତ୍ତା ମିଳିଲା ନାହିଁ। ତେଣୁ ସୁବ୍ରତଙ୍କ ବାପା ଟିବୁ କଣ୍ଟାବଣିଆ ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୁଅର ନିଖୋଜ ସମ୍ପର୍କରେ ଲିଖିତ ଭାବେ ଜଣାଇଛନ୍ତି। ଘଟଣା ପଦାକୁ ଆସିଲା ପରେ ପଞ୍ଚାୟତରେ ଚହଳ ଖେଳିଯାଇଛି। ଘଟଣାର ଛାନ୍‌ଭିନ୍‌ ପାଇଁ ଆଜି ଅତିରିକ୍ତ ଏସ୍‌ପି କଣ୍ଟାବଣିଆ ଥାନାରେ ପହଞ୍ଚି ତନାଘନା କରିଛନ୍ତି।

ନିଖୋଜ ସୁବ୍ରତଙ୍କ ମୋବାଇଲ୍ ଟ୍ରାକିଂ କରି ପୁଲିସ ମୋଟଙ୍ଗା ଥାନା ଚିନ୍ତାପୋଖରୀ-ରୁଙ୍ଗ୍‌ଟା ପୁରୁଣା ରୋଡ୍‌ ନିକଟରେ ପହଞ୍ଚିଥିଲା। ସନ୍ଧାନୀ କୁକୁର ଜରିଆରେ ପୁଲିସ ସେଠାରୁ ସୁବ୍ରତଙ୍କ ମଟର ସାଇକଲ୍‌ ଏବଂ ଚପଲ ପାଇଛି। କିନ୍ତୁ ତାଙ୍କର କୌଣସି ପତ୍ତା ମିଳିନାହିଁ। ତେଣୁ, ରାଜନୈତିକ ଶତ୍ରୁତାରୁ କେହି ଏପରିକାଣ୍ଡ ଭିଆଇ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ଯେହେତୁ, ସୁବ୍ରତ ବିଜେଡି ସମର୍ଥିତ ପ୍ରାର୍ଥୀ ଥିଲେ, ତେଣୁ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଆଜି କଣ୍ଟାବଣିଆ ଥାନାକୁ ଯାଇ ପୁଲିସ ସହିତ ଏ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର