ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରୁ ଦିନ ଦିପହରରେ ଜଣେ ମହିଳାଙ୍କୁ ଅପହରଣ କରାଯାଇଛି। ଅଣଓଡ଼ିଆ ଅପହର୍ତ୍ତାମାନେ ମହିଳାଙ୍କୁ ମୁଣ୍ଡଜାମିନ ରଖି କୋଟିଏ ଟଙ୍କା ଦାବି କରିଛନ୍ତି। ଟଙ୍କା ନ ମିଳିଲେ, ମହିଳାଙ୍କ ମୃତଦେହକୁ ପାର୍ସଲ୍‌ କରି ଭୁବନେଶ୍ବର ପଠାଇଦିଆଯିବ ବୋଲି ଧମକ ଦେଇଛନ୍ତି। ବୁଧବାର ରାତିରେ ମିଳିଥିବା ଏଭଳି ଏକ ସଂଗିନ୍‌ ଅଭି‌ଯୋଗ କମିସନରେଟ୍‌ ପୁଲିସର ମୁଣ୍ଡ ବିନ୍ଧା ବଢ଼ାଇଦେଇଛି। ଚନ୍ଦକା ଥାନାରେ ହୋଇଥିବା ଏଭଳି ମାମଲାକୁ ଖୋଦ ପୁଲିସ କମିସନର ସଞ୍ଜୀବ ପଣ୍ଡା ତଦାରଖ କରୁଛନ୍ତି। ବଛାବଛା ଅଧିକାରୀଙ୍କୁ ନେଇ ଗଠିତ ଛଅ ଛଅଟି ଟିମ୍‌ ଓଡ଼ିଶା ସମେତ ରାଜ୍ୟ ବାହାରେ ପଇଁତରା ମାରୁଛନ୍ତି। ୨୪ ଘଣ୍ଟା ପରେ ବି ମହିଳା କିମ୍ବା ଅପହର୍ତ୍ତାମାନଙ୍କ ଖୋଜଖବର ମିଳିପାରିନାହିଁ। ଏକ ଅଜଣା ନମ୍ବରରୁ କଲ୍‌ କରି କୋଟିଏ ଟଙ୍କା ଦାବି କରିଥିବା ଅପହର୍ତ୍ତାମାନେ ଗତକାଲି ରାତିରେ ମାତ୍ର ଥରୁଟିଏ ଫୋନ୍‌ କରିଥିଲେ। ଏହାପରଠୁ ସେହି ଫୋନ୍‌ ଓ ମହିଳାଙ୍କ ଫୋନ୍‌ ବନ୍ଦ ରହିଛି। ପୁଲିସ ଫୋନ୍‌ ଟ୍ରାକିଂ ବଳରେ ପିଛା କରିକରି ଏବେ ଛତିଶଗଡ଼ରେ ପହଞ୍ଚିଥିବା ସୂଚନା ମିଳିଛି। କିନ୍ତୁ ସେଠାରେ ବି ପୁଲିସକୁ ନିରାଶ ‌ହେବାକୁ ପଡ଼ିଛି।

Advertisment

ଏହି ଚାଞ୍ଚଲ୍ୟକର ଅପହରଣ ଘଟଣାଟି ଘଟିଛି କଳିଙ୍ଗନଗର କେ-୭ ଅଞ୍ଚଳରେ। ବୁଧବାର ଅପରାହ୍ଣରେ ମହିଳାଜଣଙ୍କ ରହୁଥିବା ଟ୍ରାଇଡେଣ୍ଟ ଗ୍ୟାଲେକ୍ସିସ୍ଥିତ ଆପାର୍ଟମେଣ୍ଟରୁ ବାହାରି କୌଣସି କାମରେ ସହର ଭିତରକୁ ଯାଇଥିଲେ। ସନ୍ଧ୍ୟା ସୁଦ୍ଧା ସେ ଘରକୁ ‌ଫେରିନଥିଲେ। ବିଳମ୍ବ ହେବାରୁ ବାପା ମା’ ତାଙ୍କୁ ଫୋନ୍‌ କରିଥିଲେ। ମାତ୍ର ଫୋନ୍‌ ସୁଇଚ୍‌ ଅଫ୍ ଥିଲା। ସେମାନେ ମହିଳାଙ୍କ ସାଙ୍ଗସାଥୀଙ୍କୁ ଫୋନ୍‌ କରି ବୁଝିଥିଲେ। କିନ୍ତୁ ସେମାନେ ମଧ୍ୟ ତାଙ୍କୁ ଭେଟି ନଥିବା କହିଥିଲେ। ତେଣୁ ବୃଦ୍ଧ ବାପାମା’ ଅଧିକ ବ୍ୟସ୍ତ ହୋଇପଡ଼ିଥିଲେ। ଏତିକିବେଳେ ବେଙ୍ଗାଲୁରୁରୁ ମହିଳାଙ୍କ ଭାଇ ବାପାମା’ଙ୍କୁ ଫୋନ୍‌ କରିଥିଲେ। ଭଉଣୀ କେଉଁଠି ବୋଲି ପ୍ରଥମେ ପଚାରିଥିଲେ। ବାପାମା’ ଝିଅର ଫେରିବା ବାଟକୁ ଅପେକ୍ଷା କରି ବ୍ୟସ୍ତ ହେଲେଣି ବୋଲି କହିବା ପରେ ସେ ଭଉଣୀର ଅପହରଣ କଥା କହିଥିଲେ। ଅପହର୍ତ୍ତାମାନେ ତାଙ୍କ ଭଉଣୀଙ୍କୁ ମୁଣ୍ଡଜାମିନ ରଖି କୋଟିଏ ଟଙ୍କା ଦାବି କରୁଛନ୍ତି ବୋଲି କହିଥିଲେ। ଅପହରଣକାରୀମାନେ ହିନ୍ଦୀରେ କଥା ହୋଇଥିଲେ ଏବଂ ଭଉଣୀଙ୍କୁ ଅପହରଣ କରି ଓଡ଼ିଶା ବାହାରକୁ ନେଇ ଯାଇଛନ୍ତି ବୋଲି କହିଥିଲେ। ଏହାପରେ ସେ ଅପହର୍ତ୍ତାମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ଫୋନ୍‌ ସୁଇଚ୍ ଅଫ୍ ହୋଇଯାଇଥିଲା। ଅପହର୍ତ୍ତାମାନେ ତାଙ୍କୁ ଭଉଣୀଙ୍କ ସହ କଥା କରାଇଦେଇନଥିଲେ। କିନ୍ତୁ ଦାବି ମୁତାବକ ଟଙ୍କା ନଦେଲେ, ସେମାନେ ମହିଳାଙ୍କୁ ହତ୍ୟା କରି ମୃତଦେହକୁ ପାର୍ସଲ୍‌ କରି ଭୁବନେଶ୍ବର ପଠାଇବେ ବୋଲି ଧମକ ଦେଇଥିଲେ।

ପୁଅଠାରୁ ଏକଥା ଶୁଣିବା ପରେ ବୃଦ୍ଧ ବାପାମା’ଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ପୁଅ ସହ ଆଲୋଚନା କରିବା ପରେ ସେମାନେ ରାତାରାତି ଚନ୍ଦକା ଥାନାରେ ପହଞ୍ଚି ଅଭିଯୋଗ କରିବା ସହ ସମସ୍ତ ବିବରଣୀ ପ୍ରଦାନ କରିଥିଲେ। ଚନ୍ଦକା ଥାନା ଅଧିକାରୀ ତୁରନ୍ତ ପୁଲିସ କମିସନର ଓ ଡିସିପିଙ୍କୁ ଜଣାଇଥିଲେ। ଅପହରଣ ଓ ମୁଣ୍ଡଜାମିନ କଥା ଜାଣିବା ପରେ ତୁରନ୍ତ ସିପି ଶ୍ରୀ ପଣ୍ଡା ୬ଟି ଟିମ୍‌ ଗଠନ କରିଥିଲେ। ୨ ଏଡିସିପି, ୪ ଏସିପି ଓ ୬ ଆଇଆଇସିଙ୍କୁ ନେଇ ୬ ଟିମ୍‌ ଗଠନ କରାଯାଇଛି। ଏହି ସମସ୍ତ ଟିମ୍‌ ଏବେ ୫ଟି ରାଜ୍ୟକୁ ଯାଇଛନ୍ତି ବୋଲି ଜଣାପଡ଼ିଛି। ଏଣେ ପୁଲିସ ମହିଳାଙ୍କ ଫୋନ୍‌ ନମ୍ବରରୁ ସିଡିଆର୍‌ ଯାଞ୍ଚ କରୁଛି। ‌ସେହିଭଳି ଅପହରଣ ପଛରେ କେଉଁ କେଉଁ ପ୍ରକାରର ଶତ୍ରୁତା ଥିବା ସନ୍ଦେହ ରହିଛି, ସେନେଇ ପୁଲିସ ବାପାମା’ଙ୍କୁ ପଚରାଉଚରା ଚଳାଇଥିବାର ଖବର ମିଳିଛି।