ଦେବଗଡ଼: ଦେବଗଡ ସହରର ଡେଲି ମାର୍କେଟ ଛକ ନିକଟରେ ଆଜି ସଂଧ୍ୟାରେ ନିଜ ଆଈ ସହିତ ଟିଉସନରୁ ଫେରୁଥିବାବେଳେ ନିଜ ଘର ସମ୍ମୁଖରୁ ଜଣେ ନାବାଳିକାକୁ ବାଇକରେ ଦୁର୍ବୁତ୍ତମାନେ ଅପହରଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଉକ୍ତ ଘଟଣା ଦେବଗଡ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଅଭିଯୋଗ ପାଇବା ପରେ ଦେବଗଡ ଆଦର୍ଶ ଥାନା ପୁଲିସ ନିକଟରେ ଥିବା ଦୋକାନରେ ଥିବା ସିସିଟିଭିକୁ ଯାଂଚ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ପୌରାଚଂଳର ମାର୍କେଟ ଛକରେ ରହୁଥିବା କପଡା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କ ଝିଅ ପିହୁ (୬) ଆଜି ସଂଧ୍ୟା ସମୟରେ ନିଜ ଆଈ ସହିତ ଟିଉସନରୁ ଘରୁକୁ ଫେରୁଥିଲେ । ସେହି ସମୟରେ ଜନଗହଳିପୂର୍ଣ୍ଣ ମାର୍କେଟ ଛକ ନିକଟରେ ୨ଜଣ ଅଜଣା ଦୁର୍ବୁତ୍ତ ପିହୁଙ୍କ ଆଈଙ୍କୁ ତାଙ୍କ ଘର ସମ୍ମୁଖରେ ଧକ୍କା ଦେଇ ପିହୁକୁ ବାଇକରେ ଅପହରଣ କରି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ପିହୁ ଚିନ୍ମୟ ବିଦ୍ୟାଳୟରେ ଏଲକେଜିରେ ପାଠ ପଢୁଛନ୍ତି । ତେବେ ଏନେଇ ପିହୁଙ୍କ ପରିବାର ଲୋକ ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଦେବଗଡ ଆଦର୍ଶ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ପିହୁକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଖବରପାଇ ଦେବଗଡ ଏପସି ପ୍ରଦ୍ୟୁମ୍ନ ମିଶ୍ର ଘଟଣାସ୍ଥଳରେ ପରିଦର୍ଶନ କରିବା ସହିତ ପରିବାର ଲୋକଙ୍କ ସହିତ ଆଲୋଚନା କରିଛନ୍ତି । ତେବେ ଦୁର୍ବୁତ୍ତମାନେ ପିହୁକୁ ଅପହରଣ କରି ନେଇ ରାଂଚି-ବିଜୟାୱାଡା ରାସ୍ତା ଦେଇ ଫେରାର ହୋଇଯାଇଥିବା ଜଣାପଡିଛି । ପୁଲିସ ଉକ୍ତ ରାସ୍ତାରେ ଟିମ ଗଠନ କରି ପିହୁକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଆରମ୍ଭ କରିଛି । ଅନ୍ୟପଟେ ତାଙ୍କର କାହାରି ସହିତ ଶତ୍ରୁତା ନଥିବା ପରିବାର ଲୋକ ପ୍ରକାଶ କରିଛନ୍ତି । ଖବରପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ମଧ୍ୟ ଘଟଣାସ୍ଥଳରେ ପଂହଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଦେବଗଡ ସହରରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିଥିବା ବେଳେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।