ବାଲେଶ୍ବର/ଜଳେଶ୍ବର: ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ରବିବାର ସକାଳେ ଚୋରି ହୋଇଥିବା ନବଜାତ ଶିଶୁପୁତ୍ରକୁ ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର କରିଛି ପୁଲିସ। ମା’ କୋଳକୁ ନବଜାତକ ଫେରିଥିବା ବେଳେ ପିଲା ଚୋରି କରିଥିବା ସମ୍ପୃକ୍ତ ମହିଳା ଓ ଏହି ଅପରାଧରେ ସହଯୋଗ କରିଥିବା ଆଶାକର୍ମୀଙ୍କୁ ଗିରଫ କରାଯାଇଥିବା ବାଲେଶ୍ବର ଏସ୍‌ପି ସାଗରିକା ନାଥ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତେବେ, ଏହି ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଚୋରି କରି‌ନେଇଥିବା ଏହି ଶିଶୁକୁ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଦେବା ପାଇଁ ଯୋଜନା କରାଯାଇଥିଲା।

Advertisment

ଶିଶୁ ଚୋରି ସଂପର୍କରେ ଅଭିଯୋଗ ପାଇବା ପରେ ଗତକାଲି ପୁଲିସ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଇ ଛାନ୍‌ଭିନ୍‌ କରିବା ସହ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍‌ରୁ ପିଲା ଚୋରି କରିଥିବା ମହିଳାଙ୍କୁ ଠାବ କରିବାରେ ସଫଳ ହୋଇଥିଲା। ଏହାପରେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ୪ଟି ଟିମ୍‌ ଗଠନ କରିଥିବା ବେଳେ ଶିଶୁର ମା’ ସହ ଆସିଥିବା ଆଶାକର୍ମୀଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ପିଲା ଚୋରି କରିଥିବା ମହିଳାଜଣକ ଡାକ୍ତରଖାନା ବାହାରକୁ ଆସିବା ପରେ ଏକ ଅଟୋରିକ୍ସାରେ ଫେରାର ହୋଇ ଯାଇଥିଲେ। ଅଟୋ ଚାଳକଙ୍କୁ ପୁଲିସ ପଚରାଉଚରା କରିବା ପରେ ସେ ଉକ୍ତ ମହିଳାଙ୍କ ସଂପର୍କରେ ସବିଶେଷ ସୂଚନା ଦେଇଥିଲେ। ମହିଳାଙ୍କୁ ନେଇ ସେ ଜଳେଶ୍ବରରେ ଛାଡ଼ିଥିବା ଓ ତାଙ୍କ ସହ ଏକ ଶିଶୁ ଥିବା କହିଥିଲେ ଅଟୋ ଚାଳକ। ଏଥିସହ ଉକ୍ତ ମହିଳାଙ୍କ ଅଟୋ ଭଡ଼ା ତାଙ୍କୁ ଫୋନ୍‌ ପେ’ ମାଧ୍ୟମରେ ଜଣେ ବ୍ୟକ୍ତି ପଠାଇଥିବା କହିଥିଲେ। ଅଟୋଚାଳକଙ୍କ ଫୋନ୍‌ ପେ’ ଆକାଉଣ୍ଟ୍‌କୁ ଯାଞ୍ଚ କରାଯିବା ପରେ ଉକ୍ତ ମହିଳାଙ୍କର ଠିକଣା ଜଣାପଡ଼ିଥିଲା।

ଗତକାଲି ମଧ୍ୟରାତ୍ରିରେ ଡିଏସ୍‌ପି ଶଶାଙ୍କ ଶେଖର ବେଉରାଙ୍କ ନେତୃତ୍ବରେ ପୁଲିସର ଏକ ଟିମ୍‌ ଜଳେଶ୍ବର ଶାନ୍ତିଆ ଅଞ୍ଚଳରେ ଏକ ଘରେ ଚ‌ଢ଼ାଉ କରି ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ସନ୍ଧ୍ୟା ପାତ୍ର ଓରଫ ଝାମ୍ପଡ଼ି (୪୦)ଙ୍କୁ ଜେରା କରିଥିଲେ। ଏହି ଘଟଣାରେ ପୁଲିସ ସନ୍ଧ୍ୟା ପାତ୍ରଙ୍କ ସହିତ ଆଶାକର୍ମୀ ସନ୍ଧ୍ୟାରାଣୀ ଜେନାଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ବାଲିଆପାଳ ଥାନା କୁହ୍ଲାଚଡ଼ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦଣ୍ଡପାଟଙ୍କ ପତ୍ନୀ ଅନୀତା ଗତ ଶନିବାର ରାତିରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମା ଓ ଶିଶୁ ୱାର୍ଡରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ପରଦିନ ରବିବାର ସକାଳେ ସେହି ୱାର୍ଡରେ ଉପସ୍ଥିତ ଥିବା ଓ ତାଙ୍କ ସହ ଆସିଥିବା ଆଶାକର୍ମୀଙ୍କ ସହ ମିଳାମିଶା କରୁଥିବା ଜଣେ ମହିଳା ତାଙ୍କ ନବଜାତ ଶିଶୁକୁ ଚୋରି କରି ନେଇ ସେଠାରୁ ଚମ୍ପଟ ମାରିଥିଲେ।