ଦୁର୍ଦ୍ଦାନ୍ତ ଅପରାଧୀ ବିଭୁକୁ ଅପହରଣ

ଟମ୍‌କା ଥାନାରେ ମିଳିଥିବା ଅର୍ଦ୍ଧଦଗ୍ଧ ଶବକୁ ନେଇ ଚର୍ଚ୍ଚା; ପୁଲିସର ଛାନଭିନ୍‌

ଯାଜପୁର/ଟମକା/ମାର୍ଶାଘାଇ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବେରୁହାଁ ପଞ୍ଚାୟତ ଭଗବାନପୁର ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ପ୍ରତାପ ସାହୁ ଓରଫ ବିଭୁକୁ ଗତକାଲି ରାତିରେ ଅପହରଣ କରି ନିଆଯାଇଛି। ଯାଜପୁର ଜିଲ୍ଲା ଟମକା ଥାନା ଗୋବର୍ଦ୍ଧନପୁର ପଞ୍ଚାୟତ ରଥପଦା ଗାଁ ନିକଟ କାଜୁ ଜଙ୍ଗଲରେ ଯେଉଁ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି, ତାହା ବିଭୁର ବୋଲି ଆାଲାଚନା ହେଉଛି। ତେବେ, ଏନେଇ ସ୍ପଷ୍ଟ କିଛି ଜଣାପଡ଼ିନଥିବା ବେଳେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ରାତି ପାଖାପାଖି ୮ଟା ​ବେଳେ ଗାଁ ପାଖ ହଳଦିଆଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପ ନିକଟ ଏକ ପୋଖରୀ କୂଳରେ ବିଭୁ ବସିଥିବା ବେଳେ ତାକୁ ଅପହରଣ କରି ନିଆଯାଇଛି ବୋଲି ପତ୍ନୀ ସୌଦାମିନୀ ସାହୁ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି। ବିଭୁ ପୋଖରୀ କୂଳରେ ବସିଥିବା ବେଳେ ୨ଟି ବୋଲେରୋ, ଗୋଟିଏ କଳାରଙ୍ଗର ମାରୁତି ଭ୍ୟାନ୍ ଓ ପାଖାପାଖି ୮ଟି ବାଇକ୍‌ରେ ୩୦ରୁ ଅଧିକ ମୁଖାପିନ୍ଧା ଯୁବକ ସେଠାରେ ପହଞ୍ଚି ତାକୁ ଉଠାଇ ନେଇଥିଲେ। ଅନ୍ୟପଟେ ଯାଜପୁର ଜିଲ୍ଲା ଟମକା ଥାନା ଅର୍ନ୍ତଗତ ରଥପଦା ଜଙ୍ଗଲରେ ପଡିଥିବା ଏକ ଅର୍ଦ୍ଧଦଗ୍ଧ ଶବକୁ ନେଇ ବିଭିନ୍ନ ମହଲରେ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ବିଭୁକୁ ଅପହରଣ କରି ଦୁର୍ବୃତ୍ତମାନେ ହତ୍ୟା କରିଥିବା ଆଶଙ୍କା ନେଇ ହେଉଥିବା ଚର୍ଚ୍ଚା ଯୋଗୁ କେନ୍ଦ୍ରାପଡାର ଅତିରିକ୍ତ ଏସ୍‌ପି ହରିଶ ପାଣ୍ଡେ, ଏସ୍‌ଡିପିଓ ଜୟନ୍ତ ମହାନ୍ତି, ମାର୍ଶାଘାଇ ଥାନା ଆଇଆଇସି ଜ୍ୟୋତିରଂଜନ ସାମନ୍ତରାୟଙ୍କ ନେତୃତ୍ବରେ ଏକ ଟିମ୍ ଯାଜପୁର ଯାଇ ଛାନ୍‌ଭିନ୍ ଚଳାଇଛନ୍ତି। ବିଭୁର ପତ୍ନୀଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା( ୩୩୬/୨୩) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସନ୍ଦେହରେ କେତେକ ଯୁବକଙ୍କୁ ଅଟକରଖି ପୁଲିସ ଜେରାକରିବା ସହ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି।

ସୂଚନା ଅନୁସାରେ, ଆଜି ଭୋର୍‌ ସମୟରେ କେତେଜଣ ଗ୍ରାମବାସୀ ରଥପଦା ଗାଁ ନିକଟସ୍ଥ କାଜୁ ଜଙ୍ଗଲକୁ ଯାଉଥିବା ବେଳେ କିଛିଦୂରରେ ନିଆଁ ଜଳୁଥିବାର ଦେଖିଥିଲେ। ଜଣେ ଲୋକର ଶବ ଜଳୁଥିବାର ଦେଖି ଗ୍ରାମବାସୀ ସରପଞ୍ଚ ଏବଂ ଟମକା ପୁଲିସ୍‌କୁ ଖବର ଦେଇଥିଲ। ଘଟଣାସ୍ଥଳରେ ଫରେନ୍ସିକ ଟିମ୍, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଏସ୍‌ ଟପୋ ଓ ଟମକା ଥାନାଧିକାରୀଙ୍କ ସୁଶାନ୍ତ ପାତ୍ରଙ୍କ ସମେତ ବହୁ ପଦାଧିକାରୀ ପହଞ୍ଚି ବିଭିନ୍ନ ଦିଗ ଉପରେ ସମୀକ୍ଷା କରିବା ସହିତ ତଦନ୍ତ କରିଥିଲେ। ମୃତ ବ୍ୟକ୍ତିର ଶରୀର ୯୦ ଭାଗ ପୋଡ଼ି ଯାଇଥିବା ବେଳେ ବ୍ୟବଚ୍ଛେଦ ପାଇଁ କଟକ ପଠାଇ ଦିଆଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୨୫ବର୍ଷ ହେବ ଅପରାଧ ଦୁନିଆରେ ସକ୍ରିୟ ରହିଛି ବିଭୁ। ୨୦୧୭ ମସିହାରେ ବିଚଣା ବାଲିଘାଟକୁ ନେଇ ବୋମାମାଡ଼ ସହ ଗୋଟିଏ ଜେସିବି ଓ ୨ଟି ଟ୍ରାକ୍ଟର ଜାଳିଦେବା ଘଟଣାରେ ସେ ସଂପୃ୍କ୍ତ ଥିଲା। ୨୦୧୭ରେ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପାଟକୁରା ପାଖାପାଖି ଏକ ସ୍ଥାନରେ ପୁଲିସ ତାକୁ ଏନକାଉଣ୍ଟର କରିଥିଲା। ସେବେଠୁ ସେ ଜେଲ୍‌ରେ ଥିଲା। କିଛିମାସ ତଳେ ସେ ଜେଲରୁ ମୁକୁଳି ଥିଲା। ଜେଲ୍‌ରୁ ଆସିବା ପରେ ସେ ସ୍ଥାନୀୟ କିଛି ଯୁବକଙ୍କୁ ନେଇ ଏକ ଗ୍ୟାଙ୍ଗ ଗଢ଼ିବାକୁ ପ୍ରସ୍ତୁତି ଚଳାଉଥିଲା। ଯାହା ପ୍ରତିପକ୍ଷ ଗ୍ୟାଙ୍ଗ ପାଇଁ ଅସହ୍ୟ ହେଉଥିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର