ଯୁବକଙ୍କୁ ଅପହରଣ କରି ପ୍ରାଣାନ୍ତକ ଆକ୍ରମଣ: ଗାଡ଼ି ମାଲିକଙ୍କ ନାଁରେ ମାମଲା

ରାଉରକେଲା: ଗାଡି ଜବତକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅପହରଣ ସହ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣ ଶିକାର ଯୁବକଙ୍କ ଲିଖିତ ଏତଲା ଆଧାରରେ ରଘୁନାଥପାଲୀ ପୁଲିସ ରାଉରକେଲା ମାଇନିଂ ଏରିଆ ଟ୍ରକ ଆଣ୍ଡ ଟିପ୍ପର ଆସୋସିଏସନ୍‌ର ତିନି ସଦସ୍ୟଙ୍କ ନାଁରେ ମାମଲା ରୁଜୁ ‌କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ଛେଣ୍ଡ କଲୋନିରେ ରହନ୍ତି ଦେବାଶିଷ ନାୟକ (୩୮)। ଦେବାଶିଷଙ୍କ ଜଣେ ସମ୍ପର୍କୀୟ ଫାଇନାନ୍ସ କମ୍ପାନୀରେ କାମ କରନ୍ତି। ରାଉରକେଲା ମାଇନିଂ ଏରିଆ ଟ୍ରକ ଓ ଟିପ୍ପର ସଂଘର ଜଣେ ସଦସ୍ୟ ଋଣରେ ନେଇଥିବା ଟ୍ରକ ନେଇ କିସ୍ତି ଦେଇ ନଥିଲେ। ଗତ ୪ ତାରିଖରେ  ସମ୍ପର୍କୀୟ ଜଣକ ଦେବାଶିଶଙ୍କୁ ଧରି ବେଦବ୍ୟାସକୁ ଯାଇଥିଲେ।

ବେଦବ୍ୟାସ ଛକରୁ କିସ୍ତି ଦେଇନଥିବା ଟ୍ରକକୁ ଜବତ କରିଥିଲେ। ଟ୍ରକ ଜବତ ହେବାର କିଛି ସମୟ ପରେ ଅର୍ଥାତ୍‌ ଦିନ ପ୍ରାୟ ସାଢ଼େ ୧୧ଟାରେ ଦିଲୀପ, ଶିବ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ଦେବାଶିଷଙ୍କୁ ବାଲୁଘାଟସ୍ଥ ୟୁନିୟନ ଅଫିସ୍‌କୁ ଡାକିଥିଲେ।  ୟୁନିୟନ ଅଫିସ୍‌ରେ ପହଞ୍ଚିବା ପରେ ଦିଲୀପ, ଶିବ ସମେତ ଅନ୍ୟମାନେ ମିଶି ଦେବାଶିଷଙ୍କୁ କ୍ରେଟା କାର୍‌ (ଓଡି୧୪ଜେ-୫୨୧୬)ରେ ଜୋରଜବରଦସ୍ତ ବସାଇ ଜଲଦା ପଥର ଖାଦାନ ନିକଟକୁ ଅପହରଣ କରି ନେଇଥିଲେ। ସେଠାରେ ଲୁହା ରଡ୍ ଓ କ୍ରିକେଟ୍‌ ଷ୍ଟମ୍ପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଜୀବନରୁ ମାରି ଦେବାକୁ ଧମକଚମକ ଦେଇଥିଲେ। ପରେ ପୁଣି କାର୍‌ରେ ବସାଇ ଜାତୀୟ ରାଜପଥରେ ଛାଡି ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସମ୍ବନ୍ଧିତ ଖବର