ପୁଲିସ ପରିଚୟ ଦେଇ ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ: ମୁଣ୍ଡ ଜାମିନ ପାଇଁ ୩ ଲକ୍ଷ ଟଙ୍କା  ଦେଲେ ପରିବାର!

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ଜେଠୁପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମାରଣାସ୍ତ୍ର ଦେଖାଇ ଘରୁ ଅପହଣର କରି ନିଆଯାଇଥିଲା। ପରେ ୭ଲକ୍ଷ ଟଙ୍କା ନଦେଲେ ହତ୍ୟା ଧମକ ଦେଇଥିବା ଯୁବକ ଜଣକ କୋମନା ଥାନାରେ ଅଭିଯୋଗ  କରିଛନ୍ତି।

ସୂଚନାମତେ, ଗତ ୨୧ ତାରିଖ ରାତିରେ ଗାଁର ପ୍ରେମାନନ୍ଦ ତାଣ୍ଡି (୩୨ବର୍ଷ) ଘରେ ଏକୁଟିଆ ଶୋଇଥିଲେ। ରାତି ୧ଟାରେ ଏକ ଚାରିଚକିଆ ଗାଡ଼ିରେ ଚାରି ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଉଠାଇ ନେଇଥିଲେ। ସେମାନେ ନିଜକୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୁଲିସ୍‌ ବୋଲି ପରିଚୟ ଦେଇ ବନ୍ଧୁକ ଓ ଛୁରି ଦେଖାଇ ଭୟଭୀତ କରାଇବା ସହ ସେଠାରୁ ପ୍ରେମାନନ୍ଦଙ୍କୁ ନେଇ ଯାଇଥିଲେ। ବଲାଙ୍ଗୀର ଜିଲ୍ଲା ଲଠୋର ଓ ତୁରେଇକେଲା ମଧ୍ୟସ୍ଥ ଗଏନ୍ଦିମାଲ ନିକଟ ଜଙ୍ଗଲ ଭିତରେ ତାଙ୍କୁ ଓହ୍ଲାଇ ୭ଲକ୍ଷ ଟଙ୍କା ଦାବି କରିଥିଲେ। ନଚେତ ଜୀବନରେ ମାରି ଦେବାକୁ ମୁଣ୍ଡରେ ପିସ୍ତଲ ଲଗାଇ ଫୋନ୍‌ କରି ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ସେହି ରାତିରେ ପ୍ରେମାନନ୍ଦଙ୍କ ଜୀବନ ବଞ୍ଚାଇବା ପାଇଁ ୧ ଲକ୍ଷ ୭୮ହଜାର ୫୦୦ ଟଙ୍କା ଯୋଗାଡ଼ କରିଥିଲେ। ଏଥିରେ ଦୁର୍ବୃତ୍ତମାନେ ରାଜି ହୋଇନଥିଲେ। ଶେଷରେ ପରିବାର ଲୋକ ସମ୍ପର୍କୀୟ ଜଣେ ଯୁବତୀଙ୍କ ବିବାହ ପାଇଁ ରଖାଯାଇଥିବା ସୁନାଗହଣାକୁ ଧରି ଯାଇଥିଲେ। ଦୁର୍ବୃତ୍ତଙ୍କୁ ପରିବାର ଲୋକେ ନଗଦ ୧.୭୮ ଲକ୍ଷ ସହ ଦେଢ଼ ଭରି ସୁନାଗହଣା ଦେଇଥିଲେ। ଏଥିରେ ମଧ୍ୟ ଦୁର୍ବୃତ୍ତମାନେ ରାଜି ହୋଇନଥିବାରୁ ପୁଣି ଏକ ନମ୍ବରରେ ଅନ୍‌ଲାଇନ୍ ଯୋଗେ ୧୫ ହଜାର ଟଙ୍କା ପଇଠ କରିଥିଲେ। ସୁନାଗହଣାକୁ ମିଶାଇ ୩ ଲକ୍ଷ ଟଙ୍କା ଦେବା ପରେ ଦୁର୍ବୃତ୍ତମାନେ ପ୍ରେମାନନ୍ଦଙ୍କୁ ଛାଡ଼ି ଦେଇଥିଲେ।

ଟଙ୍କା ପାଇବା ପରେ ଦୁର୍ବୃତ୍ତମାନେ ତୁରେକେଲା ଦେଇ ଚାଲି ଯାଇଥିଲେ। ପ୍ରେମାନନ୍ଦ ଏନେଇ ଗତ ୨୩ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ୍‌ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ଏଭଳି ଘଟଣା ପ୍ରଘଟ ହେବା ପରେ ଅଞ୍ଚଳାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର