ତରଭା: ନାବାଳିକା ଝିଅକୁ ଅପହରଣ କରି ନେଇଥିବା ଅଭିଯୋଗରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ଗତ ଜାନୁଆରି ୨ ତାରିଖ ତରଭା ବ୍ଲକ୍‌ ଅଞ୍ଚଳର ୧୭ ବର୍ଷର ଜଣେ ନାବାଳିକା ଝିଅକୁ ଦେଉଲପଦର ଗାଁର ବିନୟ ବାଗ(୨୧) ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ ନାବାଳିକାର ବାପା। ଏ ସଂକ୍ରାନ୍ତରେ ସେ ତରଭା ଥାନାରେ ଗତ ଜାନୁଆରି ୩ ତାରିଖ ଲିଖିତ ଅଭିଯୋଗ କରିବା ପରେ ତରଭା ପୁଲିସ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।

Advertisment

ପୁଲିସ ମୁମ୍ବାଇରେ ଥିବା କୌଣସି ସୁତ୍ରରୁ ଖବର ପାଇବା ପରେ ଏସପି ଅମରେଶ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ପୁଲିସର ଏକ ସ୍ବତନ୍ତ୍ର ଟିମ ଗଠନ କରି ମୁମ୍ବାଇ ପଠାଯାଇଥିଲା। ମୁମ୍ବାଇରୁ ନାବାଳିକା ଅପହରଣ ଅଭିଯୋଗର ମୁଖ୍ୟ ଅଭିଯୁକ୍ତ ବିନୟ ବାଗ ଓ ନାବାଳିକା ଅପହରଣରେ ସହଯୋଗ କରିଥିବା ବୌଦ୍ଧ ଜିଲ୍ଲା ଅନ୍ତର୍ଗତ ମନମୁଣ୍ଡା ଥାନା ଅଧୀନସ୍ଥ ଦମାମୁଣ୍ଡା ଗାଁର ବିଶ୍ବଜିତ ହରିପାଲ (୪୨)କୁ ମୁମ୍ବାଇରୁ ପୁଲିସ ସ୍ଵତନ୍ତ୍ର ଟିମ ଗିରଫ କରି ଅପହୃତ ନାବାଳିକାକୁ ଉଦ୍ଧାର କରି ତରଭା ଥାନାକୁ ଆଣିଥିଲେ। ଉଭୟ ଗିରଫ ଅଭିଯୁକ୍ତକୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୁବ୍ରତ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ମୁମ୍ବାଇ ଯାଇଥିବା ଏହି ସ୍ବତନ୍ତ୍ର ଟିମ୍‌ରେ ସବଇନ୍ସପେକ୍ଟର ଯଜାତି କେଶରୀ ସାହୁ, କନେଷ୍ଟବଳ ବିମଲ ପଧାନ ଓ ଜ୍ୟୋସ୍ନା ପ୍ରଧାନ ପ୍ରମୁଖ ପୁଲିସ ଟିମ ସାମିଲ ଥିଲେ।