ନାବାଳିକା ଅପହରଣ ମାମଲା: ପୁଲିସ ମା​ଡ଼ରେ ଅପହର୍ତ୍ତାର ମାମୁ ଗୁରୁତର

ଧର୍ମଶାଳା : ଧର୍ମଶାଳା ଥାନା ସୁନ୍ଦୁରିଆ ପଞ୍ଚାୟତ ଷଣ୍ଢପୁର ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଅପହର୍ତ୍ତାର ୨ ମାମୁ ଅଭୟପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ବିପିନ ମଳିକ(୫୦) ଓ ପ୍ରକାଶ ମଲିକ(୪୫)ଙ୍କୁ ଗତ ୧୪ ତାରିଖରେ ଥାନାକୁ ଧରି ଆଣିଥିଲା। ଅଭିଯୁକ୍ତ ଭଣଜାକୁ ଧରି ଆଣିବାକୁ ପୁଲିସ୍‌ ସେମାନଙ୍କୁ କହିଥିଲା। ହେଲେ ଭଣଜା ସହିତ ସେମାନଙ୍କର କୌଣସି ସଂପର୍କ ନଥିବା ଏବଂ ଏହି ଘଟଣା ସଂପର୍କରେ କିଛି ଜାଣିନଥିବା କହିବାରୁ ପୁଲିସ୍‌ ସେମାନଙ୍କୁ କୁଆଡ଼େ ନିସ୍ତୁକ ପିଟିଥିଲା।

ପୁଲିସ୍‌ ମାଡ଼ରେ ବିପିନ ଅଚେତ ହୋଇ ଯାଇଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ତାଙ୍କ ପତ୍ନୀ ସବିତା କହିଛନ୍ତି। ଗତକାଲି ରାତିରେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବିପିନଙ୍କ ସାନଭାଇ ପ୍ରକାଶଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବା ଅଭିଯୋଗ ହୋଇଛି। ଡାକ୍ତରଖାନାରୁ ଫେରିଲେ ଧର୍ମଶାଳା ଥାନା ପୁଲିସ୍‌ ବିରୋଧରେ ସେ ଯାଜପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଆହତ ବିପିନଙ୍କ ପୁଅ ପବିତ୍ର ମଲିକ ସମ୍ବାଦକୁ ସୂଚନା ଦେଇଛନ୍ତି। ତେବେ ଏଭଳି ଘଟଣା ଘଟିନଥିବା ପୁଲିସ୍‌ ଗଣମାଧ୍ୟମକୁ କହିଛି।

ସମ୍ବନ୍ଧିତ ଖବର