ଗଞ୍ଜାମ : ଗଞ୍ଜାମ ବ୍ଲକ୍ ସୁବଳୟା ପଞ୍ଚାୟତର ସମତିସଭ୍ୟା ମମି ଦାସ ଓ ତାଙ୍କ ସ୍ବାମୀଙ୍କୁ ଗତ ୨ଦିନ ହେଲା ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ମମିଙ୍କ ମାଆ ଇନ୍ଦୁ ଦାସ(୭୦) ଏ ନେଇ ରମ୍ଭା ଥାନାରେ ଗଞ୍ଜାମ ବ୍ଲକ୍ ଅଧ୍ୟକ୍ଷଙ୍କ ନାଁରେ ଏତଲା ଦେଇଛନ୍ତି। ଏତଲାକୁ ଆଧାର କରି ପୁଲିସ କେସ୍ ନମ୍ବର ୫୮/୨୨ ରେ ଏକ ଅପହରଣ ମାମଲା ରୁଜୁ କରିଛି।

Advertisment

ସୂଚନା ଅନୁସାରେ, ସୁବଳୟା ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପଦବି ଅନୁସୂଚିତ ଜାତି ପାଇଁ ସଂରକ୍ଷତ ଥିଲା। ପରେ ପଞ୍ଚାୟତରେ ସର୍ବଦଳୀୟ ବୈଠକ ବସି ବାଦପଲ୍ଲୀ ଗ୍ରାମର ସୀମା ଦାସଙ୍କ ପତ୍ନୀ ମମିଙ୍କୁ ସମିତିସଭ୍ୟା ପ୍ରାର୍ଥୀ ଭାବେ ଚୟନ କରା ଯାଇଥିଲା। ପରେ ଆଉ କେହି ପ୍ରାର୍ଥିପତ୍ର ଦାଖଲ ନକରିବାରୁ ନିର୍ବାଚନ ଅଧିକାରୀ ମମିଙ୍କୁ ନିର୍ଦ୍ୱନ୍ଦ୍ବ ଘୋଷଣା କରିଥିଲେ। ପରେ ସମିତିସଭ୍ୟାଙ୍କୁ ହାତେଇବା ପାଇଁ ଉଭୟ ଶାସକ ବିଜେଡି ଓ ବିଜେପି ମଧ୍ୟରେ କସରତ ଆରମ୍ଭ ହୋଇ ଯାଇଥିଲା।ତେବେ ଗତ ଦୁଇ ଦିନ ହେଲା ମମି ଓ ତାଙ୍କ ସ୍ୱାମୀ ଘରେ ନଥିବା ଜଣାପଡ଼ିଥିଲା। ସେ କେଉଁଆଡ଼େ ଯାଇଛନ୍ତି ସେ ନେଇ ପରିବାର ଲୋକଙ୍କୁ ମଧ୍ୟ ଜଣାଇ ନଥିଲେ। ଏହାକୁ ସନ୍ଦେହ କରି ବିଜେଡିର କିଛି ସମର୍ଥକ ପୁଲିସକୁ ଖବର ଦେଇଥିଲେ। ପରେ ଆଜି ମମିଙ୍କ ମାଆ ଇନ୍ଦୁ ରମ୍ଭା ଥାନାରେ ବ୍ଲକ୍ ଅଧ୍ୟକ୍ଷଙ୍କ ନାମରେ ଏତଲା ଦାଖଲ କରିଥିଲେ।

ଅନ୍ୟପକ୍ଷରେ ଘଟଣା ସଂପର୍କରେ ବ୍ଲକ୍ ଅଧ୍ୟକ୍ଷ ପ୍ରଶାନ୍ତ ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। ଏବଂ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ଯୋଡ଼ା ଯାଉଥିବା କହିଥିଲେ। ଅନ୍ୟପଟେ ରମ୍ଭା ଥାନାଧିକାରୀ ଦିପ୍ତୀ ରଂଜନ ବେହେରାଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରାଯାଇ ଖୋର୍ଦ୍ଧା, ଭୁବନେଶ୍ୱର ଓ ଗଞ୍ଜାମ ଆଦି ସ୍ଥାନରେ ଚଢ଼ଉ ଜାରି ରହିଛି।