ସମିତି ସଭ୍ୟା ପ୍ରାର୍ଥିନୀଙ୍କୁ ଅପହରଣ: ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ, ଉତ୍ତେଜନା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଲଖନା ଥାନା ଅଞ୍ଚଳର ଜଣେ ସମିତି ସଭ୍ୟା ପ୍ରାର୍ଥିନୀଙ୍କୁ ଅପହରଣ କରିଥିବା ଆଭିଯୋଗ ହୋଇଛି। ଅପହୃତା ସମିତି ସଭ୍ୟା ପ୍ରାର୍ଥିନୀଙ୍କୁ ଉଦ୍ଧାର କରିବାକୁ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ସମିତି ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ ସଦର ଥାନାରେ ଅଡ଼ି ବସିଥିଲେ। ଏଠାରେ ବିଧାୟକ ଶ୍ରୀ ଢୋଲକିଆ ଓ ବିଜେପି ନେତା ପ୍ରସନ୍ନ ପାଢ଼ୀଙ୍କ ସମେତ ତାଙ୍କ ସମର୍ଥକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାକୁ ନେଇ ଥାନାରେ ଉେତ୍ତଜନା ଦେଖା ଦେଇଥିଲା।

ଅଭିଯୋଗମତେ, ଶୁକ୍ରବାର ସକାଳେ ଜଟଗଡ଼ ଗାଁର ଯୁବକ ଅନନ୍ତ ସାହୁ ଜଟଗଡ଼ ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥିନୀଙ୍କୁ ଏକ ଗାଡ଼ିରେ ନୂଆପଡ଼ା ସହରକୁ ମେଡିକାଲ ଚେକ୍ଅପ ପାଇଁ ଆଣୁଥିଲେ। ଏହି ସମୟରେ ଜାତୀୟ ରାଜପଥ ୩୫୩ ଘାଟିପଡ଼ା ନିକଟ ପଥପ୍ରାନ୍ତ କେନ୍ଦ୍ରଠାରେ ବରିଷ୍ଠ ବିଜେପି ନେତା ପ୍ରସନ୍ନ ପାଢ଼ୀ ଓ ତାଙ୍କ ସହଯୋଗୀମାନେ ୩ଟି ଚାରିଚକିଆ ଗାଡ଼ିରେ ଆସି ତାଙ୍କୁ ଅଟକାଇଥିଲେ। ସେଠାରେ ସମିତି ସଭ୍ୟା ପ୍ରାର୍ଥିନୀଙ୍କୁ ଜୋର ଜବରଦସ୍ତି ଗାଡ଼ିରୁ ଓହ୍ଲାଇ ଉଠାଇ ନେଇଥିଲେ। ଏନେଇ ଯୁବକ ଅନନ୍ତ ଖରିଆରରୋଡ ସହରରେ ପହ‌ଞ୍ଚି ବିଧାୟକ ଶ୍ରୀ ଢୋଲକିଆଙ୍କୁ ଜଣାଇଥିଲେ।

ବିଧାୟକ ଶ୍ରୀ ଢୋଲକିଆଙ୍କ ସହାୟତାରେ ଅନନ୍ତ ନୂଆପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଜେପି ନେତାମାନଙ୍କୁ ଗିରଫ କରିବା ସହ ଅପହୃତା ସମିତି ସଭ୍ୟା ପ୍ରାର୍ଥିନୀଙ୍କୁ ଉଦ୍ଧାର କରିବାକୁ ବିଧାୟକ ଶ୍ରୀ ଢୋଲକିଆ ଦାବି କରିଥିଲେ। ବିଧାୟକ ଶ୍ରୀ ଢୋଲକିଆଙ୍କୁ ପୁଲିସ ବହୁ ବୁଝାସୁଝା କରିଥିଲେ ବି ଅପହୃତା ଉଦ୍ଧାର ନହେବା ପର୍ଯ୍ୟନ୍ତ ଥାନାରୁ ଉଠିବେ ନାହିଁ ବୋଲି ଜିଦରେ ଅଟଳ ରହିଥିଲେ। ଏନେଇ ସଦର ପୁଲିସ ଏକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅପରାହ୍ଣରେ ବିଜେପି ନେତା ଶ୍ରୀ ପାଢ଼ୀଙ୍କୁ ପଚରା ଉଚୁରା ପାଇଁ ପୁଲିସ ଥାନାକୁ ଡାକିଥିଲା।

ସେଠାରେ ବିନା କାରଣରେ ତାଙ୍କ ନାଁରେ କିଏ ଅଭିଯୋଗ କରିଛନ୍ତି ବୋଲି ବିଜେପି ନେତା ଶ୍ରୀ ପାଢ଼ୀ କହିଥିଲେ। ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଶ୍ରୀ ପାଢ଼ୀ ନିଜ ପକ୍ଷ ରଖିଥିଲେ। ସେଠି ବିଜେପି ନେତା ଶ୍ରୀ ପାଢ଼ୀ ଓ ବିଧାୟକ ଶ୍ରୀ ଢୋଲକିଆଙ୍କ ମଧ୍ୟରେ ତୁତୁମେମେ ହୋଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ତ ବି ହୋଇଥିଲା। ପରେ ପୁଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିଥିଲା। ଶେଷରେ ଅପହୃତା ପ୍ରାର୍ଥିନୀଙ୍କୁ ଥାନାକୁ ଡାକି ଅଧିକ ପଚରା ଉଚୁରା କରି ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଉଭୟ ପକ୍ଷ ଥାନାରୁ ଚାଲି ଯାଇଥିଲେ। ସନ୍ଧ୍ୟାରେ ସଦର ଥାନାରୁ ଲଖନା ଥାନାକୁ ମାମଲା ହସ୍ତାନ୍ତର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର