ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଧୀନ ଡିମିରିଗୁଡ଼ା ଅଂଚଳର ଦୁଇଜଣ ନାବାଳିକାଙ୍କୁ ଫିରିଙ୍ଗିଆ ବଜାରରୁ ଅପହରଣ କରି ନେବା ପରେ ସେମାନଙ୍କ ସହ ଦୁଷ୍କର୍ମ ଘଟଣାରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ଖଜୁରୀପଡ଼ା ଥାନା ଦାତପାଜୁ ଗାଁର ଜ୍ୟୋତିଷରଞ୍ଜନ ଡିଗଲ। ଏହି ଘଟଣାରେ ବ୍ୟବହୃତ ହୋଇଥିବା କାର୍ର ମାଲିକ ହେଉଛନ୍ତି ଅଭିଯୁକ୍ତ ଜ୍ୟୋତିଷରଞ୍ଜନ। ଅନ୍ୟପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଆକାଶ ଡିଗଲ ଓ କାଳିଆ ଡିଗଲ ବର୍ତ୍ତମାନ ସୁଦ୍ଧା ଫେରାର ଥିବା ପୁଲିସ କହିଛି I ଫେରାର ଅଭିଯୁକ୍ତ ଦ୍ବୟ ପେସାଦାର ଅପରାଧୀ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଉଭୟଙ୍କ ନାମରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଥାନାରେ ଅନେକ ଅପରାଧ ମାମଲା ମଧ୍ୟ୍ୟ ଥିବା ଜଣାପଡ଼ିଛି I
ସୂଚନା ଅନୁସାରେ, ଗତ ମଙ୍ଗଳବାର ଦିନ ଡିମିରିଗୁଡା ଅଂଚଳର ନବମ ଶ୍ରେଣୀରେ ପଢ଼ୁଥିବା ଦୁଇଜଣ ନାବାଳିକା ଫିରିଙ୍ଗିଆ ସପ୍ତାହିକ ହାଟକୁ ନିଜର ପଢ଼ାବହି କିଣିବାକୁ ଆସିଥିଲେ। ଖଜୁରୀପଡ଼ା ଥାନା ଗୁଦାରୀ ଅଂଚଳର ଦୁଇଜଣ ଯୁବକ ସେମାନଙ୍କୁ କୌଶଳ କ୍ରମେ ଅପହରଣ କରି ନେଇ ଏକ ବନ୍ଦ କୋଠରୀରେ ଦୁଷ୍କର୍ମ କରିଥିଲେ। ପରେ ଅଭିଯୁକ୍ତ ଗାଡ଼ି ମାଲିକ ଜ୍ୟୋତିଷରଞ୍ଜନଙ୍କୁ କାର୍ରେ ପୀଡ଼ିତା ନାବାଳିକାଙ୍କୁ ତାଙ୍କ ନିଜ ଘରେ ଛାଡ଼ିଦେବା ପାଇଁ କହିଥିଲେ। ଜ୍ୟୋତିଷରଞ୍ଜନ ଅଭିଯୁକ୍ତଙ୍କ କଥା ମାନି ନିଜ କାର୍ରେ ନାବାଳିକାଙ୍କୁ ଛାଡ଼ିବା ପାଇଁ ଆସିଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଥିଲେ। ପରେ ଗ୍ରାମବାସୀ ଓ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏନେଇ ଏତଲା ଦିଆଯାଇଥିଲା। ପୁଲିସ ଏହି ଘଟଣାରେ କାର୍କୁ ଜବତ କରିବା ସହ ଦୁଇଜଣ ଯୁବକଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଜ୍ୟୋତିଷରଞ୍ଜନଙ୍କୁ ଗିରଫ କରି ପକ୍ସୋ ଆକ୍ଟ ଅନୁସାରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ତପନ କୁମାର ନାହାକ ସୂଚନା ଦେଇଛନ୍ତି I ଅନ୍ୟପଟେ ଘଟଣାର ମୁଖ୍ୟ ଅଭିଯୁକ୍ତ ଆକାଶ ଓ କାଳିଆଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।