ଦୁର୍ଘଟଣାକୁ କେନ୍ଦ୍ରକରି କଟକରୁ ଯୁବକଙ୍କୁ ଅପହରଣ: ଢେଙ୍କାନାଳରୁ ଉଦ୍ଧାର, ୨ ଗିରଫ

ଢେଙ୍କାନାଳ: କଟକ ମର୍କତନଗର ଥାନା ବାଲିକୁଦା ରାସ୍ତାର ବେଲ୍‌ଭିଉ ଛକରେ ଏକ ଇନୋଭା ପଛରେ ଜଣେ ବାଇକ୍ ଆରୋହୀ ପିଟି ହୋଇଯାଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଉଚ୍ଚବାଚ ପରେ ଇନୋଭା ମାଲିକ ବାଇକ୍ ଆରୋହୀ ଯୁବକଙ୍କୁ ମାଡ଼ମାରି ନିଜ ଗାଡ଼ିରେ ଅପହରଣ କରି ଆଣିଥିଲେ। ଖବରପାଇ ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ପୁଲିସ ମଙ୍ଗଳପୁରସ୍ଥିତ ଏକ ପେଟ୍ରୋଲ୍ ପମ୍ପରୁ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିବା ବେଳେ ଅପହରଣକାରୀ ଗାଡ଼ି ମାଲିକ ଏବଂ ତାଙ୍କ ଡ୍ରାଇଭର୍‌ଙ୍କୁ କଟକ ପୁଲିସକୁ ହସ୍ତାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଦୋଳେଶ୍ୱର ନାୟକ କଟକର ଏକ କଂପାନିରେ କାମ କରନ୍ତି। ୧୧ ତାରିଖ ବିଳମ୍ବିତ ରାତିରେ ସେ କାମରୁ ଫେରି ନିଜ ବୁଲେଟ୍‌ରେ ଘରକୁ ଫେରୁଥିଲେ। ସେହି ସମୟରେ ଢେଙ୍କାନାଳ ସଦର ଥାନା ମଙ୍ଗଳପୁର ଗ୍ରାମର ଶକ୍ତିପ୍ରସାଦ ଓ ଡ୍ରାଇଭର୍ ସାରିଅଁ ଗ୍ରାମର ନରେଶ ନାୟକ ତାଙ୍କ ଇନୋଭା (ଓଡି-୦୨ସିଏମ-୯୮୯୯)ରେ କଟକରୁ ଢେଙ୍କାନାଳ ଫେରୁଥିଲେ। ବାଲିକୁଦା ରାସ୍ତାର ବେଲଭିଉ ଛକସ୍ଥିତ ଏକ ହମ୍ପ୍‌ସଠାରେ ତାଙ୍କ ଇନୋଭାଟି ହଠାତ୍ ବ୍ରେକ୍‌ ଦେବାରୁ ସେହି ଗାଡ଼ି ପଛେ ପଛେ ଆସୁଥିବା ବୁଲେଟ୍‌ ଆରୋହୀ ଦୋଳେଶ୍ୱର ସେଥିରେ ପିଟି ହୋଇଯାଇଥିଲେ। ସେ ପିନ୍ଧିଥିବା ହେଲ୍‌ମେଟ୍ କାର୍‌ ପଛ କାଚରେ ବାଡ଼େଇ ହେବାରୁ ତାହା  ଭାଙ୍ଗିଯାଇଥିଲା।

ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏଥିରେ ଶକ୍ତିପ୍ରସାଦ ଉତ୍‌କ୍ଷିପ୍ତ ହୋଇ ଦୋଳେଶ୍ୱର ପିନ୍ଧିଥିବା ହେଲ୍‌ମେଟ୍‌ରେ ତାଙ୍କ ମୁଣ୍ଡକୁ ବାଡ଼େଇଦେବାରୁ ସେ ଆହତ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସେହି ଇନୋଭାରେ ଶକ୍ତିପ୍ରସାଦ ଏବଂ ତାଙ୍କ ଡ୍ରାଇଭର୍‌ ନରେଶ ଅପହରଣ କରି ଆଣି ମଙ୍ଗଳପୁରସ୍ଥିତ ଏକ ପେଟ୍ରୋଲ୍‌ ପମ୍ପ୍‌ଠାରେ ରଖିଥିଲେ। ଦୋଳେଶ୍ୱର ପାଖରେ ରଖିଥିବା ଅନ୍ୟଏକ ମୋବାଇଲ୍‌ରୁ ତାଙ୍କ ସାଙ୍ଗକୁ ଲାଇଭ୍‌ ଲୋକେସନ୍‌ ପଠାଇଥିଲେ। ତାଙ୍କ ସାଙ୍ଗ ମର୍କତନଗର ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ସେଠାକାର ପୁଲିସ, ଢେଙ୍କାନାଳ ପୁଲିସକୁ ଖବର ଦେବା ପରେ ଭାପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରକାନ୍ତ ସେଠୀ ସଂପୃକ୍ତ ଲାଇଭ୍‌ଲୋକସନ୍‌ ଆଧାରରେ ସଦର ଥାନା ମଙ୍ଗଳପୁର ପେଟ୍ରୋଲ୍‌ ପମ୍ପରୁ ଦୋଳେଶ୍ୱରଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ। ଅପରାହରଣକାରୀ ଗାଡ଼ି ମାଲିକ ଶକ୍ତିପ୍ରସାଦ ଏବଂ ତାଙ୍କ ଡ୍ରାଇଭର୍‌ ନରେଶଙ୍କୁ ପୁଲିସ ଅଟକ ରଖି କଟକ ମର୍କତନଗର ଥାନା ପୁଲିସକୁ ହସ୍ତାନ୍ତର କରିଥିବା ଭାପୁର ଫାଣ୍ଡି ଅଧିକାରୀ ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର