ବନ୍ଧୁକ ମୁନରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅପହରଣ

୨ ଗିରଫ, ଖସିଗଲା ଜଣେ: କାଳ ହେଲା ଦୁର୍ଘଟଣା, ଉଦ୍ଧାର କଲେ ସ୍ଥାନୀୟ ଲୋକେ

ତେଲକୋଇ : ବନ୍ଧୁକ ଦେଖାଇ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅପହରଣ! ଶିକ୍ଷକ ଯେଉଁ କାର୍‌ରେ ଆସୁଥିଲେ, ସେହି ଗାଡ଼ି ସହିତ ତାଙ୍କୁ ଅପହରଣ କରିନେଇଥିଲେ। ସୌଭାଗ୍ୟବଶତଃ, ସେହି ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ, ସ୍ଥାନୀୟ ଲୋକେ ପିଛା କରି ଅପହୃତ ଶିକ୍ଷକଙ୍କୁ ଉଦ୍ଧାର କରିବା ସହ ଦୁଇ ଦୁର୍ବୃତ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟଜଣେ ଅଭିଯୁକ୍ତ ଖସିଯାଇଥିବା ଜଣାପଡ଼ିଛି।

ଅବସରପ୍ରାପ୍ତ ଶିକ୍ଷକ ହେଉଛନ୍ତି, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କମଳାଙ୍ଗ ଗ୍ରାମର ରବୀନ୍ଦ୍ର କୁମାର ସାହୁ (୬୧)। ଶ୍ରୀ ସାହୁ ନିଜ କାର୍‌ (ଓଡି-୦୨-ବିବି-୫୪୬୭) ଯୋଗେ ଏକୁଟିଆ ଝାରସୁଗୁଡ଼ାରେ ରହୁଥିବା ପୁଅଘରୁ ନିଜ ଗାଁକୁ ଫେରୁଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାବେଳେ ଦେବଗଡ଼ ଜିଲ୍ଲା ବାରକୋଟ୍‌ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥ କଲା ଟୋଲ୍‌ଗେଟ୍ ନିକଟରେ ଗାଡ଼ି ରଖି ପରିସ୍ରା କରୁଥିଲେ। ଏହି ସମୟରେ ଏକ ବାଇକ୍‌ରେ ତିନିଜଣ ଯୁବକ ପହଞ୍ଚି ଶ୍ରୀ ସାହୁଙ୍କୁ ପିସ୍ତଲ ଓ ଭୁଜାଲି ଦେଖାଇ କାର୍‌ ପଛ ସିଟ୍‌ରେ ବସାଇ ଥିଲେ। ତାଙ୍କଠାରୁ ମୋବାଇଲ, ମନିପର୍ସ ଓ ଏଟିଏମ୍ କାର୍ଡ ଛଡ଼ାଇ ନେଇଥିଲେ। ‘ପଇସା କେତେ ଅଛି, ଶୀଘ୍ର ଦିଅ’ କହି ପିସ୍ତଲରେ ମୁଣ୍ଡର ପଛଭାଗକୁ ପିଟି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ‘ ପୁଅକୁ କହି ଆକାଉଣ୍ଟରେ ଟଙ୍କା ଜମା କର ନଚେତ୍ ଜୀବନରେ ମାରିଦେବୁ,’ ବୋଲି ଧମକ ଦେଇଥିଲେ। ଶ୍ରୀ ସାହୁଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର୍‌ରେ ଦ୍ରୁତଗତିରେ ପାଲଲହଡ଼ା ଆଡ଼କୁ ନେଇ ଯାଇଥିଲେ। ପଛରେ ବାଇକ୍‌ରେ ଜଣେ ଲୁଟେରା ଆସୁଥିଲା। ଉକ୍ତ କାର୍‌ଟି ପାଲଲହଡ଼ାଠାରେ ଏକ ବାଇକ୍ ଆରୋହୀକୁ ଧକ୍କା ଦେବାପରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଗମୋହନପୁର ଆଡ଼କୁ ଆସୁଥିଲା।

ବାଇକ୍ ଆରୋହୀ ଓ ସ୍ଥାନୀୟ ଲୋକେ ବିଞ୍ଝବାହାଳ ଅଞ୍ଚଳର ସମ୍ପର୍କୀୟଙ୍କୁ ଫୋନ୍‌ରେ ଘଟଣା ସମ୍ପର୍କରେ ଅବଗତ କରିବା ସହ କାର୍‌ର ପିଛା କରିଥିଲେ। କାର୍‌ଟି ଦ୍ରୁତଗତିରେ ପଳାଉଥିବା ବେଳେ ଆଗଚକ ପଙ୍କ୍‌ଚର୍‌ ହୋଇଯାଇଥିଲା। ୪୯ ନମ୍ବର ଜାତୀୟ ରାଜପଥ ନୂଆଡିହ ପୋଖରୀ ନିକଟ ରାସ୍ତାଠାରୁ କିଛିଦୂରରେ ଗାଡ଼ି ରଖି ଷ୍ଟେପିନ ଲଗାଇ ଶ୍ରୀ ସାହୁଙ୍କୁ ଗୁଳି କରି କାର୍‌ ଲୁଟ୍ କରିବାକୁ ଉଦ୍ୟମ କରୁଥିବା ସମୟରେ ପିଛା କରୁଥିବା ଆହତ ବାଇକ୍ ଆରୋହୀ ଓ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଯାଇଥିଲେ।

ଦୁର୍ବୃତ୍ତମାନେ ଦୌଡ଼ି ପଳାଉଥିବା ବେଳେ ଲୋକେ ସେମାନଙ୍କୁ କାବୁ କରି ନିସ୍ତୁକ ପିଟିଥିଲେ। ତେଲକୋଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ତାଳଚେର ସଦର ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମର ଅରୁଣ ନାଏକଙ୍କ ପୁଅ ଆଶିଷ ନାଏକ (୧୯) ଓ ଗୋପାଳୀ ସାହୁଙ୍କ ପୁଅ ବିଶ୍ବଜିତ ସାହୁ (୨୫)। ଅନ୍ୟତମ ଅଭିଯୁକ୍ତ କାଣ୍ଡୁ ଓରଫ ଚାଲେନ ବାନାରା (୨୧) ଫେରାର ହୋଇଛି। ପୁଲିସ କାର୍‌ ଓ ଭୁଜାଲି ଜବତ କରିଛି। ବନ୍ଧୁକଟିକୁ ଦୁର୍ବୃତ୍ତମାନେ ଜଙ୍ଗଲରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର