ଓଡ଼ିଶାରେ ଅପହରଣକାରୀ ଶିକ୍ଷକ, ୫ ରାଜ୍ୟରେ କରିଛି କାରନାମା

ଯୁକ୍ତ୨ କଲେଜ ଅଧ୍ୟକ୍ଷଙ୍କୁ ସତର୍କ କରାଗଲା

ଭୁବନେଶ୍ବର: ଓଡ଼ିଶାରେ ଲୁଚିଛି ଅପହରଣକାରୀ ଶିକ୍ଷକ। ନାଁ ତାହାର ଧବଲ ଏଚ୍‌. ତ୍ରିବେଦୀ। ଅରୁଣାଞ୍ଚଳ ପ୍ରଦେଶ, ପଞ୍ଜାବ, ହରିଆଣା, ହିମାଞ୍ଚଳ ପ୍ରଦେଶ, ଗୁଜୁରାଟ ପ୍ରଭୃତି ରାଜ୍ୟରେ ଏହି ଶିକ୍ଷକ ଜଣକ ନିଜର କାରନାମା ଦେଖାଇବା ପରେ ଏବେ ଓଡ଼ିଶାକୁ ଆସିଥିବା ଜଣାପଡ଼ିଛି। ସିବିଆଇ ମୁମ୍ବାଇର ସ୍ବତନ୍ତ୍ର ଅପରାଧ ଶାଖା ପକ୍ଷରୁ ଗତ ଡିସେମ୍ବର ମାସରେ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ପକ୍ଷରୁ ଏହା ଅଧୀନରେ ଥିବା ସମସ୍ତ ନିର୍ଦେଶାଳୟକୁ ସତର୍କ କରାଯାଇଥିଲା। ଏହି ଶିକ୍ଷକ ଜଣକ ସ୍କୁଲସ୍ତରରେ ପିଲାଙ୍କୁ ପଢ଼ାଉଥିବା ପ୍ରଥମେ ଅନୁମାନ କରାଯାଇଥିଲା। ତେବେ ଏବେ ଜଣାପଡ଼ିଛି ଯେ ଶିକ୍ଷକ ଜଣକ କୌଣସି କୋଚିଂ ସେଣ୍ଟର କିମ୍ବା ଘରୋଇ ଯୁକ୍ତ୨ କଲେଜରେ ଛାତ୍ରଛାତ୍ରୀଙ୍କୁ ପଢ଼ାଉଛି। ଅଭିଯୁକ୍ତ ଜଣକ ଓଡ଼ିଶାରେ ନିଜର ନାଁ ବଦଳାଇ ଦେଇଛି।

ଏଭଳି ଆଶଙ୍କା କରି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ନିର୍ଦେଶାଳୟ ଅଧୀନରେ ଥିବା ୧୬୦୦ରୁ ଅଧିକ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୁକ୍ତ ଶିକ୍ଷକ ଶ୍ରୀ ତ୍ରିବେଦୀଙ୍କ ଫଟୋ ପଠାଯାଇଛି। ଏଥିସହ ଗୁଜୁରାଟରୁ ଅପହରଣ କରିଥିବା ବାଳିକାଙ୍କ ଫଟୋ ସହ ସମସ୍ତ ତଥ୍ୟ ଏଥିରେ ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା‌ ପରିଷଦ ଦ୍ବାରା ସହବନ୍ଧିତ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି। ଯୁକ୍ତ୨ କଲେଜରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକଙ୍କ ନିକଟରେ ଅଭିଯୁକ୍ତଙ୍କ ଫଟୋ ପହଞ୍ଚାଇବାକୁ ବି କୁହାଯାଇଛି। ଯଦି କୌଣସି ସ୍ଥାନରେ ଏହି ଅଭିଯୁକ୍ତକୁ ଦେଖିବାକୁ ମିଳେ ସଙ୍ଗେ ସଙ୍ଗେ ନିକଟସ୍ଥ ଥାନା ନ ହେଲେ ସିବିଆଇ, ମୁମ୍ବାଇ ଠିକଣାରେ ଯୋଗାଯୋଗ କରିବାକୁ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦିଆଯାଇଛି।

ସିବିଆଇ ମୁମ୍ବାଇର ସ୍ବତନ୍ତ୍ର ଅପରାଧ ଶାଖାର ତଥ୍ୟ ଅନୁଯାୟୀ ଏହି ଅଭିଯୁକ୍ତ ଜଣକ ୨୦୧୦ରୁ ୨୦୧୧ ଜାନୁଆରି ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶର ଏକ ସ୍କୁଲରେ କାର୍ଯ୍ୟ କରିଥିଲା। ସେଠାରେ ଦୁଇ ଜଣ ମହିଳାଙ୍କ ସହ ପଳାୟନ କରିଥିଲା। ଏହାପରେ ୨୦୧୨ ଜୁଲାଇରୁ ୨୦୧୪ ଅଗଷ୍ଟ ମାସ ମଧ୍ୟରେ ପଞ୍ଜାବ, ହରିଆନା, ହିମାଞ୍ଚଳ ପ୍ରଦେଶର ବିଭିନ୍ନ ସ୍କୁଲରେ ଚାକିରି କରିବା ପାଇଁ ଆବେଦନ କରିଥିଲେ। କିଛି ସ୍କୁଲରେ ଚାକିରି ମଧ୍ୟ କରିଥିଲା। ୨୦୧୩-୧୪ରେ ଦୁଇ ଜଣ ନାବାଳିକାଙ୍କୁ ବି ଅପହରଣ କରିଥିଲା। ହରିଆନାର ପଞ୍ଚକୁଲ୍ଲାରେ ନକଲି ଭୋଟର ପରିଚୟପତ୍ର, ରାସନ୍‌ କାର୍ଡ ପ୍ରସ୍ତୁତ କରି ରହିଥିଲେ। ପରବର୍ତୀ ସମୟରେ ୨୦୧୮ ନଭେମ୍ବର ୮ରେ ଗୁଜୁରାଟର ବାଳିକାଙ୍କୁ ଅପହରଣ କରି ନେଇଥିବା ତାଙ୍କ ବାପା ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର