କାଲିମେଳା: ଶନିବାର ବିଳମ୍ବିତ ରାତିରେ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇଙ୍କୁ ଅପହରଣ କରାଯାଇଛି। ସରକାରୀ କ୍ବାର୍ଟର୍ସରୁ ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଆଜି ସକାଳେ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଘଟଣାର ପୃଥକ ଭାବେ ତଦନ୍ତ ଚାଲିଛି। କେଉଁ କାରଣରୁ ଜଣେ ଡାକ୍ତରଙ୍କୁ ଅପହରଣ କରାଗଲା ସ୍ପଷ୍ଟ ହୋଇପାରିନି। ପୁଲିସ ଆଦୌ ମୁହଁ ଖୋଲୁନଥିବା କାରଣରୁ ସନ୍ଦେହ ବଢ଼ିବାରେ ଲାଗିଛି।

Advertisment

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା କ୍ବାର୍ଟର୍ସରେ ଅନ୍ୟ ଦୁଇ ଜଣ ଡାକ୍ତରଙ୍କ ସହ ଡାକ୍ତର ଅମ୍ଳାନ ରହୁଥିଲେ। ଗତକାଲି ବିଳମ୍ବିତ ରାତିରୁ ତାଙ୍କ ପତ୍ତା ମିଳୁନି। ଆଜି ସକାଳୁ କ୍ବାର୍ଟର୍ସ ନିକଟରୁ ସିପିଆଇ ମାଓବାଦୀ ଉଲ୍ଲେଖ ଥିବା ଗୋଟିଏ ଚିଠି ମିଳିଥିଲା। ସେଥିରୁ ମାଓବାଦୀ ଅପହରଣ କରିଥିବା ଅନୁମାନ କରାଯାଉଛି। ୪ମାସ ତଳେ ଡାକ୍ତର ଭୋଇ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହ ତାଙ୍କର ସଂପର୍କ ଭଲ ଥିଲା। ସମସ୍ତଙ୍କ ସହ ମିଳାମିଶା କରୁଥିଲେ। ତେଣୁ ତାଙ୍କୁ ଅପହରଣ କରିବା କଥାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। କ୍ବାର୍ଟର୍ସରେ ରହୁଥିବା ଅନ୍ୟ ଦୁଇ ଡାକ୍ତରଙ୍କୁ ପୁଲିସ ପଚରାଉଚୁରା କରିଥିଲେ ସୁଦ୍ଧା କୌଣସି ସୁରାକ ମିଳିନି।

ବିଶ୍ବସ୍ତ ସୂତ୍ର ଅନୁସାରେ, ଶୁକ୍ରବାର ଦିନ ଛତିଶଗଡ଼ ଦରନାପାଲ ଅଞ୍ଚଳର ଜଣେ ମହିଳାଙ୍କ ଶବ ବ୍ୟବଚ୍ଛେଦକୁ କେନ୍ଦ୍ରକରି କିଛି ଲୋକଙ୍କ ସହ ଡାକ୍ତର ଭୋଇଙ୍କ କାଳେ ପାଟିତୁଣ୍ଡ ହୋଇଥିଲା। ମହିଳାଙ୍କ ସଂପର୍କୀୟ ବ୍ୟବେଚ୍ଛଦ ନ କରିବାକୁ ଜିଦ୍‌ କରିଥିଲା ବେଳେ ଡାକ୍ତର ଭୋଇ ସେମାନଙ୍କ କଥା ଆଦୌ ଶୁଣିନଥିଲେ। ତେଣୁ ଡାକ୍ତରଙ୍କ ଅପହରଣ ପଛରେ ଏମାନଙ୍କ ସଂପୃକ୍ତି ଥାଇପାରେ ବୋଲି ଆଶଙ୍କା କରାଯାଉଛି। ପୁଲିସ ତଦନ୍ତ ସମୟରେ କ୍ବାର୍ଟର୍ସ ଭିତରେ ଡାକ୍ତରଙ୍କ ମୋବାଇଲ ଏବଂ ବାହାରେ ବାଇକ୍‌ ଦେଖିବାକୁ ପାଇଥିଲା।

ଘର ବାହାରୁ ମିଳିଥିବା ଚିଠିକୁ ପୁଲିସ ଜବତ କରି ତଦନ୍ତ ଜାରି ରଖିଛି। ନିଜେ ଏସ୍‌ପି ନୀତୀଶ ୱାଧୱାନୀ କାଲିମେଳା ପହଞ୍ଚି ତଥ୍ୟ ସଂଗ୍ରହ କରିଥିଲେ। ଏସ୍‌ଡିପିଓ ସଚିନ ପଟେଲଙ୍କ ନେତୃତ୍ବରେ ପୁଲିସ ତଦନ୍ତ କରୁଛି। ଡାକ୍ତରଖାନା କର୍ମଚାରୀ, କ୍ବାର୍ଟର୍ସରେ ରହୁଥିବା ସହକର୍ମୀ ଏବଂ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରାଯାଇଛି। ଆଖପାଖ ଅଞ୍ଚଳର ସିସି କ୍ୟାମେରା ଫୁଟେଜ୍‌ ସଂଗ୍ରହ କରି ପୁଲିସ ଯାଞ୍ଚ କରୁଛି। ସିଡିଏମ୍‌ଓଙ୍କ ନିର୍ଦ୍ଦେଶରେ ଏଡିଏମ୍‌ଓ ଡାକ୍ତର ଅାବିଦ ହୁସେନ ଖାନ ମଧ୍ୟ ଆଜି ସକାଳେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ତଦନ୍ତ କରିଛନ୍ତି। ଡାକ୍ତର ଅମ୍ଳାନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବାସିନ୍ଦା। ପୁଲିସ ଠାରୁ ସୂଚନା ପାଇ ତାଙ୍କ ପରିବାର କାଲିମେଳା ଆସୁଥିବା ସୂଚନା ମିଳିଛି। ଏ ନେଇ ଏସ୍‌ଡିପିଓ ସଚିନ ପଟେଲଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ଅନୁସନ୍ଧାନ ଚାଲିଛି। ତଦନ୍ତ ଶେଷ ହେବାପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ସେ କହିଛନ୍ତି।