କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ ରାଁସୋଳ ପଞ୍ଚାୟତରେ କିଡ୍‌ନି ରୋଗ ଓ କର୍କଟକୁ ନେଇ ଆତଙ୍କ ଲାହି ରହିଛି। ରୋଗ ଦାଉରୁ ଗତ ୩ ଦିନ ମଧ୍ୟରେ ଏହି ପଞ୍ଚାୟତରେ ଜଣେ ନାବାଳକ, ୨ ଜଣ ଯୁବକ ଓ ଜଣେ ମଧ୍ୟମ ବୟସ୍କା ମହିଳାଙ୍କୁ ମିଶାଇ ୮ ଟି ମୁଣ୍ଡ ଗଲାଣି। ଗତ ୪ ତାରିଖରେ କଲରଙ୍ଗି ଝୁମ୍ପୁରିସାହିର ଜଗା ହେସାଙ୍କ ପୁଅ ଦଶମ ଶ୍ରେଣୀ ଛାତ୍ର ହରିହରଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ସେ ଜଣ୍ଡିସ ଓ ରକ୍ତହୀନତା ରୋଗର ଶିକାର ହୋଇଥିଲେ। ଗତ ୩ ତାରିଖରେ ବରଗଜୀ ଗାଁର ୨ କିଡ୍‌ନି ରୋଗାକ୍ରାନ୍ତ ଯୁବକ ରାଇସିଂ ଗୁଇଆଙ୍କ ପୁଅ ସୁରେଶ(୨୩) ଓ ବିଧବା ମହିଳା ଫୁଲମଣି ସର୍ଦ୍ଦାର(୫୦)ଙ୍କର ମୃତ୍ୟୁ ହୋଇଥିଲା।

Advertisment

ସେଦିନ କଲରଙ୍ଗି କୁମାରଡ଼ି ଗାଁର ରବି ମହାନ୍ତଙ୍କ ପତ୍ନୀ କର୍କଟ ଆକ୍ରାନ୍ତ ଲଳିତା(୪୦) ଓ କଲରଙ୍ଗି ସିଟିହଟିଂର ଦୀନବନ୍ଧୁ ମୁଣ୍ଡାଙ୍କ ପୁଅ ମଙ୍ଗୁଳୁ(୩୫) ଓ କାକୁଡ଼ିଆ ଗାଁର ନାବାଳିକା ପୁଷ୍ପାଞ୍ଜଳି ମୁଣ୍ଡା(୧୪)ଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ସେହି ୪ ତାରିଖରେ କଲରଙ୍ଗି ଗାଁର ଟ୍ରକ୍‌ ମାଲିକ ଲକ୍ଷ୍ମୀଧର ମହାନ୍ତ(୫୯)ଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିଲା। ଏହାର ୨ ଦିନ ପୂର୍ବରୁ କୁସୁମୁଣ୍ଡିଆ ଗାଁର ପକ୍ଷାଘାତ ରୋଗୀ ବୃଦ୍ଧ ସନିଆଁ ଦେହୁରୀଙ୍କର ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରୁ ସୁରେଶ ଓ ଫୁଲମଣି କିଡ୍‌ନି ରୋଗରେ ଏବଂ ଲଳିତା କର୍କଟରେ ମରିଥିବା କହନ୍ତି ସରପଞ୍ଚ କନକଲତା ସର୍ଦ୍ଦାର। ମଙ୍ଗୁଳୁ, ଳକ୍ଷ୍ମୀଧର ଓ ସନିଆଁଙ୍କ ମୃତ୍ୟୁକୁ ନେଇ ସ୍ପଷ୍ଟ ସୂଚନା ମିଳୁନଥିଲେ ମଧ୍ୟ ସେମାନେ କିଡ୍‌ନି ରୋଗାକ୍ରାନ୍ତ ଥିବା ସନ୍ଦେହ ପ୍ରକ‌ାଶ ପାଇଛି। ଏ ସଂପର୍କରେ ସରପଞ୍ଚ ଶ୍ରୀମତୀ ସର୍ଦ୍ଦାରଙ୍କୁ ଯୋଗାଯୋଗ କରିବାରେ ସେ ଅସହାୟତା ପ୍ରକାଶ କରିଥିଲେ। ଏହାର ମୁକାବିଲା ଦିଗରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଦାବି ହୋଇଛି।