ସାଂଘାତିକ ସ୍ଥିତିରେ କିଡ୍‌ନି ରୋଗ : କେବଳ ଏସ୍‌ସିବିରେ ବର୍ଷକୁ ଯାଉଛି ୪ଶହ ଜୀବନ

୮ବର୍ଷରେ ୧୪ ହଜାର ୭୬ରୋଗୀଙ୍କର ହୋଇଛି ଡାଏଲିସିସ୍‌

କଟକ : ରାଜ୍ୟରେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି କିଡ଼୍‌ନି ରୋଗ। ଯଦି କେବଳ ଏସ୍‌ସିବିରେ ଚିକିତ୍ସିତ ରୋଗୀଙ୍କ ସଂଖ୍ୟା ଦେଖାଯାଏ ତେବେ ଦିନକୁ ଅତି କମ୍‌ରେ ଜଣେ ରୋଗୀ ଓ ବର୍ଷକୁ ୩୬୫ରୁ ୪ଶହ ରୋଗୀ କିଡ୍‌ନି ରୋଗରେ ପ୍ରାଣ ହରାଉଛନ୍ତି। ୨୦୧୧ରେ ୨୧୯୫ ଜଣ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୧୪ହଜାର ୦୭୬ରେ ପହଂଚିଛି। ଅର୍ଥାତ୍‌ ୮ବର୍ଷରେ ଚିହ୍ନଟ ହୋଇଛନ୍ତି ନୂଆ ୧୧ହଜାର ୮୮୧ କିଡ୍‌ନି ରୋଗୀ। ଅର୍ଥାତ୍‌ ବର୍ଷକୁ ୧୪୮୫ଜଣ ରୋଗୀ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଏସସିବିରେ ଡାଏଲିସିସ୍‌ କରୁଥିବା ତଥ୍ୟରୁ ଜଣାପଡିଛି। ସେହିପରି କ୍ରୋନିକାଲ କିଡନି ରୋଗରେ ୧୦ହଜାର ୧୫୪ଜଣ ରୋଗୀ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଏସ୍‌ସିବିରେ। ଅନ୍ୟପଟେ ଓଡ଼ିଶାରେ ପ୍ରାୟ ୨ଲକ୍ଷ ୧୦ହଜାର ରୋଗୀ କିଡ୍‌ନି ଆକ୍ରାନ୍ତ ହୋଇଥିବା ଏକ ତଥ୍ୟରୁ ଜଣାପଡିଛି।

କିଡ୍‌ନି ରୋଗରେ ଦିନକୁ ଦିନ ଏଭଳି ମାରାତ୍ମକ ରୂପ ନେଉଛି। ଯୁବକ ଓ ପ୍ରୌଢ଼ମାନେ ଅନେକାଂଶରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଏହାର କାରଣ ଖୋଜି ବାହାରା କରିବା ବର୍ତ୍ତମାନ ପାଇଁ ଏକ ଆହ୍ବାନ ହୋଇଛି। ରୋଗ ପ୍ରାୟ ଶେଷ ପର୍ଯ୍ୟାୟରେ ଆସିବା ସମୟରେ ହିଁ ରୋଗୀକୁ କିଡ୍‌ନି ରୋଗ ହୋଇଥିବା ଜଣାପଡୁଛି। ଏପରି ସ୍ଥିତି ଆସୁଛି ଯେ, ରୋଗ ନିରୂପଣ ହେବାବେଳକୁ ଏହା ରୋଗୀର କିଡ୍‌ନିକୁ ସଂପୂର୍ଣ୍ଣ ଅଚଳ କରିଦେଉଛି। ଉଚ୍ଚ ତାପମାତ୍ରାରେ ଶାରୀରିକ ପରିଶ୍ରମ କରିବା, କୃଷି କାର୍ଯ୍ୟରେ ବ୍ୟବହୃତ ହେଉଥିବା ରାସାୟନିକ ସାର ଓ ଅନ୍ୟାନ୍ୟ ରସାୟନର ସଂସ୍ପର୍ଶରେ ଆସିବା, ଅତ୍ୟଧିକ ବିନ୍ଧାଛିଟିକା ଔଷଧ ସେବନ ଓ ଭେଜାଲ ମଦ୍ୟପାନ, ଦୂଷିତ ଜଳ ବ୍ୟବହାର ଯୋଗୁଁ ଏହି ରୋଗ ବ୍ୟାପୁଥିବାସର୍ଭେରୁ ଜଣାପଡିଛି। ନେଫ୍ରୋଲୋଜି ବିଭାଗର ପ୍ରଫେସର ଡାକ୍ତର ଚିତ୍ତ ରଞ୍ଜନ କରଙ୍କ କହିବା ଅନୁସାରେ, ଓଡ଼ିଶାର କଟକର ବଡ଼ମ୍ବା, ନରସିଂହପୁର, ଯାଜପୁରର ସୁକିନ୍ଦା, ନୟାଗଡ଼, ଝାରସୁଗୁଡ଼ା, ମନମୁଣ୍ଡା, କଳାହାଣ୍ଡିର ଧର୍ମଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଫୁଲବାଣୀ ଓ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ଏକ ବିଚିତ୍ର ପ୍ରକାରର କିଡ୍‌ନି ରୋଗ ଦେଖାଦେଉଛି। କେଉଁ କାରଣରୁ ଏହି ସବୁ ଅଞ୍ଚଳରେ କିଡ୍‌ନି ରୋଗର ଭୟାବହତା ବୃଦ୍ଧି ପାଉଛି, ତାର ଠିକ୍‌ କାରଣ ମଧ୍ୟ ଜଣାପଡୁନାହିଁ।

କ୍ରୋନିକ୍‌ କିଡ୍‌ନି ରୋଗୀ (ସିକେଡି)ଙ୍କ ସଂଖ୍ୟା ୨୦୧୧ରେ ୯୭୩ ଥିବାବେଳେ ୨୦୧୮ରେ ଏହି ସଂଖ୍ୟା ୧୦ ହଜାର ୧୫୪ରେ ପହଞ୍ଚିସାରିଛି। ୨୦୧୨ରେ ୧୦୫୫ରୋଗୀ, ୨୦୧୩ରେ ୧୯୭୮, ୨୦୧୪ରେ ୨୧୫୭, ୨୦୧୫ରେ ୪୩୨୫, ୨୦୧୬ରେ ୬୨୯୦, ୨୦୧୭ରେ ୮୪୬୪ ସିକେଡି ରୋଗୀ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି। ସେହିପରି ୨୦୧୧ରେ ୨୧୯୫ଜଣ ଡାଏଲିସିସ୍‌ ହୋଇଥିବାବେଳେ ୨୦୧୨ରେ ୩୪୭୦, ୨୦୧୩ରେ ୩୭୩୨, ୨୦୧୪ରେ ୩୯୯୪, ୨୦୧୫ରେ ୫୭୯୮, ୨୦୧୬ରେ ୮୬୯୦, ୨୦୧୭ରେ ୧୨୪୮୭ ଓ ୨୦୧୮ରେ ୧୪୦୭୬ ରୋଗୀଙ୍କ ଡାଏଲିସିସ୍‌ ହୋଇଥିବା ଏସ୍‌ସିବି ତଥ୍ୟରୁ ଜଣାପଡିଛି। ଅନ୍ୟପଟେ ବର୍ଷକୁ ଏହି ରୋଗ ନେଉଛି ୩୬୫ରୁ ୪ଶହ ଜୀବନ। ଏହି ରୋଗ ସଂପର୍କରେ ତର୍ଜମା କରିବା ସହ ରୋଗକୁ କିପରି ପ୍ରତିହତ କରାଯିବ ସେ ସଂପର୍କରେ ଚିନ୍ତା କରିବାର ସମୟ ଆସିଛି ବୋଲି କହିଛନ୍ତି ବିଶେଷଜ୍ଞ ଟିମ୍‌।

ସମ୍ବନ୍ଧିତ ଖବର