କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଗଜବାହାଲ ପଞ୍ଚାୟତ ଓ ବଲାଙ୍ଗୀର ଜିଲ୍ଲାର ସୀମାରେ ରହିଛି ଧଅଁରାଖମନ ଗାଁ। ବ୍ଲକ୍‌ ସଦର ମହକୁମାଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଏହି ଗାଁର ପରିବାର ସଂଖ୍ୟା ୯୦। ଗାଁ ଲୋକେ ମୂଲମଜୁରି ଲାଗି ପେଟ ପୋଷନ୍ତି। ଏହି ଗାଁରେ କିଡ୍‌ନି ରୋଗ କାୟାବିସ୍ତାର କରିବା ସହ ପ୍ରାଣଘାତୀ ସାଜିଛି। ଗଲା କିଛିବର୍ଷ ମଧ୍ୟରେ କିଡ୍‌ନି ରୋଗରେ ୧୪ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ଏବେ ବି ଗାଁର ୧୯ ଜଣ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।

Advertisment

ଗ୍ରାମବାସୀଙ୍କ କହିବା ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ମାଡ୍ରାସ ଭୋଇ, ଚନ୍ଦ୍ରଶେଖର ଭୋଇ, ମୁନିବର ଭୋଇ, ସାଦିନୀ ଭୋଇ, ଈଶ୍ୱର ଭୋଇ, ବିମନୀ ଭୋଇ, ମହାଦେବ ଭୋଇ, ପିତାମ୍ବର ପୁଟେଲ, ବିଶ୍ୱାମିତ୍ର ପୁଟେଲ, ରୂପ ମାଝୀ, ଜିତେନ୍ଦ୍ର ଭୋଇ, ଦମନ ଭୋଇ, ଉପେଶ୍ୱର ଭୋଇ, ସରସ୍ୱତୀ ପୁଟେଲଙ୍କ ସମେତ ୧୪ରୁ ଅଧିକ ମହିଳା ପୁରୁଷ କିଡ୍‌ନି ରୋଗରେ ପ୍ରାଣ ହରାଇଛନ୍ତି। ସେହିପରି ଗାଁର ମୋତିଲାଲ ପୁଟେଲ, ଚୂଡ଼ାମଣି ପୁଟେଲ, ଜଗବନ୍ଧୁ ପୁଟେଲ, ଚନ୍ଦ୍ରମଣି ଭୋଇ, ଯମୁନା ଜାନୀ, ମହାଦେବ ପୁଟେଲ, ମଚିନ୍ଦ୍ର ଭୋଇ, କିଆ ଭୋଇ, ନାଥ ଭୋଇ, ମିଥିଳା ଭୋଇ, ଧବଳେଶ୍ୱର ଭୋଇ, ବନିତା ପୁଟେଲ, ଦୟାସାଗର ରଣା, ଯୋଗୀନ୍ଦ୍ର ଭୋଇ, କୁଞ୍ଜବନ ଭୋଇ ପ୍ରମୁଖ ୧୯ରୁ ଅଧିକ ବ୍ୟକ୍ତି ଏହି ରୋଗରେ ଚିକିତ୍ସାଧୀନ ଅଛନ୍ତି। ଆକ୍ରାନ୍ତମାନେ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେଣି। ତଥାପି ସେମାନେ ଜୀବନ ସହ ସଂଗ୍ରାମ କରୁଥିବା ଗ୍ରାମର ସ୍ୱେଚ୍ଛାସେବୀ ବଳଦେବ ଭୋଇ, ବିଶ୍ୱମ୍ବର ଭୋଇ କହିଛନ୍ତି। କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସ୍ଥିତି ଅନୁଧ୍ୟାନ କରା‌ଯାଇଥିଲେ ହେଁ କେଉଁ କାରଣରୁ ଲୋକେ କିଡ୍‌ନି ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ସ୍ପଷ୍ଟ ହୋଇ ପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ପଚରାଯିବାରୁ ସର୍ଭେ କରାଯିବ ବୋଲି ସେ କହିଛନ୍ତି। ରାଜ୍ୟ ସରକାର ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।