ଏମପିଭି-୬୬ ଗାଁରେ ଆତଙ୍କ : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କିଡନି ରୋଗୀ ସଂଖ୍ୟା

କାଲିମେଳା : ମାଲକାନଗିରି ଜିଲ୍ଲା ଛତିଶଗଡ଼ ସୀମାନ୍ତକୁ ଲାଗି ରହିଥିବା ପଡ଼ିଆ ବ୍ଲକ ଅନ୍ତର୍ଗତ ଏମପିଭି-୬୬ ଗ୍ରାମରେ ଦିନକୁ ଦିନ କିଡନି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଗ୍ରାମଟି ସାବେରୀ ନଦୀ କୂଳରେ ରହିଥିବାବେଳେ ମୋଟ ୧୧୬ଟି ପରିବାରରେ ୫ଶହରୁ ଉଦ୍ଧ୍ଵର୍ ଲୋକ ବାସ କରୁଛନ୍ତି। ଗ୍ରାମରେ ରହିଥିବା ନଳକୂପ ମଧ୍ୟରୁ ୫ଟି ଖରାପ ହୋଇଯାଇଥିବା ଜଣାପଡିଛି। ତେବେ ବଳକା ନଳକୂପରୁ ଆଇରନ ମିଶ୍ରିତ ପାଣି ବାହାରୁଥିବା ବେଳେ ଏହି ଦୂଷିତ ପାଣି ପିଇ ଗ୍ରାମର ଅଧିକାଂଶ ଲୋକ କିଡନି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି କ୍ରୀଷ୍ଣପଦ ବୈଦ୍ୟ ପ୍ରକାଶ କରିଛନ୍ତି। ପ୍ରାୟ ୨ବର୍ଷ ମଧ୍ୟରେ ଏହି ଗ୍ରାମର ଗୁରୁପଦ ମଣ୍ଡଳ, ଶରତ ମଣ୍ଡଳ ଓ ଗୁରୁପଦ ରାୟଙ୍କ କିଡନି ରୋଗରେ ମୃତ୍ୟୁ ହୋଇସାରିଲାଣି। ବର୍ତ୍ତମାନ ଗ୍ରାମରେ ବିଷ୍ଣୁପଦ ମଣ୍ଡଳ ଓ ପାଚୁ ମଣ୍ଡଳ ଏହି ମାରାତ୍ମକ କିଡନି ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅଛନ୍ତି। ତେବେ ବିଷ୍ଣପଦ ମଣ୍ଡଳଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ବିଭିନ୍ନ ମେଡ଼ିକାଲରେ ଏମାନେ ଚିକିତ୍ସିତ ହେଉଥିଲେ ମଧ୍ୟ ରୋଗ ଭଲ ହେଉନଥିବା ଜଣାପଡ଼ିଛି। ତେକେ କିଡନି ପ୍ରତିରୋପଣ କରାଗଲେ ଏମାନେ ସୁସ୍ଥ ହୋଇପାରିବେ ବୋଲି ଡ଼ାକ୍ତର କହିବାରୁ ଏମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କିଡନି ପ୍ରତିରୋପଣ କରିବାକୁ ଲକ୍ଷାଧିକ ଟଙ୍କା ଆବଶ୍ୟକ ଥିବାବେଳେ ଏତେ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ହୋଇଥିବାରୁ ଏବେ ସେମାନେ ମୃତ୍ୟୁକୁ ଅପେକ୍ଷା କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ। ଦିନକୁ ଦିନ କାଲିମେଳା ଓ ପଡ଼ିଆ ବ୍ଲକର ଅଧିକାଂଶ ଗ୍ରାମରେ ଏହି କିଡନି ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ଉପରେ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

ସମ୍ବନ୍ଧିତ ଖବର