ରାୟଗଡା: ଜିଲ୍ଲାରେ କିଡ୍‌ନି ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ବଢିବାକୁ ଲାଗୁଛି। ପ୍ରତିବର୍ଷ ଦଶରୁ କୋଡିଏ ପ୍ରତିଶତ କିଡ୍‌ନି ରୋଗୀ ଜିଲ୍ଲାରେ ବାହାରୁଥିବା ଦେଖିବାକୁ ମିଳିଛି। ଏବେ ଜିଲ୍ଲାରେ ୮୭ ଜଣ କିଡ୍‌ନି ରୋଗୀ ଅଫିସ ରେକର୍ଡ ଅନୁସାରେ ରହିଥିବା ଜଣାପଡିଛି। ଏହି ୮୭ ଜଣ ଗୁରୁତର କିଡ୍‌ନି ରୋଗୀ ଡାୟାଲସିସ ପାଇଁ ଜିଲ୍ଲା ହସିପିଟାଲକୁ ଆସିଥାନ୍ତି। ପ୍ରାୟ ପ୍ରତିଦିନ ୧୮ରୁ ଊର୍ଦ୍ଧ୍ବ ରୋଗୀ ଡାୟାଲସିସ କରୁଥିବା ଜଣାପଡିଛି।

Advertisment

ତେବେ ପ୍ରାୟ ୮ରୁ ୧୦ ଜଣ ରୋଗୀ ଡାୟାଲସିସ ନକରି ଫେରୁଥିବା ଦେଖିବାକୁ ମିଳିଛି। ପ୍ରଥମେ ଦୁଇଟିରୁ ଆରମ୍ଭ ହୋଇଥିବା ଡାୟାଲସିସ ମେସିନ ବର୍ତ୍ତମାନ ୬ରେ ପହଞ୍ଚିଛି। କିନ୍ତୁ ଏତିକିରେ ବି ରୋଗୀଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି ଏହି ମେସିନ। ବିଶେଷକରି ଗରିବ ରୋଗୀ ଡାୟାଲସିସ କରାଇନପାରି ଘରକୁ ଫେରୁଥିବା ଦେଖିବାକୁ ମିଳିଛି। କିନ୍ତୁ ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ପଡୋଶୀ ରାଜ୍ୟ ଆନ୍ଧ୍ର ହିଁ ଭରସା। ଅଧିକା ଟଂକା ଦେଇ ବାହାରକୁ ଯାଇ ଡାୟାଲସିସ କରାଇପାରୁନଥିବାରୁ ବହୁ ଗୁରୁତର ରୋଗୀଙ୍କର ମୃତ୍ୟୁ ମଧ୍ୟ ହେଉଛି। ସକାଳ ୮ଟାରୁ ଡାୟାଲସିସ କେନ୍ଦ୍ର ଖୋଲୁଥିବା ବେଳେ ରାତି ୧୦ ଟା ପର୍ଯ୍ୟନ୍ତ ଚାଲୁଥିବା ଜଣାପଡିଛି। ଏତେ ସମୟ ଚାଲୁଥିଲେ ମଧ୍ୟ ରୋଗୀଙ୍କୁ ଚିକିତ୍ସା ପାଇଁ ସୁଯୋଗ ମିଳୁନଥିବା ଅଭିଯୋଗ ହୋଇଛି।

publive-image

ତେବେ ଡାୟଲସିସ କେନ୍ଦ୍ରର ଅଧିକାରୀଙ୍କ କହିବା ଅନୁଯାୟୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ପ୍ରତ୍ୟେକ ଦିନ ୧୦ରୁ ଊର୍ଦ୍ଧ୍ବ ରୋଗୀ ଆସି ଫେରୁଯାଉଛନ୍ତି। ସେମାନଙ୍କୁ ଚିକିତ୍ସା କରିବାକୁ ଚାହୁଁଥିଲେ ମଧ୍ୟ ମେସିନ ନଥିବାରୁ ବାଧ୍ୟ ହୋଇ ସେମାନଙ୍କୁ ଫେରିବାକୁ ପଡୁଛି। ଆହୁରି ୩ଟି ମେସିନ ଆସିଲେ ହୁଏତ ଜିଲ୍ଲାର ରୋଗୀଙ୍କୁ ଭଲ ଚିକିତ୍ସା ମିଳିପାରିବ। ରୋଗୀଙ୍କୁ ଚିକିତ୍ସା ଯୋଗାଇବାରେ ସଂପୂର୍ଣ୍ଣ କର୍ମଚାରୀ ରହିଥିଲେ ମଧ୍ୟ ମେସିନ ନଥିବାରୁ ବାଧ୍ୟ ହୋଇରୋଗୀଙ୍କୁ ଚିକିତ୍ସା କରାଯାଇପାରୁନଥିବା କୁହାଯାଇଛି।

ଗତ ୫ ବର୍ଷରେ କିଡ୍‌ନି ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି। ସେତେବେଳେ ଜିଲ୍ଲାରେ ୩୦ ରୋଗୀ ଥିବା ବେଳେ ଏବେ ୮୭ରେ ପହଞ୍ଚିଲାଣି। କିନ୍ତୁ ବାସ୍ତବ ସ୍ଥିତି ଅଲଗା। ଏବେ ମଧ୍ୟ ବହୁ କିଡ୍‌ନି ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁନଥିବା କୁହାଯାଇଛି। ଆଉ କିଛି କିଡ୍‌ନି ରୋଗୀ ବାହାର ଜିଲ୍ଲାକୁ ଯାଉ ଡାୟାଲସିସ କରୁଥିବା ନଜିର ରହିଛି। ଜିଲ୍ଲା ହସପିଟାଲରେ ଏହି ସୁବିଧା ରହିଥିଲେ ମଧ୍ୟ ଲୋକେ ଉଚିତ ଚିକିତ୍ସା ମିଳିପାରୁନଥିବାରୁ ବାହାରକୁ ଯିବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ ତରଫରୁ ଆଉ ତିନୋଟି ମେସନ ଯୋଗାଇ ଦିଆଗଲେ ହୁଏତ ଗିରବ ରୋଗୀ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି। ଗରିବ ରୋଗୀ ଦିନ ତମାମ ଡାୟାଲସିସ ପାଇଁ କେନ୍ଦ୍ର ନିକଟରେ ଜଗି ରହି ଶେଷରେ ନିରାଶ ହୋଇ ଫେରୁଥିବା ବେଳେ ସେମାନଙ୍କ ପାଇଁ ଏବେ ଚିନ୍ତା କରିବାର ବେଳ ଆସିଛି। ବାରମ୍ବାର ନିରାଶ ହେବା ଯୋଗୁଁ ଆଉ ସେମାନେ ମେଡିକାଲ ନଆସି ଗୁଣିଆ ଏବଂ ଡିଶାରିର ସାହାଯ୍ୟ ନେଉଛନ୍ତି, ଯାହାଫଳରେ ଅକାଳରେ ମୃତ୍ୟୁକୁ ନିମନ୍ତ୍ରଣ କରୁଛନ୍ତି। ବହୁ ରୋଗୀ ନିଜ ନାମକ ଗୋପନ ରଖି ମେଡିକାଲରେ ହେଉଥିବା ସମସ୍ୟା ବିଷୟରେ ବଖାଣିଥିଲେ। କିପରି ଡାୟାଲସିସ ମେସିନ ଆହୁରି ଅଧିକା ଅସିବ ସେନେଇ ଦାବି କରିଥିଲେ। ତେବେ ଏନେଇ ସିଡିଏମଓଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।