କିଡ୍‌ନି ରୋଗ କବ୍‌ଜାରେ ରାଜକେଲ, ସପ୍ତାହେରେ ଗଲାଣି ୨ ମୁଣ୍ଡ

ଏବେ ବି ଶତାଧିକ ଆକ୍ରାନ୍ତ ଥିବା ସନ୍ଦେହ

ତୁଷୁରା: ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ୍‌ର ରାଜକେଲ ଗାଁ ଏବେ କିଡ୍‌ନି ରୋଗ କବଳରେ। ଗତ ସପ୍ତାହକ ମଧ୍ୟରେ କିଡ୍‌ଗରେ ଆକ୍ରାନ୍ତ ହୋଇ ଏହି ଗାଁର ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଅନେକ ଲୋକ ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି। ଗାଁରେ କିଡନି ଆକ୍ରାନ୍ତ ସଂପର୍କରେ ଅନେକ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଠୋସ୍‌ ପଦକ୍ଷେପ ନେଇ ନାହିଁ। ବେବଳ ଗାଁରେ ଥିବା ନଳକୂଅଗୁଡ଼ିକରୁ ପାଣି ନମୁନା ସଂଗ୍ରହ କରି ପ୍ରଶାସନ ଚୁପ୍‌ ବସିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ସୂଚନା ଅନୁସାରେ, ୨ ୱାର୍ଡ ବିଶିଷ୍ଟ ଏହି ଗାଁରେ ୧୩ ଶହ ଲୋକ ବସବାସ କରୁଛନ୍ତି। ଏବେ ଗାଁରେ କିଡନି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ସପ୍ତାହରେ ଏହି ରୋଗ ଦୁଇଜଣ ଯୁବକଙ୍କ ମୁଣ୍ଡ ନେଇଛି। ମୃତକ ଦ୍ବୟ ହେଲେ ସୁଦାମ ଭୋଇ (୨୮ବର୍ଷ) ଓ ଦୀନ ଭୋଇ (୩୦ବର୍ଷ)। ସେହିପରି ଗତ ବର୍ଷକ ମଧ୍ୟରେ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ବି ଗାଁର କାଳିଆ ଘଡ଼େଇ, ମକୁନ୍ଦ ଧରୁଆ, ଦୀପକ ଭୋଇ ଓ ଜଣେ ମହିଳା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିବା ଆଶଙ୍କା ରହିଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ସମୂହ ଭାବେ ପରୀକ୍ଷା କରାଗଲେ ଶତାଧିକ ଲୋକ କିଡ୍‌ନି ଆକ୍ରାନ୍ତ ଚିହ୍ନଟ ହେବେ ବୋଲି ଗ୍ରାମବାସୀ କହନ୍ତି। କିଡନି ରୋଗ ଯୋଗୁଁ କାହାର ମୁହଁ ଫୁଲିଛି ତ କାହାର ଗୋଡ଼। କିଛି ଲୋକ ରୋଗକୁ ଲୁଚାଉଥିବା ମଧ୍ୟ ଜଣାପଡ଼ିଛି। ଗରିବ ଲୋକେ ଅଧିକ ଖର୍ଚ୍ଚ କରି ବାହାରକୁ ଯାଇ ଚିକିତ୍ସା କରାଇ ପାରୁ ନଥିବା ପ୍ରକାଶ କରିଛନ୍ତି। ଅନେକ ବର୍ଷରୁ ଏମାନେ ନଳକୂଅର ପାଣି ବ୍ୟବହାର କରୁଛନ୍ତି। ଏହା ଅଧିକ ଫ୍ଲୋରାଇଡଯୁକ୍ତ ହୋଇଥିବା ସନ୍ଦେହ କରାଯାଉଛି। ପାଖରେ ଥିବା ରାହୁଲ ନଦୀରୁ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଣ ହେଉ ନାହିଁ। ଫଳରେ ନଳକୂପ ପାଣି ବ୍ୟବହାର କରିବାକୁ ଲୋକେ ବାଧ୍ୟ ହେଉଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଗାଁରେ ସମୂହ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରତିଷେଧାତ୍ମକ ବ୍ୟବସ୍ଥା କରିବାକୁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର