ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକରେ କାୟା ବିସ୍ତାର କରିଛି କିଡନି ରୋଗ, ମାସକ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ

କଣ୍ଟାମାଲ: ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖଟଖଟିଆ ପଞ୍ଚାୟତ ଅନ୍ତର୍ଗତ ସୌରିପାଲି ଗାଁ ରେ କିଡନି ରୋଗ ତାର କାୟା ବିସ୍ତାର କରିସାରିଲାଣି। ଗତ ମାସେ ମଧ୍ୟରେ ଗାଁର ଚାରି ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଗୋଟିଏ ପରିବାରର ବଡ ଭାଇର ଦଶାହ କାର୍ଯ୍ୟ ନ ସରୁଣୁ ସାନ ଭାଇର ମୃତ୍ୟୁ ଘଟିଥିବାରୁ ଗାଁ ରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ କିଡନି ରୋଗରେ ଗାଁର ଦୂତିଆ ବିଶି(୪୦) ପ୍ରାୟ ୬ ବର୍ଷ ପୂର୍ବେ ଆକ୍ରାନ୍ତ ହୋଇ ଗତ ଜୁନ ୨୧ ତାରିଖରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମୃତ୍ୟୁରେ ପରିବାର ଆଖିରୁ ଲୁହ ଶୁଖି ନ ଥାଉଁଣୁ ଗତ ୩ ଦିନ ତଳେ ତାଙ୍କ ଖୁଡ଼ି ତରଂଗିନୀ ବିଶି(୬୦)ଙ୍କ ମୃତ୍ୟୁ ଘଟିଛି ।
ସେହିପରି ଗତ ୧୦ ଦିନ ତଳେ ଗାଁ ର ସର୍ବେ ପାତ୍ର (୫୫) ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଦଶାହ ନ ସରୁଣୁ ତାଙ୍କ ସାନ ଭାଇ ଦନ ପାତ୍ର (୪୫) ମୃତ୍ୟୁ ଘଟିଛି !ଫଳରେ ଏହି ପରିବାର ବର୍ତ୍ତମାନ ମୁରବୀ ଶୂନ୍ୟ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ସର୍ବେ ପାତ୍ରଙ୍କ ଦୁଇ ପୁଅ ଏବଂ ସ୍ତ୍ରୀ ଥିବାବେଳେ ଦନ ପାତ୍ର ଙ୍କ ୨ ପୁଅ ଏବାଂ ବିଧବା ସ୍ତ୍ରୀ ଅଛନ୍ତି । ଉଭୟ ପରିବାରରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି । ଏମାନେ ସମସ୍ତେ ଗତ ୫ ବର୍ଷ ମଧ୍ୟରେ କିଡନି ରୋଗରେ ଆକ୍ରାନ୍ତ ଥିବା ଜାଣି ,ମନମୁଣ୍ଡା ଡାକ୍ତରଖାନା ,ସୋନପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟ ,ବୁର୍ଲା ,ଏବଂ ଶେଷରେ କଟକ ବଡ ମେଡିକାଲ ରେ ଚିକିତ୍ସିତ ହୋଇ ନିଜର ଜମିବାଡ଼ି ,ଘର ଡିହ ,ସୁନା ଗହଣା ବିକ୍ରି କରି ସର୍ବସ୍ୱାନ୍ତ ହୋଇ ପଡିଥିଲେ ଏବଂ ଦୀର୍ଘ ବର୍ଷେରୁ ଅଧିକ ହେବ ଘରେ ପଡ଼ିରହି ମୃତ୍ୟୁ କୁ ଅପେକ୍ଷା କରି ରହିଥିବା ପରିବାର ଲୋକେ କହିଛନ୍ତି !
ଗାଁ ରେ କିଡନି ରୋଗ ବ୍ୟାପୁଥିବା ନେଇ ଖବର ପାଇ ଗତ ଜୁନ ମାସରେ ଗାଁ କୁ ଜ଼ିଲ୍ଲା ସ୍ଵାସ୍ଥ୍ୟ ବିଭାଗର ଏକ ଟିମ ତଦନ୍ତ ପାଇଁ ଆସିଥିଲେ । ସେମାନେ କିଡନି ରୋଗରେ ପୀଡିତ ଥିବା ରୋଗୀଙ୍କ ଚିକିତ୍ସାରେ ସହଯୋଗ କରିବାକୁ କହି ସମସ୍ତଙ୍କ ନାଁ ଲେଖି ନେଇଥିଲେ , ହେଲେ ଏ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟି ସାରିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର କୌଣସି ସାହାଯ୍ୟ ସହଯୋଗ ମିଳିନାହିଁ ।

ସମ୍ବନ୍ଧିତ ଖବର