କିଡ୍‌ନି ରୋଗ ନେଲା ପରିବାରର ୩ ଜୀବନ

ମାନେଶ୍ୱର : କିଡ୍‌ନୀ ରୋଗ ନେଲା ପରିବାର ୩ ସଦସ୍ୟଙ୍କ ଜୀବନ। ସ୍ବାମୀଙ୍କ ମୃତ୍ୟୁକୁ ଇତିମଧ୍ୟରେ ବିତିଗଲାଣି ୩ ବର୍ଷ। ତଥାପି, ସମ୍ବଲପୁର ଜିଲ୍ଲ‌ା ମାନେଶ୍ୱର ବ୍ଲକ ଅନ୍ତର୍ଗତ ବତେମୁରା ପଞ୍ଚାୟତର ବଳାରଙ୍ଗା ଗ୍ରାମର ବାସିନ୍ଦା ବିଜ୍ଞସିନୀ ନାଏକ(୨୬)ଙ୍କୁ ମିଳିପାରିନାହିଁ ବିଧବା ଭତ୍ତା। ସେ ପରିବାର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ବିଜ୍ଞାସିନୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରାପ୍ତ ସୂଚନା ମୁତାବକ, ୨୦୧୪ ମସିହାରେ ବଳାରଙ୍ଗା ଗାଁ କାପୁପଡ଼ାରେ ରହୁଥିବା ପ୍ରମୋଦ ନାଏକ(୩୫)ଙ୍କ ସହିତ ବିଜ୍ଞସିନୀଙ୍କ ବିବାହ ହୋଇଥିଲା। ୨୦୧୩ ମସିହା ଅର୍ଥାତ, ତାଙ୍କ ବିବାହର ଗୋଟିଏ ବର୍ଷ ପୂର୍ବରୁ ପ୍ରମୋଦଙ୍କ ପିତାମାତା କିଛି ମାସର ବ୍ୟବଧାନରେ ଆଗପଛ ହୋଇ ଆରପାରିକୁ ଚାଲିଯାଇଥିଲେ। କିଡ୍‌ନି ରୋଗ ନେଇଥିଲା ସେମାନଙ୍କ ଜୀବନ। ପ୍ରମୋଦ ରାଜମିସ୍ତ୍ରି କାମ କରି ପରିବାର ପୋଷୁଥିଲେ। ବିଡ଼ମ୍ବନାର ବିଷୟ ଯେ, ୩ ବର୍ଷ ତଳେ କିଡ୍‌ନି ରୋଗରେ ଆକ୍ରାନ୍ତ ପ୍ରମୋଦଙ୍କ ଜୀବନ ବି ଚାଲିଗଲା। ଅର୍ଥାଭାବ ସାଜିଲା ଚିକିତ୍ସାରେ ବାଧକ। ଉପଯୁକ୍ତ ଚିକିତ୍ସା ଅଭାବରୁ ପ୍ରମୋଦ ବି ଆରପାରିକୁ ଚାଲିଗଲେ। ଏବେ ବିଜ୍ଞସିନୀଙ୍କ ଉପରେ ପୁଅ ଆର୍ୟନ ନାଏକ (୪) ଓ ନଣନ୍ଦ ରେବତୀ ନାଏକ(୨୫)ଙ୍କ ବୋଝ। ସେ ଏବେ ଅନ୍ୟ ଲୋକଙ୍କ ପାଖରେ ଶ୍ରମିକ ଭାବେ କାମ କରି ପରିବାର ପୋଷୁଛନ୍ତି। ସରପଞ୍ଚ ଓ ବିଡିଓଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ ସୁଫଳ ମିଳିନଥିବା ସେ କହିଛନ୍ତି। ରାସନ କାର୍ଡରେ ମିଳୁଥିବା ୧୫ କିଲୋଗ୍ରାମ ଚାଉଳ ପରିବାର ପାଇଁ ନିଅଣ୍ଟ ହେଉଛି। ଅନ୍ତ୍ୟୋଦୟ ଯୋଜନାରେ ତାଙ୍କୁ ସାମିଲ କରାଗଲେ ମାସିକ ୩୫ କିଲୋଗ୍ରାମ ଚାଉଳ ପାଇପାରନ୍ତେ। ଏଥିପାଇଁ ସେ ଅନେକ ଥର ପଞ୍ଚାୟତ ଅଫିସକୁ ଯାଇଛନ୍ତି, ସରପଂଚଙ୍କୁ ବି ଜଣାଇଛନ୍ତି। ବ୍ଲକ କାର୍ଯ୍ୟାଳୟକୁ ବି ଦୌଡ଼ିଛନ୍ତି। ତଥାପି, ତାଙ୍କୁ ଏପର୍ଯ୍ୟନ୍ତ ଭତ୍ତା ମିଳିପାରିନାହିଁ।

ସମ୍ବନ୍ଧିତ ଖବର