ହମାମୀରାରେ ଜଳ ‘ଜହର’ : ଆଖିବୁଜିଲେ ଆଉ ଜଣେ

କିଡ୍‌ନି ରୋଗ ଆତଙ୍କ

ଅନୁଗୁଳ : ଅନୁଗୁଳ ବ୍ଲକ ବେଡ଼ାଶାସନ ପଞ୍ଚାୟତର ହମାମୀରା ଗାଁରେ ଦୂଷିତ ଜଳ ନେଉଛି ଜୀବନ। କିଡ୍‌ନି ରୋଗରେ ଆଖି ବୁଜୁଛନ୍ତି ଜଣଙ୍କ ପରେ ଜଣେ। ବିଗତ କିଛି ବର୍ଷ ହେବ ଗାଁରେ କିଡ୍‌ନି ମୃତକଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଆଜି ଏହି ତାଲିକାରେ ଆଉ ଜଣଙ୍କ ନାମ ଯୋଡ଼ି ହୋଇଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୨ଟା ବେଳେ କିଡ୍‌ନି ରୋଗରେ ରାଧାନାଥ ସାହୁ(୬୫)ଙ୍କ ମୃତ୍ୟୁ ଘଟିଛି। ଗଲା ପ୍ରାୟ ଦୁଇ ବର୍ଷ ହେବ ସେ କିଡ୍‌ନି ରୋଗରେ ଆକ୍ରାନ୍ତ ଥିଲେ। ରାଧାନାଥଙ୍କୁ ମିଶାଇଲେ ଗାଁରେ କିଡ୍‌ନି ରୋଗୀଙ୍କ ମୃତ୍ୟୁ ସଂଖ୍ୟା ବେସରକାରୀ ଭାବେ ୨୦ରୁ ଅଧିକ କୁହାଯାଉଥିବା ବେଳେ ପ୍ରଶାସନ କିନ୍ତୁ ଆଖିରେ ଅନ୍ଧପୁଟୁଳି ବାନ୍ଧି ବସିଛି। ନା ଏହାର କୌଣସି ସ୍ଥାୟୀ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରୁଛି ନା ଆକ୍ରାନ୍ତଙ୍କୁ କୌଣସି ଚିକିତ୍ସାଜନିତ ସହାୟତା ମିଳୁଛି। ଏଭଳି ପରିସ୍ଥିତିରେ ଆହୁରି ଅନେକ ଲୋକ ଏବେ ବି କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ପ୍ରଶାସନର ଖାମଖିଆଲ ତଥା ଉଦାସୀନତା ମନୋଭାବ ଗାଁ ଲୋକଙ୍କ ଜୀବନକୁ ପରୋକ୍ଷରେ କିଡ୍‌ନି ମୁହଁକୁ ଠେଲି ଦେଉଛି।

ଉଲ୍ଲେଖଯୋଗ୍ୟ, ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ମାତ୍ର ୧୮କିଲୋମିଟର ଦୂର ହମାମୀରା ଗାଁର ପାନୀୟ ଜଳ ଗଲା କିଛି ବର୍ଷ ହେଲା ଦୂଷିତ ହେବାରେ ଲାଗିଛି। ନଳକୂପ ପାଣି ଦୂଷିତ କାରଣରୁ ଲୋକମାନେ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି। ଚଳିତବର୍ଷ ଗାଁରେ ଥିବା ନଳକୂପ ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ପରୀକ୍ଷାଗାରକୁ ପଠାଯାଇଥିଲା। ରିପୋର୍ଟରେ ପାଣି ଦୂଷିତ ଜଣାପଡ଼ିବା ପରେ ଗତ ୨ତାରିଖରେ ପ୍ରଶାସନ ଗାଁରେ ଡେଙ୍ଗୁରା ପିଟି ନଳକୂପ ପାଣି ନପିଇବା ପାଇଁ ବାରଣ କରିଥିଲା। ଫଳରେ ଅଧିକାଂଶ ଲୋକ ନଳକୂପ ପାଣି ପିଇବା ବନ୍ଦ କରିଦେଇଥିଲେ। ଦୁଇ ବର୍ଷ ତଳେ ବି ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଣି ଦୂଷିତ ଥିବା ଯାଞ୍ଚ୍‌ରୁ ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯାଇଥିଲା।

ଚଳିତବର୍ଷ ସମାନ ସ୍ଥିତି ଉତ୍ପନ୍ନ ହେବା ପରେ ପ୍ରଶାସନ ଗତକାଲି ଟ୍ୟାଙ୍କରରେ ପାଣି ବାଣ୍ଟିବା ସହ ଅଚଳ ଥିବା ପାଣି ଟ୍ୟାପ୍‌କୁ କାର୍ଯ୍ୟକ୍ଷମ କରିଥିଲା। ହେଲେ ବିଗତ କିଛି ବର୍ଷ ହେବ ଗାଁର ନଳକୂପ ଜଳ ଦୂଷିତ ବୋଲି ଯାଞ୍ଚରୁ ବାହାରୁଥିବା ବେଳେ ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବା ପରିବର୍ତ୍ତେ କାମଚଳା ଢଙ୍ଗରେ ନିଜ ଦାୟିତ୍ୱ ସାରି ଦେଉଥିବାରୁ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ରାଧାନାଥଙ୍କ ମୃତ୍ୟୁ ଏହାର ପ୍ରମାଣ ଦେଉଛି। ତୁରନ୍ତ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗୋଟିଏ ପଟେ ଗାଁ ଲୋକେ ଦାବି କରିଥିବା ବେଳେ ଅନ୍ୟପଟେ ପ୍ରଶାସନ ଏହାର ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ ନକଲେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର