ପାଣି ପାଇଁ ରୋଗୀ ଚିକିତ୍ସା ବନ୍ଦ!, ଅନୁଗୁଳରେ ୭୦ କିଡନୀ ରୋଗୀ ଚିନ୍ତାରେ

ଅନୁଗୁଳ : ସରକାର ଗଢ଼ି ଦେଲେ ସୁଦୃଢ଼ ଭିତ୍ତିଭୂମି। ବ୍ୟୟବହୁଳ ଡାୟାଲିସିସ୍‌ ସେବାକୁ ମାଗଣା କରିବା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖଞ୍ଜି ଦେଲେ ୭ଟା ମୂଲ୍ୟବାନ ମେସିନ୍‌। ଚକାଚକ୍‌ ମାର୍ବଲ ଓ୍ଵାର୍ଡରେ ପଡ଼ିଲା ୭ଟା ବେଡ଼୍‍। ରୋଗୀ ହାତରୁ ଯେମିତି ଟଙ୍କାଟିଏ ବି ଖର୍ଚ୍ଚ ନ ହେବ ସେଥିପାଇଁ ମାଗଣା ମେଡ଼ିସିନ୍‌ ବ୍ୟବସ୍ଥା ବି କରାଗଲା। କିନ୍ତୁ ସବୁ ସୁବିଧା ସତ୍ତ୍ୱେ ସରକାରଙ୍କ ମାଗଣା ଡାୟାଲିସିସ୍‌ ସ୍ୱପ୍ନ ଅଧା ଖଣ୍ଡିଆ ହୋଇ ପଡ଼ିଛି। ଏହାର ମୂଳ କାରଣ ହେଉଛି ପାଣି। ଅନୁଗୁଳ ଜିଲ୍ଲା ପ୍ରଶାସନ ଡାୟାଲିସିସ୍‌ ଓ୍ଵାର୍ଡ଼କୁ ଦରକାର ମୁତାବକ ପାଣି ଯୋଗାଇ ପାରୁ ନ ଥିବାରୁ ସରକାରଙ୍କ ନୂଆ ଯୋଜନା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରୁନି। ଯେଉଁଠି ୨୪ଘଣ୍ଟିଆ ଡାୟାଲିସିସ୍‌ କରାଯିବା କଥା, ସେଇଠି ୮ଘଣ୍ଟାରେ ତାକୁ ବନ୍ଦ କରି ଦିଆଯାଉଛି। ପାଣି ପାଇଁ ବଡ଼ ଅଡ଼ୁଆରେ ପଡ଼ିଛନ୍ତି ଅନୁଗୁଳ, ଦେବଗଡ଼, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାର ୭୦ କିଡ୍‌ନି ରୋଗୀ। ମାଗଣା ସେବା ଟିକେ ପାଇଁ ବଡ଼ ଆତୁର ହୋଇ ପଡ଼ିଲେଣି। ଜିଲ୍ଲା ପ୍ରଶାସନ କେବେ ପାଣି ଯୋଗାଇଲେ ଆମ ପାଳି ପଡ଼ିବ ସେହି ଚିନ୍ତାରେ ରୋଗୀ ଦିନ ଗଣୁଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ୍‌ ୯ତାରିଖରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ଡାୟାଲିସିସ୍‌ ସେବା ଶୁଭାରମ୍ଭ କରାଯାଇଥିଲା। ସରକାର ଯେଉଁ ଭଳି ଭିତ୍ତିଭୂମି ଯୋଗାଇ ଦେଇଛନ୍ତି, ତାକୁ ୨୪ଘଣ୍ଟିଆ ଉପଯୋଗ କଲେ ଶତାଧିକ ରୋଗୀଙ୍କର ଡାୟାଲିସିସ୍‌ ଏଠି ସମ୍ଭବ ହୋଇ ପାରିବ। ଡାୟାଲିସିସ୍‌ର ମୂଳ ଆବଶ୍ୟକତା ହେଲା ପାଣି। ୪ଘଣ୍ଟିଆ ଗୋଟିଏ ସିଫ୍‌ଟରେ ୭ଜଣ ରୋଗୀ ଏକକାଳୀନ ଡାୟାଲିସିସ୍‌ କରି ପାରିବେ। ଥରେ ପାଇଁ ଅତି କମ୍‌ରେ ୩ହଜାର ଲିଟର ପାଣି ଦରକାର ପଡ଼ୁଥିବା ବେଳେ ପିଏଚ୍‌ଇଡି ଯୋଗାଇ ଦେଉଛି ପ୍ରାୟ ଦୁଇ ହଜାର ଲିଟର। ଦୁଇ ସିଫ୍‌ଟ ପାଇଁ ଅତି ବେଶିରେ ୪ହଜାର ଲିଟର ପାଣି ଆସୁଛି। ତେଣୁ ଦୁଇ ସିଫ୍‌ଟ ପାଇଁ ତ ପାଣି ଅଣ୍ଟୁନି, ଦିନକୁ ୫ସିଫ୍‌ଟ ଡାୟାଲିସିସ୍‌ କେମିତି କରିବୁ ବୋଲି ବିଭାଗୀୟ ମୁଖ୍ୟ ଡା.ପି. ଏମ୍‌. ରାଉତ କହିଛନ୍ତି। ଯେତିକି ପାଣି ଆସୁଛି ସେତିକିରେ ବର୍ତ୍ତମାନ ୪୩ଜଣ ରୋଗୀଙ୍କର ଚିକିତ୍ସା ଚାଲିଛି।

ଅପରପକ୍ଷେ ଏ ପ୍ରକାର ଜଳ ସଂକଟ ଡାୟାଲିସିସ୍‌ ରୋଗୀଙ୍କୁ ଚିନ୍ତାରେ ପକାଇଛି। ମାଗଣା ଡାୟାଲିସିସ୍‌ ଆଶାରେ ଅନୁଗୁଳ ଓ ପଡ଼ୋଶୀ ଜିଲ୍ଲାରୁ ୭୦ରୋଗୀ ଆଶା ବାନ୍ଧି ବସିଛନ୍ତି। ପାଣି ନାହିଁ ବୋଲି ଡାୟାଲିସିସ୍‌ ଆରମ୍ଭ ହୋଇ ପାରୁନି। କେବେ ପାଣି ଆସିବ ଓ ୨୪ଘଣ୍ଟିଆ ସେବା ଆରମ୍ଭ ହେବ ସେଥିପାଇଁ ରୋଗୀମାନେ ଦିନ ଗଣୁଛନ୍ତି।

ଏତେ ଜଳ କାହିଁକି?

ଡାୟାଲିସିସ୍‌ ଯେମିତି ଏକ ବ୍ୟୟବହୁଳ ଚିକିତ୍ସା, ପାଣି ବି ସେହି ପରିମାଣରେ ଲୋଡ଼ା। ଡାକ୍ତରଙ୍କ କହିବା ମୁତାବକ, ଜଣେ ରୋଗୀର ଥରେ ଡାୟାଲିସିସ୍‌ ପାଇଁ ୪ଘଣ୍ଟା ସମୟ ଦରକାର। ଏହି ସମୟ ମଧ୍ୟରେ ୧୫୦ଲିଟର ଆର୍‌ଓ ପାଣି ଦରକାର। ଗୋଟିଏ ସିଫ୍‌ଟରେ ୭ଜଣ ରୋଗୀଙ୍କ ଚିକିତ୍ସା ସମ୍ଭବ। ହିସାବ କଲେ, ୭ଜଣଙ୍କ ପାଇଁ ୪ଘଣ୍ଟାରେ ହଜାରେ ଲିଟର ଆର୍‌ଓ ପାଣି ଲୋଡ଼ା। ଲିଟରେ ଆର୍‌ଓ ପାଣି ପାଇଁ ତା’ର ଅଢ଼େଇରୁ ତିନି ଗୁଣା ସାଧାରଣ ପାଣି ଦରକାର। ତେଣୁ ହଜାରେ ଲିଟର ଆର୍‌ଓ ପାଣି ପ୍ରକ୍ରିୟାକରଣ ପାଇଁ ୩ହଜାର ଲିଟର ସାଧାରଣ ଜଳ ଦରକାର। ଯାହା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ମିଳୁନି।

ସମ୍ବନ୍ଧିତ ଖବର