ପେଟ ବଥା ରୋଗୀଙ୍କୁ ଦେଇଦେଲେ କିଡ୍‌ନି ରୋଗୀଙ୍କ ଔଷଧ

ଭୀମଭୋଇ ମେଡିକାଲ କଲେଜରେ ଉତ୍ତେଜନା, ପରିବାର ଲୋକଙ୍କ କାର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗୀର : ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ କିଡ୍‌ନି ରୋଗୀଙ୍କ ସାଲାଇନ୍‌ ଓ ଇଞ୍ଜେକ୍‌ସନ ପେଟ ବଥା ରୋଗୀଙ୍କୁ ଦିଆଯାଇଛି। ଯାହାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ଅଭିଯୋଗ ଅନୁସାରେ, ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଡୁମେରମୁଣ୍ଡା ଗାଁର ଖେଡ଼ୁ ସାମଲ (୬୭)ଙ୍କୁ ତାଙ୍କ ପରିବାରବର୍ଗ ଗତକାଲି ରାତିରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଣି ଭର୍ତ୍ତିକରିଥିଲେ। ତାଙ୍କର ଗୁରୁତର ପେଟବଥା ସମସ୍ୟା ଥିଲା। ତାଙ୍କୁ ସୋମବାର ଅପରାହ୍ଣରେ ଏକ ସାଲାଇନ ଲଗାଇଥିଲେ ଦାୟିତ୍ୱରେ ଥିବା ନର୍ସ। କିଛି ସମୟ ପରେ ତାଙ୍କ ପୁଅ ନୂଆଁଖାଉ ସାମଲ ଆସି ସାଲାଇନ୍‌ ଲଗାଯାଇଥିବା ଦେଖିଥିଲେ। ଚିକିତ୍ସା ପ୍ରକ୍ରିୟା ଅନୁସାରେ ତାଙ୍କ ବାପାଙ୍କୁ ଏବେ କୌଣସି ଔଷଧ କିମ୍ବା ଇଞ୍ଜେକ୍‌ସନ ଦେବାର ନଥିଲା। ତାଙ୍କୁ କେମିତି ଏହା ଦିଆଗଲା ବୋଲି ନୂଆଁଖାଉ ପଚାରିଥିଲେ।

ଡାକ୍ତରଙ୍କ ପରାମର୍ଶକ୍ରମେ ଲଗାଯାଇଥିବା ତାଙ୍କୁ କୁହାଯାଇଥିଲା। ହେଲେ ସାଲାଇନ୍‌ ଦେଖିବା ପରେ ପାଖ ରୋଗୀ ହରି ମହାନନ୍ଦଙ୍କ ନାମ ସେଥିରେ ଉଲ୍ଲେଖ ଥିବା ସେ ଦେଖିଥିଲେ। ଏହାପରେ ନୂଆଁଖାଉ ପୁଣି ଯାଇ କହିଥିଲେ ବି ତାଙ୍କ କଥା କେହି ଶୁଣିନଥିଲେ। ବାଧ୍ୟ ହୋଇ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଗଣମାଧ୍ୟମ ପ୍ରତିନିଧି ପହଞ୍ଚିବା ପରେ ଉପସ୍ଥିତ ଡାକ୍ତର ଯାଇ ଦେଖିଥିଲେ। ସାଲାଇନ ହରି ମହାନନ୍ଦଙ୍କ ବଦଳରେ ଖେଡୁ ସାମଲକୁ ଲଗାଯାଇଥିବା ଜଣାପଡ଼ିଥିଲା।

ସେତେବେଳକୁ ସାଲାଇନ ଇଞ୍ଜେକ୍‌ସନ ସରିବା ଉପରେ ଥିଲା। ଏହାକୁ ନେଇ ଡାକ୍ତରଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ ଚିହିଁକି ଉଠିଥିଲେ। ଦାୟିତ୍ୱରେ ଥିବା ନର୍ସ ଓ ଡାକ୍ତର ୱାର୍ଡରୁ ଚମ୍ପଟ ମାରିଥିଲେ। ପରେ ଡାକ୍ତରଖାନା ଅଧୀକ୍ଷକଙ୍କୁ ଗଣମାଧ୍ୟମ ପ୍ରତିନିଧି ଅବଗତ କରିବା ପରେ ଆଉ ଜଣେ ଡାକ୍ତର ଆସି ଦେଖିଥିଲେ। ଏହା ଆଣ୍ଟିବାୟୋଟିକ୍‌ ଇଞ୍ଜେକ୍ସନ ଥିଲା ଓ ଅଦଳବଦଳ ହୋଇଥିବା କଥାକୁ ସେ ସ୍ୱୀକାର କରିଥିଲେ। କୌଣସି ଅସୁବିଧା ହେବନି ବୋଲି ସେ ପ୍ରତିକ୍ରିୟା ଦେଇଥିଲେ ବି ଏବେ ଖେଡ଼ୁ ସାମଲଙ୍କ ଅବସ୍ଥା ପୂର୍ବାପେକ୍ଷା ଅଧିକ ଖରାପ ହୋଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି। ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସଙ୍କ ଉପରେ ଏମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର