କିଡ୍‌ନି ରୋଗାକ୍ରାନ୍ତଙ୍କୁ ମିଳୁନି ଚିକିତ୍ସା ସହାୟତା, ସାହାଯ୍ୟର ଭିକ୍ଷା ମାଗୁଛନ୍ତି ସ୍ତ୍ରୀ-ପିଲା

୨୫ ବର୍ଷ ଲଢ଼େଇ କରି ତୁଲୁବି ଗାଁକୁ ଫିଟାଇଥିଲେ ରାସ୍ତା

ଓଡ଼ଗାଁ : ଦିନ ଥିଲା ଅସମ୍ଭବକୁ ସମ୍ଭବରେ ପରିଣତ କରିଥିଲେ। ପ୍ରଶାସନ ଯାହା କରିପାରିନଥିଲା ତାହା କରି ସାରା ଓଡ଼ିଶାରେ ଚର୍ଚ୍ଚିତ ହୋଇଥିଲେ। ଦିନରାତି ଏକ କରି ନିର୍ମାଣ କରିଥିଲେ ଗାଁକୁ ନିତିଦିନିଆ ରାସ୍ତା। ବିଶାଳ ପାହାଡ଼କୁ ନିହାଣ ମୁନରେ କାଟି ପ୍ରଶାସନର ଆଖି ଖୋଲି ଦେଇଥିଲେ। ସେ ଆଉ କେହି ନୁହନ୍ତି ଓଡ଼ଗାଁ ବ୍ଲକ୍‌ ତୁଲୁବି ଗାଁର ହରି ବେହେରା। ସେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କର ଗୋଟିଏ କିଡ୍‌ନି ଖରାପ ହୋଇଥିବାରୁ ସେ ଏବେ ଶଯ୍ୟାଶାୟୀ। ଲୋକଙ୍କ ସେବାରେ ନିଜ ଜୀବନକୁ ବାଜି ଲଗେଇ ୨୫ ବର୍ଷ କାଳ ପାହାଡ଼ କାଟି ରାସ୍ତା ତିଆରି କରିବାରେ ହରି ବେହେରା ଥିଲେ ପ୍ରମୁଖ ବିନ୍ଧାଣି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ କୌଣସି ପୁରସ୍କାର କି ସମ୍ବର୍ଦ୍ଧନା ଦିଆଯାଇନାହିଁ କିନ୍ତୁ ଆଜି ସେ ଶଯ୍ୟାଶାୟୀ। ଅର୍ଥ ଅଭାବରୁ ସେ କଟକ, ଭୁବନେଶ୍ୱର, ବ୍ରହ୍ମପୁର ଏବଂ ନୟାଗଡ଼ ସବୁ ସ୍ବାସ୍ଥ୍ୟକେନ୍ଦ୍ରରୁ ଫେରି ଆସିଛନ୍ତି। ଏବେ ଘରେ ଅଖିଆ ଅପିଆ ପଡ଼ିରହିଛନ୍ତି। ଏପଟେ ତାଙ୍କର ଏକମାତ୍ର ୩ ବର୍ଷର ପୁଅ ଏବଂ ଦୁଇଜଣ ପତ୍ନୀ ଠାକୁରଙ୍କ ପାଖରେ ସ୍ବାମୀଙ୍କ ଆରୋଗ୍ୟ କାମନା କରିଛନ୍ତି।

News9live

ସୂଚନାଯୋଗ୍ୟ, ତୁଲୁବି ଗ୍ରାମର ହରି ବେହେରା (୫୨) ୧୯୭୦ ମସିହାରେ ନିପଟ ଆଦିବାସୀ ଗାଁରେ ଜନ୍ମଗ୍ରହଣ କରିଥିଲେ। ଗାଁକୁ ରାସ୍ତା ପାଇଁ ତୁଲୁବି ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରିଥିଲେ। ଏମିତିକି ତତ୍କାଳୀନ ବିଧାୟକ ସୀତାକାନ୍ତ ମିଶ୍ରଙ୍କୁ ଗ୍ରାମବାସୀ ରାସ୍ତା ନିର୍ମାଣ ପାଇଁ ଦାବି କରି ନିରାଶ ହୋଇଥିଲେ। ଆଦିବାସୀ ଜଙ୍ଗଲ ମଧ୍ୟଦେଇ ପାଦରେ ଯିବାଆସିବା କରୁଥିଲେ। ଘରକୁ ସଂପର୍କୀୟ ଆସିବାକୁ ହେଲେ ସେହି ଜଙ୍ଗଲିଆ ରାସ୍ତାରେ ଆସୁଥିଲେ ନଚେତ୍ ଅଧାରାସ୍ତାରୁ ଫେରି ଚାଲି ଯାଉଥିଲେ। ଏମିତି ବର୍ଷ ପରେ ବର୍ଷ ବିତିବାରେ ଲାଗିଥିଲା। ହରି ବେହେରା ୧୬ ବର୍ଷ ବୟସରେ ରାସ୍ତା ତିଆରି କରିବାକୁ ସଂକଳ୍ପ ନେଇଥିଲେ। ହାତରେ ହାତୁଡ଼ି, ନିହଣ ଧରି ପାହାଡ଼ ଭାଙ୍ଗିବାରେ ମନ ବଳାଇଥିଲେ। ତାଙ୍କ ବଡ଼ ଭାଇ କୃଷ୍ଣ ବେହେରା ମଧ୍ୟ ହରିଙ୍କ ସାଥ୍‌ ଦେଇଥିଲେ। ଦୁଇଭାଇ ଦିନରାତି ଏକ କରି ୨୫ ବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ଗାଁକୁ ନିତିଦିନିଆ ରାସ୍ତା ନିର୍ମାଣ କରିଥିଲେ। ବଡ଼ଭାଇ କୃଷ୍ଣ ବେହେରା ମଧ୍ୟ କିଡ୍‌ନି ରୋଗରେ ୧୦ ବର୍ଷ ତଳୁ ଆରପାରିକୁ ଚାଲିଗଲେଣି।

Viral Sandesh

ଗତ ୩ବ ର୍ଷ ତଳେ ହରି ବେହେରା କିଡ୍‌ନି ରୋଗରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ। ତାଙ୍କର ବାମ ପଟ କିଡ୍‌ନି ନଷ୍ଟ ହୋଇଥିବା ଡାକ୍ତର କହିଛନ୍ତି। ହରି ଜଣେ ଆଦିବାସୀ ସମୁଦାୟର ବ୍ୟକ୍ତି ହୋଇଥିବାରୁ ତାଙ୍କ ପାଖରେ ଆର୍ଥିକ ସମ୍ବଳ ନାହିଁ ଓ ସେ ଘରେ ପଡି ରହିଛନ୍ତି। ୮ ଦିନ ହେବ ସେ ସଂପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ପଡ଼ିଛନ୍ତି। କଥାବାର୍ତ୍ତା ବନ୍ଦ କରିବା ସହ ଅଖିଆଅପିଆ ଅବସ୍ଥାରେ ପଡିଛନ୍ତି। ଏପଟେ ତାଙ୍କର ଦୁଇ ପତ୍ନୀ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି। ପ୍ରଥମ ପତ୍ନୀ କାଦମ୍ବିନୀ ବେହେରାଙ୍କୁ ବିବାହ କରିବା ପରେ ସନ୍ତାନ ନ ହେବାରୁ ସେ ପାର୍ବତୀ ବେହେରାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ୧ କିଲୋମିଟର ପାହାଡ଼ ଭାଙ୍ଗି ରାସ୍ତା ତିଆରି କରିବା ବିରଳ କାର୍ଯ୍ୟ ବୋଲି କୁହାଯାଉଛି। ହେଲେ ହରି ବେହେରାଙ୍କ କାର୍ଯ୍ୟକୁ ସ୍ବୀକୃତି ମିଳିନି କି ତାଙ୍କ ସମସ୍ୟା ଘୁଞ୍ଚିନି। ତାଙ୍କର ଏହି ସଫଳତା ପରେ ପ୍ରଶାସନ ଗାଁକୁ ମାଟି ପକାଇ ରାସ୍ତା ନିର୍ମାଣ କରିଛି ସତ କିନ୍ତୁ ହରି ବେହେରାଙ୍କ କଥା ଭୁଲିଯାଇଛି। ହରିଙ୍କ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ସହାୟତାର ହାତ ବଢ଼ାନ୍ତେ ତେବେ ତିନି ତିନିଟି ଜୀବନ ବଞ୍ଚିବା ସହିତ ହରି ବେହେରା ନୂଆ ଦୁନିଆ ଦେଖି ପାରନ୍ତେ। ଏମିତି ଜଣେ ସଫଳ ମଣିଷକୁ ବଞ୍ଚାଇବା ପାଇଁ ପ୍ରଶାସନ କି ପ୍ରକାର ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର