ଏମ୍‌ସରେ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ଆଶା ମଉଳୁଛି, ବାଧକ ସାଜିଛି ଅଗ୍ନିସୁରକ୍ଷା ପ୍ରମାଣପତ୍ର

ଭୁବନେଶ୍ୱର : ଆଶା ଥିଲା ଏମ୍‌ସରେ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ହେବ। କିଡ୍‌ନି ଅଚଳ ହୋଇ ପଡ଼ିଥିବା ରୋଗୀ ନୂଆ ଜୀବନ ପାଇବେ। ମାତ୍ର ଏହି ଆଶା ମଉଳିବାରେ ଲାଗିଛି। ଅଗ୍ନିସୁରକ୍ଷା ପ୍ରମାଣପତ୍ର ଅଭାବରୁ ଡିଏମଇଟି ବର୍ତ୍ତମାନ ଏମ୍‌ସକୁ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ପାଇଁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। ଏସଂକ୍ରାନ୍ତରେ ଡିଏମଇଟି ଚିଠି ଲେଖି ଏମ୍‌ସ କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି।

ଏମ୍‌ସରେ ସବୁ ପ୍ରକାର ସ୍ପେସାଲିଷ୍ଟ, ସୁପରସ୍ପେସାଲିଷ୍ଟ ବିଭାଗର ଚିକିତ୍ସା ଏବଂ ଅସ୍ତ୍ରୋପଚାର ହେଉଛି। ଏଭଳି ସ୍ଥିତିରେ ବର୍ତ୍ତମାନ ସମୟରେ ରାଜ୍ୟ ପାଇଁ କିଡ୍‌ନି ପ୍ରତିରୋପଣ କେନ୍ଦ୍ରର ନିହାତି ଆବଶ୍ୟକତା ରହିଛି। ଏହି ସମୁଦାୟ ପ୍ରକ୍ରିୟାରେ ଏମ୍‌ସ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଧାରା ନେଇ ପ୍ରଶ୍ନ ଉଠୁଛି। ଏମ୍‌ସ ଭଳି ଜାତୀୟସ୍ତରୀୟ ଡାକ୍ତରଖାନାକୁ କାହିଁକି ଆଜି ପର୍ଯ୍ୟନ୍ତ ଅଗ୍ନିସୁରକ୍ଷା ପ୍ରମାଣପତ୍ର ମିଳିପାରିନି ତାକୁ ସହଜରେ ଗ୍ରହଣ କରାଯାଇ ପାରୁନାହିଁ। ବିଶେଷଜ୍ଞଙ୍କ ଅନୁସାରେ, ନ୍ୟାସନାଲ ବିଲ୍ଡିଂ କୋଡ୍‌ ଅନୁସାରେ ପ୍ରତ୍ୟେକ ଡାକ୍ତରଖାନା ପାଇଁ ଅଗ୍ନିସୁରକ୍ଷା ପ୍ରମାଣପତ୍ର ନିହାତି ଆବଶ୍ୟକ। କିନ୍ତୁ ନ୍ୟାସନାଲ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ଆକ୍ଟ ଅନୁଯାୟୀ, କିଡ୍‌ନି ଭଳି କୌଣସି ଅଙ୍ଗ ପ୍ରତିରୋପଣ କେନ୍ଦ୍ର ପାଇଁ ଯେଉଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଛି ସେଥିରେ ଅଗ୍ନିସୁରକ୍ଷା ପ୍ରମାଣପତ୍ରକୁ ବାଧ୍ୟତାମୂଳକ କରାଯାଇ ନାହିଁ। ଏମ୍‌ସ ପକ୍ଷରୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଅନେକ ଦିନରୁ ଆବେଦନ କରାଯାଇଛି ବୋଲି ଡିଏମଇଟିଙ୍କୁ ଲିଖିତ ଭାବରେ ଜଣାଯାଇଛି। ପ୍ରାୟ ଅଧିକାଂଶ ମାନଦଣ୍ଡକୁ ଏମ୍‌ସ ପୂରଣ କରିସାରିଛି। ଯେଉଁ କିଛି ମାନଦଣ୍ଡ ରହିଛି ତାକୁ ମଧ୍ୟ ଯଥାଶୀଘ୍ର ପୂରଣ କରାଯିବ। ଯେକୌଣସି ସ୍ଥିତିରେ ଅଗ୍ନିକାଣ୍ଡ ହେଲେ ଏଠାରେ ଅଗ୍ନିନିର୍ବାପକ କେନ୍ଦ୍ର, ଅଗ୍ନିଶମ ଅଧିକାରୀ, ସୁରକ୍ଷା ଅଧିକାରୀ ସହିତ ଆବଶ୍ୟକ ସବୁ ପ୍ରକାର ବ୍ୟବସ୍ଥା ରହିଛି। ଏପରିକି ଅଗ୍ନିସୁରକ୍ଷା ନେଇ ଏଠିକାର କର୍ମଚାରୀମାନଙ୍କୁ ମଧ୍ୟ ନିୟମିତ ପ୍ରଶିକ୍ଷଣ ଦିଆଯାଉଛି। ଏଭଳି ସ୍ଥିତରେ ଅଗ୍ନିସୁରକ୍ଷା ଅନୁମତି ପ୍ରଦାନରେ ବିଳମ୍ବ ହେଲେ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ବିଳମ୍ବିତ ହେବ। ଏଥିପାଇଁ ଭିତ୍ତିଭୂମି ପ୍ରସ୍ତୁତ ନେଇ ଯେଉଁ ଖର୍ଚ୍ଚ ହୋଇଛି ତାହା ପାଣିରେ ପଡ଼ିଯିବ।

ରାଜ୍ୟର ସମୁଦାୟ ଜନସଂଖ୍ୟାର ପ୍ରାୟ ୧ ପ୍ରତିଶତ ବ୍ୟକ୍ତି କିଡ୍‌ନି ସମ୍ପର୍କିତ ବିଭିନ୍ନ ସମସ୍ୟାରେ ପୀଡ଼ିତ। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଡାଏଲିସିସ କିମ୍ବା ପ୍ରତିରୋପଣର ଆବଶ୍ୟକତା ଥାଏ। ମାତ୍ର ରାଜ୍ୟରେ ଏକମାତ୍ର ଏସ୍‌ସିବିରେ ହିଁ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ରହିଛି। ଏମ୍‌ସ କିଡ୍‌ନି ପ୍ରତିରୋପଣ ପାଇଁ ୟୁରୋଲୋଜି ବିଭାଗରେ ପ୍ରତିରୋପଣ ଓଟି, ପ୍ରତିରୋପଣ ଆଇସିୟୁ, ୟୁରୋଲୋଜି ଟିମ୍‌, ନିଶ୍ଚେତକ, ଓ୍ବାର୍ଡ, ବାୟୋକେମେଷ୍ଟ୍ରି, ପେଥୋଲୋଜି, ରେଡିଓଲୋଜି ଆଦି ସୁବିଧା ରହିଛି। ବର୍ତ୍ତମାନ ମଧ୍ୟ ଏଠାରେ ଡାଏଲିସିସ ଚାଲିଛି। ଅନୁମତି ମିଳିଗଲେ ପ୍ରାଥମିକ ପର୍ଯ୍ୟାୟରେ ସପ୍ତାହରେ ଜଣେ କିମ୍ବା ଦୁଇ ଜଣଙ୍କର କିଡ୍‌ନି ପ୍ରତିରୋପଣ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଅଙ୍ଗଦାନ କରିଥିବା ଅନ୍ୟ ବ୍ୟକ୍ତିଙ୍କ କିଡ୍‌ନି ମଧ୍ୟ ପ୍ରତିରୋପଣ କରିବା ପାଇଁ ଲକ୍ଷ୍ୟ ରଖିଛି ଏମ୍‌ସ। ବର୍ତ୍ତମାନ ଏତେ ବଡ଼ ସୁବିଧାରୁ ଓଡ଼ିଶା ସମେତ ପୂର୍ବଭାରତର ରୋଗୀ ବଞ୍ଚିତ ହେବା ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର