ଏସ୍‌ସିବିରେ ପୁଣି ହେବ କିଡ୍‌ନି ପ୍ରତିରୋପଣ : ପ୍ରତିରୋପଣ ପୂର୍ବରୁ ୧୪ ଦିନ ସଂଗରୋଧ, କରୋନା ପରୀକ୍ଷା ବାଧ୍ୟତାମୂଳକ

କଟକ : କରୋନା ପାଇଁ ଏସ୍‌ସିବିରେ ଅଢ଼େଇ ମାସ ହେଲା ବନ୍ଦ ରହିଛି କିଡ୍‌ନି ପ୍ରତିରୋପଣ। ଦାତା, ଗ୍ରହିତା ପ୍ରସ୍ତୁତ ଥିଲେ ବି ସରକାରୀ କଟକଣା ଯୋଗୁଁ ହୋଇ ପାରୁ ନଥିଲା ପ୍ରତିରୋପଣ। ଏବେ ପ୍ରତିରୋପଣ ପାଇଁ ‌ଭାରତ ସରକାର ଓ ନାସନାଲ ଅର୍ଗାନ୍‌ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅରଗାନାଇଜେସେନ୍‌(ନୋଟୋ) ନୂଆ ଗାଇଡ୍‌ଲାଇନ୍‌ ଜାରି କରିବା ପରେ ଜୁନ୍‌ ଶେଷ ସପ୍ତାହ ମଧ୍ୟରେ ଏସ୍‌ସିବିରେ କିଡ୍‌ନି ପ୍ରତିରୋପଣ ଆରମ୍ଭ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ଏଣିକି ଅଙ୍ଗଦାତା, ଗ୍ରହିତାଙ୍କୁ ୧୪ଦିନ ସଙ୍ଗରୋଧ(ଆଇସୋଲେସନ୍‌)ରେ ରଖାଯିବ। ସେହିସମୟ ଭିତରେ ମେସାନଙ୍କର ସମସ୍ତ ପରୀକ୍ଷା ଓ ଡାଏଲିସିସ୍‌ କରାଯିବା ସହ ଅସ୍ତ୍ରୋପଚାର ପାଇଁ ତାରିଖ ଧାର୍ଯ୍ୟ ହେବ। ତେବେ, ଅସ୍ତ୍ରୋପଚାରର ୨୪ରୁ ୪୮ଘଣ୍ଟା ଭିତରେ ଉଭୟ ଦାତା ଓ ଗ୍ରହିତାଙ୍କ କରୋନା ସ୍ବାବ୍‌ ପରୀକ୍ଷା କରାଯିବ। ରିପୋର୍ଟ ନେଗେଟିଭ୍‌ ଆସିଲେ ଅସ୍ତ୍ରୋପଚାର କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ଏସ୍‌ସିବିରେ ୨୦୧୨ରୁ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୧୮୧ଟି ପ୍ରତିରୋପଣ କରାଯାଇଛି। ତା’ସହିତ ତିନୋଟି କାଡାଭେରିକ୍‌ ପ୍ରତିରୋପଣ କରାଯାଇଛି , ଯାହା ରାଜ୍ୟ ଚିକିତ୍ସା ବିଜ୍ଞାନରେ ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ତେବେ, କରୋନା ପାଇଁ ଏବେ ଏସ୍‌ସିବିରେ କିଡ୍‌ନି ପ୍ରତିରୋପଣ ବନ୍ଦ ରହିଛି। ଶେଷଥର ପାଇଁ ମାର୍ଚ୍ଚ ୧୭ରେ ଏଠାରେ କିଡ୍‌ନି ପ୍ରତିରୋପଣ ହୋଇଥିଲା। ସରକାର ସପ୍ତାହକ ତଳେ ସ୍ବାଭାବିକ ଓଟି (ଇଲେକ୍ଟିଭ୍‌) ପାଇଁ ଅନୁମୋଦନ ଦେବା‌ପରେ ତିନିଦିନ ତଳେ ନୋଟୋ ଓ କେନ୍ଦ୍ର ସରକାର ପ୍ରତିରୋପଣ ପାଇଁ ମଧ୍ୟ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହି ନୂଆ ଗାଇଡ୍‌ଲାଇନ୍‌ ଆଧାରରେ ଏସ୍‌ସିବିରେ କିଡ୍‌ନି ପ୍ରତିରୋପଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଏସ୍‌ସିବିରେ ପ୍ରତିରୋପଣ ପାଇଁ ଦୁଇଜଣ ରୋଗୀ ଭର୍ତ୍ତି ହୋଇଥିବାବେ‌ଳେ ଆସନ୍ତା ସୋମବାର ଜୁନ୍‌ ୮ତାରିଖ ଦିନ ଆଉ ଜଣେ ରୋଗୀ ଭର୍ତ୍ତି ହେବାର ସୂଚନା ରହିଛି। ସେମାନଙ୍କୁ ୧୪ଦିନ ଆ‌ଇସୋଲେସନ୍‌ରେ ରଖାଯିବ ଓ ସମସ୍ତ ପ୍ରକ୍ରିୟା ପରେ କିଡ୍‌ନି ପ୍ରତିରୋପଣ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଏସ୍‌ସିବିରେ ଏବେ କିଡ୍‌ନି ପ୍ରତିରୋପଣ ଅପେକ୍ଷାରେ ୭ଜଣ ରହିଥିବା ଜଣାପଡିଛି। ନୂତନ ଗାଇଡ୍‌ଲାଇନ ଅନୁସାରେ ଖୁବ୍‌ଶୀଘ୍ର ଏସ୍‌ସିବିରେ କିଡ୍‌ନିପ୍ରତିରୋପଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର