ପ୍ରଥମ କାଡାଭେରିକ କିଡ୍‌ନି ପ୍ରତିରୋପଣ : ଆପୋଲୋରୁ ଖୁବଶୀଘ୍ର ଡିସଚାର୍ଜ ହେବେ ଘନଶ୍ୟାମ

ପ୍ରିୟଙ୍କାଙ୍କ ଝିଅର ସ୍ବାସ୍ଥ୍ୟାବସ୍ଥା ଏବେ ବି ସଂକଟାପନ୍ନ

ଭୁବନେଶ୍ବର : ଗତ ୩ତାରିଖ ମଧ୍ୟରାତ୍ରରେ ଓଡ଼ିଶାରେ ଦୁଇ ଜଣ ରୋଗୀଙ୍କ ଶରୀରରେ ପ୍ରଥମ କାଡାଭେରିକ କିଡ୍‌ନି ପ୍ରତିରୋପଣ ହୋଇଥିଲା। ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ଥିବା ପ୍ରିୟାଙ୍କାରାଣୀ ପାତ୍ରଙ୍କ ଦୁଇଟି କିଡ୍‌ନିରୁ ଗୋଟିଏ କିଡ୍‌ନି ଏସ୍‌ସିବିର ରୋଗୀ ଫିରୋଜ ସାହୁଙ୍କ ଶରୀରରେ ପ୍ରତିରୋପଣ ହୋଇଥିବା ବେଳେ ଅନ୍ୟଟି ଆପୋଲୋରେ ଥିବା ଘନଶ୍ୟାମ ଜେନାଙ୍କ ଦେହରେ ଲାଗିଥିଲା। ତେବେ ଘନଶ୍ୟାମଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇ ପାରେ ବୋଲି ହସ୍ପିଟାଲ ସୂତ୍ରରୁ ସୂଚନା ମିଳିଛି। ଅପରପକ୍ଷରେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ଫିରୋଜ ସାହୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ମଧ୍ୟ ସୁଧାର ଆସୁଛି। ଏବେ ସେ ଖାଇବା ପିଇବା ଆରମ୍ଭ କରିଛନ୍ତି। ତେବେ ତାଙ୍କୁ କେବେ ଏସ୍‌ସିବରୁ ଡିସଚାର୍ଜ କରାଯିବ ତାହା ସ୍ପଷ୍ଟ ହୋଇନାହିଁ।

ପ୍ରଥମ କାଡାଭେରିକ ପ୍ରତିରୋପଣ ଜରିଆରେ ପ୍ରିୟଙ୍କା ଦୁଇଟି ଜୀବନ ବଞ୍ଚାଇଥିଲେ। ଦୁର୍ଘଟଣାର ଶିକାର ହୋଇ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପ୍ରିୟାଙ୍କାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଗୁରୁତର ହୋଇଥିଲା। ଆପୋଲୋ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିଥିବା ବେଳେ ତାଙ୍କ ପରିବାର ଲୋକ ତାଙ୍କର ଦୁଇ କିଡ୍‌ନିକୁ ଦାନ କରିବା ପାଇଁ ଇଚ୍ଛା ଜାହିର କରିଥିଲେ। ଏହାପରେ ତାଙ୍କର କିଡ୍‌ନି ବାହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଓଡ଼ିଶା ରାଜ୍ୟ ଅଙ୍ଗ ଓ ପ୍ରତିରୋପଣ ପ୍ରତିଷ୍ଠାନ ବା ସୋଟୋକୁ ସୂଚନା ଦିଆଯାଇଥିଲା। ପ୍ରାୟ ସାଢ଼େ ୫ଘଣ୍ଟାର ଅସ୍ତ୍ରୋପଚାର ପରେ ମଧ୍ୟରାତ୍ରିରେ ଏସ୍‌ସିବି ମେଡିକାଲର ଏକ ଡାକ୍ତରୀ ଦଳ କିଡ୍‌ନିକୁ ‌ରାଜଧାନୀରୁ ନେଇ ଏସ୍‌ସିବିରେ ପ୍ରତିରୋପଣ କରିଥିଲେ। ଫିରୋଜ ଏବେ ଆଇସିୟୁରେ ରହିଛନ୍ତି। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ତେବେ ଏସ୍‌ସିବିରେ କିଡ୍‌ନି ପ୍ରତିରୋପଣ ହେଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କର୍ତୃପକ୍ଷ ଅତିକମ୍‌ରେ ୧୦ଦିନ ଆଇସିୟୁରେ ରଖିବା ପାଇଁ ନିୟମ ରଖିଛନ୍ତି। ତେଣୁ ଆଗାମୀ ଦିନରେ ତାଙ୍କ ଡିସଚାର୍ଜ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି। ତେବେ ପ୍ରିୟଙ୍କାଙ୍କ ସହିତ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ତାଙ୍କ ଝିଅର ସ୍ବାସ୍ଥ୍ୟାବସ୍ଥା ଏବେ ବି ସଂକଟାପନ୍ନ ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର