କାଡାଭେରିକ୍‌ କିଡ୍‌ନି ପ୍ରତିରୋପଣ : ଅନ୍ୟ ରାଜ୍ୟଠାରୁ ଓଡ଼ିଶା ଏବେ ବି ପଛୁଆ

ଅଧିକ ପ୍ରତିରୋପଣ ହେଲେ ସଚେତନତା ସୃଷ୍ଟି ହେବ: ଡ.ସମୀରନ୍

ଭୁବନେଶ୍ବର : ଦୁଇଦିନ ତଳେ ରାଜ୍ୟରେ ପ୍ରଥମଥର ଲାଗି କାଡାଭେରିକ କିଡ୍‌ନି ପ୍ରତିରୋପଣକୁ ନେଇ ଚର୍ଚା ଜାରି ରହିଛି। ବ୍ରେନ୍ ଡେଡ୍‌ ବା ମୃତ ମସ୍ତିଷ୍କ ଥିବା ଜଣେ ବ୍ୟକ୍ତିଙ୍କ କିଡ୍‌ନିକୁ ବାହାର କରାଯାଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ଦେହରେ ଏହାକୁ ପ୍ରତିରୋପଣ କରାଯାଇଛି। ଆ ପୋଲୋ ହସ୍ପିଟାଲ ଓ ଏସ୍‌ସିବି ମେଡିକାଲ କଲେଜର ଡାକ୍ତରମାନେ ଏଭଳି ପ୍ରତିରୋପଣ କରି ନୂଆ ଇତିହାସ ସୃଷ୍ଟି କରିଛନ୍ତି। ତେବେ ଏ କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟଠାରୁ ଓଡ଼ିଶା ଏବେବି ବହୁ ପଛରେ ରହିଛି।

ସୂଚନା ଅନୁଯାୟୀ ତାମିଲନାଡ଼ୁରେ ୨୦୦୦ ମସିହାରୁ କାଡାଭେରିକ ପ୍ରତିରୋପଣ ଆରମ୍ଭ ହୋଇଛି। ଗୁଜୁରାଟ, ମହାରାଷ୍ଟ୍ର, କେରଳ ଭଳି ୧୦/୧୧ଟି ରାଜ୍ୟ କାଡାଭେରିକ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଛି। ମାତ୍ର ଓଡ଼ିଶାରେ ଲୋକମାନଙ୍କ ମଧ୍ୟରେ ଏଥିପାଇଁ ସଚେତନତାର ଅଭାବ ଓ ସରକାରୀ ସ୍ତରରେ ଉଦାସୀନତା ଯୋଗୁଁ ବହୁ ବିଳମ୍ବରେ ଏହା ଆରମ୍ଭ ହେଲା। ଗତବର୍ଷ ଓଡ଼ିଶା ରାଜ୍ୟ ଅଙ୍ଗ ଓ ପ୍ରତି‌ରୋପଣ ସଂଗଠନ ବା ସୋଟୋ ଗଠନ କରାଯାଇଥିଲା। ଏଣିକି ସୋଟୋ ରାଜ୍ୟରେ କାଡାଭେରିକ ପ୍ରତିରୋପଣର ତଦାରଖ କରିବ। ଏବେ ରାଜ୍ୟରେ କେବଳ କିଡ୍‌ନିର କାଡାଭେରିକ ପ୍ରତିରୋପଣ ସମ୍ଭବ ହୋଇପାରିଛି। ମାତ୍ର ଅନ୍ୟ ଅଙ୍ଗର ପ୍ରତିରୋପଣ ଆରମ୍ଭ ହୋଇନାହିଁ। ମାତ୍ର ଓଡ଼ିଶାର ଅନେକ ଲୋକ ଅନ୍ୟ ରାଜ୍ୟରେ ନିଜର ଅଙ୍ଗ ପ୍ରତିରୋପଣ ପାଇଁ ଅପେକ୍ଷା କରି ରହିଛନ୍ତି।

ଆପୋଲୋ ହସ୍ପିଟାଲ‌ରେ କାଡାଭେରିକ ପ୍ରତିରୋପଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ୟୁରୋଲୋଜି ବିଭାଗର ବରିଷ୍ଠ ଡାକ୍ତର ସମୀରନ ଦାସଅଧିକାରୀ। ଡା.ଦାସଅଧିକାରୀଙ୍କ ସମେତ ଆପୋଲୋ ଟିମ୍ ସାଢ଼େ ୪ଘଣ୍ଟାର ଅସ୍ତ୍ରୋପଚାର ପରେ କିଡ୍‌ନି କଢ଼ା ଯାଇଥିଲା। ପରେ କଟକସ୍ଥିତ ଏସ୍‌ସିବିରେ ଥିବା ଜଣେ ବ୍ୟକ୍ତିଙ୍କ ଦେହରେ ଏହାକୁ ପ୍ରତି‌ରୋପଣ କରାଯାଇଥିଲା। ଏହି ସଫଳ ପ୍ରଚେଷ୍ଟା ସଂପର୍କରେ ଡା.ଦାସଅଧିକାରୀ କହିଛନ୍ତି, କାଡାଭେରିକ ପ୍ରତିରୋପଣ ରାଜ୍ୟରେ ବହୁ ବିଳମ୍ବରେ ଆରମ୍ଭ ହୋଇଛି। ବ୍ରେନ୍ ଡେଡ୍ ବା ମସ୍ତିଷ୍କ ମୃତ ହୋଇଥିବା ବ୍ୟକ୍ତିଙ୍କଠାରୁ ଅଙ୍ଗ କଢ଼ାଯାଇ କିଡ୍‌ନି ଅପେକ୍ଷାରେ ଥିବା ବ୍ୟକ୍ତିଙ୍କ ଶରୀରରେ ଏହାକୁ ପ୍ରତିରୋପଣ କରାଯାଇଥାଏ। ମାତ୍ର ଲୋକମାନଙ୍କ ମଧ୍ୟରେ ଏଥିପାଇଁ ସଚେତନତାର ଅଭାବ ରହିଛି। ଯେହେତୁ ରାଜ୍ୟରେ କିଡ୍‌ନି ଖରାପ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ଡାଏଲିସିସର ସୁବିଧା ରହିଛି ତେଣୁ କାଡାଭେରିକ ପ୍ରତିରୋପଣ ଦିଗରେ ରାଜ୍ୟରେ ବିଶେଷ ସମସ୍ୟା ହୋଇନାହିଁ। ତେବେ ଅନ୍ୟ ଅଙ୍ଗ ଯଥା ଯକୃତ, ଫୁସଫୁସର କାଡ‌ାଭେରିକ ପ୍ରତିରୋପଣ ପାଇଁ ଓଡ଼ିଶାର ରୋଗୀମାନଙ୍କୁ ବାହାର ରାଜ୍ୟରେ ନିର୍ଭର କରିବାକୁ ପଡ଼ୁଛି। ଯଦି ଓଡ଼ିଶାରେ ପ୍ରତି ମାସରେ ଏଭଳି ୨୦/୩୦ କାଡାଭେରିକ ପ୍ରତିରୋପଣ କରାଯିବ ତାହାଲେ ଲୋକମାନଙ୍କ ମଧ୍ୟରେ ଏଥିପାଇଁ ସଚେତନତା ସୃଷ୍ଟି ହେବ। ଅଙ୍ଗଦାନ ପାଇଁ ଲୋକମାନେ ଆଗେଇ ଆସିବା ସହିତ ଅଙ୍ଗ ପ୍ରତିରୋପଣ ପାଇଁ ଲୋକମାନଙ୍କୁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କେବଳ ଶରୀରରୁ ଅଙ୍ଗ କାଢ଼ି ଦେଲେ ହେବ ନାହିଁ ଏହାକୁ କିଭଳି ଭାବେ ଅନ୍ୟ ଲୋକର ଶରୀରରେ ପ୍ରତିରୋପଣ ହେବ ଓ ସଂପୃକ୍ତ ବ୍ୟକ୍ତି ସୁସ୍ଥ ରହିବେ ତାହା ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ ବୋଲି ଡା.ଦାସଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ କାଡାଭେରିକ ପ୍ରତିରୋପଣ ଅପେକ୍ଷାରେ ୨୫ଜଣ କିଡ୍‌ନି ରୋଗୀ ରହିଛନ୍ତି। ତହିଁରୁ ଏସ୍‌ସିବି ମେଡିକାଲ କଲେଜରେ ୧୦ଜଣ ରହିଥିବା ବେଳେ ଅନ୍ୟମାନେ ଆପୋଲୋ ହସ୍ପିଟାଲରେ ପ୍ରତୀକ୍ଷାରେ ରହିଛନ୍ତି। ଯଦି ଆଗାକୁ ଯାଇ କୌଣସି ବ୍ରେନ୍ ଡେ‌ଡ୍ ବ୍ୟକ୍ତିଙ୍କ ଅଙ୍ଗଦାନ ପାଇଁ ରାଜି ହୁଅନ୍ତି ତେବେ ପ୍ରତୀକ୍ଷାରେ ଥିବା ‌ବ୍ୟକ୍ତିମାନଙ୍କୁ ଏହି କିଡ୍‌ନି ମିଳିପାରିବ।

୮ବର୍ଷରେ ୧୦୭୭ ଜଣଙ୍କ କିଡ୍‌ନି ପ୍ରତିରୋପଣ
କାଡାଭେରିକ ପ୍ରତିରୋପଣ ପୂର୍ବରୁ ରାଜ୍ୟରେ ବଞ୍ଚିଥିବା ବା ଜୀବନ୍ତ ବ୍ୟକ୍ତିଙ୍କ ଶରୀରରୁ କିଡ୍‌ନି ପ୍ରତିରୋପଣ ଗତ ୮ବର୍ଷ ତଳୁ ଆରମ୍ଭ ହୋଇଛି। ରାଜ୍ୟର ୪ଟି ମେଡିକାଲରେ ଏ ପର୍ଯ୍ୟନ୍ତ ୧୦୭୭ଜଣଙ୍କ କିଡ୍‌ନି ପ୍ରତିରୋପଣ କରାଯାଇଛି। ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମେ କଳିଙ୍ଗ ହସ୍ପିଟାଲରେ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ୨୦୧୧ ମସିହାରୁ ଏ ପର୍ଯ୍ୟନ୍ତ କଳିଙ୍ଗ ହସ୍ପିଟାଲରେ ୪୮୦ଜଣଙ୍କର ପ୍ରତିରୋପଣ ହୋଇଥିବା‌ ବେଳେ ଆମ୍ରି ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୧୨୫ ଜଣଙ୍କ ପ୍ରତିରୋପଣ ହୋଇଛି। ଆପୋଲୋ ହସ୍ପିଟାଲରେ ୨୦୧୨ ମସିହାରୁ ଏ ପର୍ଯ୍ୟନ୍ତ ୩୧୦ଜଣ ଓ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ୧୬୨ଜଣଙ୍କ କିଡ୍‌ନି ପ୍ରତିରୋପଣ ହୋଇଥିବା ସୂଚନା ମିଳିଛି। ଅଙ୍ଗ ପ୍ରତିରୋପଣ ଆଇନ ଅନୁସାରେ ରାଜ୍ୟରେ ଜୀବନ ବ୍ୟକ୍ତି ନିଜ ସଂପର୍କୀୟ କିମ୍ବା ଅନ୍ୟ ବ୍ୟକ୍ତିଙ୍କୁ କିଡ୍‌ନି ପ୍ରତିରୋପଣ ହେଉଛି। ଏଥିପାଇଁ ରାଜ୍ୟରେ ଏକ କମିଟି ରହିଛି। ପ୍ରତିମାସରେ ୨ଥର ଏହି କମିଟି ବସିବା ସହିତ କେଉଁ ବ୍ୟକ୍ତିମାନଙ୍କୁ କିଡ୍‌ନି ପ୍ରତିରୋପଣ ପାଇଁ ଅନୁମତି ଦିଆଯିବ ତାହା ସଂପର୍କରେ ନିଷ୍ପତ୍ତି ନିଆଯାଉଛି। ତେବେ ଅନେକ ସମୟରେ ଏହି କିଡ୍‌ନି ପ୍ରତିରୋପଣକୁ ନେଇ ବିବାଦ ଦେଖା ଦେଇଛି।

ସମ୍ବନ୍ଧିତ ଖବର