ଶିଶୁଭବନରେ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା : ଖୋଲିବ ପେଡିଆଟ୍ରିକ୍ ନେଫ୍ରୋଲୋଜି ବିଭାଗ

ଆସିବ ୨ କୋଟିର ଡାଏଲିସିସ୍ ମେସିନ
‌ରୋଗୀଙ୍କୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି

କଟକ : ଶେଷରେ ଶିଶୁଭବନରେ ଖୋଲିବାକୁ ଯାଉଛି ରାଜ୍ୟର ପ୍ରଥମ ପେଡିଆଟ୍ରିକ୍ ନେଫ୍ରୋଲୋଜି ବିଭାଗ। ଓଲଡ୍ ମେଡିକାଲ୍ ଓାର୍ଡ-୨ର ଦୁଇଟି ରୁମ୍‌ରେ ୧୨ ବେଡ୍ ବିଶିଷ୍ଟ ବିଭାଗ ଖୋଲିବାକୁ ଯାଉଛି। ନେଫ୍ରୋଲୋଜି ବିଭାଗ ଶିଶୁଭବନରେ ଆବଶ୍ୟକତା ଥିବାବେଳେ କେବେ ଏହି ଗୁରୁତ୍ବପୂର୍ଣ୍ଣ ବିଭାଗ ଖୋଲାଯିବ, ସେ ସମ୍ପର୍କରେ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଶେଷରେ ବିଭାଗ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏବେ ବିଭାଗର ନିର୍ମାଣ କାମ ଆରମ୍ଭ ହୋଇଛି। ଏହି ବିଭାଗରେ ଶିଶୁ ରୋଗୀଙ୍କ କିଡନି ପ୍ରତିରୋପଣ ବ୍ୟବସ୍ଥା ରାଜ୍ୟରେ ପ୍ରଥମଥର ସଫଳ ହେବାକୁ ଯାଉଛି।

ସୂଚନା ଅନୁଯାୟୀ, ଜନ୍ମରୁ ୧୪ ବର୍ଷ ଭିତରେ ଜନ୍ମଗତ ସମସ୍ୟା, ମ୍ୟାଲେରିଆ ଏବ˚ ସେପ୍ଟିସେମିଆ କାରଣରୁ ଶିଶୁଙ୍କ କ୍ଷେତ୍ରରେ କିଡ୍‌ନି ରୋଗ ଦେଖାଯାଉଛି। ଶିଶୁଭବନରେ ଭର୍ତ୍ତି ହେଉଥିବା ଶିଶୁଙ୍କୁ ପେଟା ଡାଏଲିସିସ୍‌ ମାଧ୍ୟମରେ ଶିଶୁଭବନରେ ଚିକିତ୍ସା କରାଯାଉଛି। ଏହି ଡାଏଲିସିସ୍ ପ୍ରକ୍ରିୟା ମାଧ୍ୟମରେ କିଡନି ରୋଗୀ ସୁସ୍ଥ ହେବାର ଆଶା ଖୁବ କମ୍‌ ଥାଏ। ହେମୋ ଡାଏଲିସିସ୍ ବା ବ୍ଲଡ୍ ଡାଏଲିସିସ୍ ଭଳି ଅତ୍ୟାଧୁନିକ ପ୍ରକ୍ରିୟା ମାଧ୍ୟମରେ ଶିଶୁର ଚିକିତ୍ସାର ଆବଶ୍ୟକତା ରହିଛି। ଶିଶୁଭବନରେ ସେଭଳି ବ୍ୟବସ୍ଥା ନଥିବାରୁ ଶିଶୁ ରୋଗୀଙ୍କୁ ଭେଲୋରର ଖ୍ରୀଷ୍ଟିଆନ୍‌ ମେଡିକାଲ୍‌ କଲେଜ୍‌, ବେଙ୍ଗାଲୁର‌୍‌, କୋଲକାତା, ଦିଲ୍ଲୀ ଏମ୍‌ଏସ୍‌ରେ ଖୋଲିଥିବା ପେଡିଆଟ୍ରିକ ନେଫ୍ରୋଲୋଜି ବିଭାଗକୁ ସ୍ଥାନାନ୍ତର କରାଯାଉଥିଲା। ତୁରନ୍ତ ଚିକିତ୍ସା ପାଇଁ ଓଡ଼ିଶା ବାହାରକୁ ନନେଲେ ଉକ୍ତ ଶିଶୁ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ଯଥେଷ୍ଟ ଅଧିକ ଥିବାରୁ ଶିଶୁଭବନରେ ‌େପଡିଆଟ୍ରିକ୍ ନେଫ୍ରୋଲଜି ବିଭାଗ ଖୋଲିବାର ଆବଶ୍ୟକତା ଥିଲା।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଶିଶୁଭବନରେ ପେଡିଆଟ୍ରିକ ନେଫ୍ରୋଲୋଜି ବିଭାଗ ଚଲାଇବାକୁ ଜଣେ ମାତ୍ର ଡାକ୍ତର ଥିବା ବେଳେ ସେ ଲଣ୍ଡନରୁ ତାଲିମ ନେଇ ଆସିଛନ୍ତି। କିନ୍ତୁ ବିଭାଗ ଓ ଅତ୍ୟାଧୁନିକ ହେମୋ ଡାଏଲସିସିସ୍ ମେସିନ୍ ନଥିବାରୁ କିଡନି ରୋଗୀଙ୍କ ଚିକିତ୍ସା କରାଯାଇ ପାରୁ ନଥିଲା।

ଏ ସଂକ୍ରାନ୍ତରେ ତଥ୍ୟଭିତ୍ତିକ ରିପୋର୍ଟ ‘ସମ୍ବାଦ’ରେ ୨୦୧୯ ଜୁନ ୨୭ ତାରିଖରେ ପ୍ରକାଶ ପାଇଥିଲା। ରିପୋର୍ଟ ଆଧାରରେ ଚଳିତ ବର୍ଷ ନେଫ୍ରୋଲୋଜି ବିଭାଗ ଖୋଲିବାକୁ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ରାଜ୍ୟରେ ବଡ଼ ମେଡିକାଲକୁ ମିଶାଇ ଭୁବନେଶ୍ବରରେ ୩ଟି ପ୍ରମୁଖ ହସପିଟାଲରେ କିଡନି ପ୍ରତିରୋପଣ ବୟସ୍କ ରୋଗୀଙ୍କର କରାଯାଉଛି। କିନ୍ତୁ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନଥିଲା। କିଡନି ପ୍ରତିରୋପଣ ଘରୋଇ ହସପିଟାଲରେ କଲେ ଅତି କମ୍‌ରେ ୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ଜଣେ ଡାକ୍ତର କହିଛନ୍ତି। ଏହି ବ୍ୟବସ୍ଥା ଶିଶୁଭବନରେ ଆରମ୍ଭ ହେଲେ ସମ୍ପୂର୍ଣ୍ଣ ମାଗଣାରେ ରୋଗୀ ଏହି ସୁବିଧା ପାଇପାରିବେ।

ମିଳିଥିବା ସୂଚନା ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ ବିଭାଗ ଦାୟିତ୍ବରେ ଜଣେ ନେଫ୍ରୋଲୋଜିଷ୍ଟ ରହିବେ। ତାଙ୍କୁ ସହଯୋଗ କରିବା ପାଇଁ ୩ଟି ପର୍ଯ୍ୟାୟରେ ଦୁଇ ଜଣ ଲେଖାଏ ପିଜି ଡାକ୍ତର ଓ ଦୁଇ ଜଣ ନର୍ସ ନିୟୋଜିତ ହେବେ। ଓଏସ୍ଏମସି(ଓଡିଶା ଷ୍ଟେଟ୍ ମେଡିକାଲ୍ କର୍ପୋରେସନ୍‌) ପକ୍ଷରୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଅତ୍ୟାଧୁନିକ ହେମୋ ଡାଏଲିସିସ୍ ମେସିନ୍ ନିକଟରେ ଆସିଛି। ଆହୁରି ୮ଟି ହେମୋ ଡାଏଲସିସ୍ ମେସିନ୍ ଶିଶୁଭବନକୁ ଆସିବାକୁ ଯାଉଛି। ଏହାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ବୋଲି ଆକଳନ କରାଯାଉଛି। ଶିଶୁଭବନରେ ଥିବା ଟେଲିମେଡିସିନ୍‌ ସେଣ୍ଟର‌୍‌ ମାଧ୍ୟମରେ ଅନଲାଇନ୍‌ରେ ନେଫ୍ରୋଲୋଜି ବିଭାଗ ଡାକ୍ତରଙ୍କୁ ଚିକିତ୍ସା ପରାମର୍ଶ ଦେବା ପାଇଁ ନୋବେଲ ପୁରସ୍କାର ବିଜେତା କାନାଡା ଡାକ୍ତରଙ୍କୁ ଚୟନ କରାଯାଇଛି। ଏଥିପାଇଁ ଓଡ଼ିଶା ସରକାର ଓ କାନାଡାର ମ୍ୟାଗିଲ୍‌ ବିଶ୍ବବିଦ୍ୟାଳୟ ମଧୢରେ ଏକ ଚୁକ୍ତିନାମା ୨୦୧୬ ଡିସେମ୍ବରରେ ସ୍ବାକ୍ଷର ହୋଇଥିବା ଶିଶୁଭବନ ପକ୍ଷରୁ ସୂଚନା ମିଳିଛି।

ଶିଶୁଭବନ ଅଧିକ୍ଷକ ପ୍ରଫେସର ଡାକ୍ତର ଜ୍ଞାନେନ୍ଦ୍ରନାଥ ବେହେରା କହିଛନ୍ତି ଯେ, ଶିଶୁଭବନରେ ପେଡିଆଟ୍ରିକ ନେଫ୍ରୋଲୋଜି ବିଭାଗ ଖୋଲିବାକୁ ଯାଉଛି। ଏବେ ୟୁନିଟ୍ ଖୋଲିବା ପୂର୍ବରୁ ସମସ୍ତ ଯନ୍ତ୍ରାଂଶ କିଣାଯାଉଛି। ନିର୍ଦ୍ଦିଷ୍ଟ ଭାବେ କେତେ କର୍ମଚାରୀ ନୂଆ ବିଭାଗରେ ନିୟୋଜିତ ହେବେ ସେ ନେଇ ପ୍ରସ୍ତୁତି ଚାଲିଛି। ଏହାବାଦ୍ ଶିଶୁରୋଗୀଙ୍କ କିଡନି ପ୍ରତିରୋପଣ କେଉଁ ଡାକ୍ତର କରିପାରିବେ, ସେମାନଙ୍କ ସହିତ ଯୋଗାଯୋଗ କରାଯାଉଥିବା ଡାକ୍ତର ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର