ଭିମ୍‌ସାର ଓ ଏମ୍‌କେସିଜିରେ ହୋଇନି କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା, ଅଧିକାଂଶ ଜିଲ୍ଲାରେ ନାହାନ୍ତି କିଡ୍‌ନି ରୋଗ ବିଶେଷଜ୍ଞ

ଭୁବନେଶ୍ବର: ରାଜ୍ୟର ସମୁଦାୟ ଜନସଂଖ୍ୟାର ୧୦ ପ୍ରତିଶତ ହେଉଛନ୍ତି କିଡ୍‌ନି ରୋଗୀ। ମାତ୍ର କଟକ, ଭୁବନେଶ୍ବର, ବ୍ରହ୍ମପୁର ବ୍ୟତୀତ ଅନ୍ୟ କୌଣସି ଜିଲ୍ଲାରେ ନାହାନ୍ତି କିଡ୍‌ନି ରୋଗ ବିଶେଷଜ୍ଞ। କିଡ୍‌ନି ରୋଗ ଚିକିତ୍ସା କରୁଥିବା ପ୍ରତ୍ୟେକ ଡାକ୍ତରଖାନାରେ କିଡ୍‌ନି ପ୍ରତିରୋପଣ ପାଇଁ ୨୦୧୦ ମସିହାରୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥିଲେ ହେଁ ଆଜି ସୁଦ୍ଧା ବୁର୍ଲା ସ୍ଥିତ ଭିମ୍‌ସାର, ବ୍ରହ୍ମପୁର ସ୍ଥିତ ଏମ୍‌କେସିଜିରେ ଆରମ୍ଭ ହୋଇ ପାରିନାହିଁ। କଟକ ବଡ଼ ଡାକ୍ତରଖାନାରେ ମଧ୍ୟ ପ୍ରତିରୋପଣ ସଂଖ୍ୟା ଆଶାଜନକ ନୁହେଁ। ମୃତ୍ୟୁ ପରେ କିଡ୍‌ନି ଦାନ ମଧ୍ୟ ରାଜ୍ୟରେ ସଫଳ ହୋଇ ପାରୁନାହିଁ। ଆଜି ପର୍ଯ୍ୟନ୍ତ କେବଳ ୩ ଜଣ ମୃତବ୍ୟକ୍ତିଙ୍କ କିଡ୍‌ନି ନିଆଯାଇଛି ଏବଂ ଏଥିରୁ ୫ ଜଣ ଲାଭାନ୍ବିତ ହୋଇଛନ୍ତି।

ରାଜ୍ୟରେ ବଢ଼ିବାରେ ଲାଗିଛି କିଡ୍‌ନି ରୋଗୀ ସଂଖ୍ୟା। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ, ବରଗଡ଼ ଜିଲ୍ଲାର ଅତାବିରା, କଟକ ଜିଲ୍ଲା ନରସିଂହପୁର, ନୟାଗଡ଼, ସୋନପୁର, ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ, ଯାଜପୁର ଜିଲ୍ଲାର ସୁକିନ୍ଦା, ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନକୁ କିଡ୍‌ନି ରୋଗ ପ୍ରଭାବିତ ଅଞ୍ଚଳ ଭାବରେ ଚିହ୍ନଟ ହୋଇଥିବା କହିଛନ୍ତି ଡା.ନିଶୀଥ ମହାନ୍ତି। ତେବେ, ଯେଉଁ ସଂଖ୍ୟାରେ ରୋଗ ବଢୁଛି ସେହି ହିସାବରେ କିଡ୍‌ନି ରୋଗ ବିଶେଷଜ୍ଞ କିମ୍ବା ଡାଏଲିସିସ ମେସିନ ମଧ୍ୟ ନାହିଁ।

ସାମାଜିକ କାର୍ଯ୍ୟକର୍ତ୍ତା ତ୍ରୈଲୋକ୍ୟ ନାଥ ପଣ୍ଡା କହିଛନ୍ତି, କିଡ୍‌ନି ରୋଗ ବିଶେଷଜ୍ଞ ସମସ୍ୟା ସମାଧାନ ପାଇଁ ୨୦୧୩ ମସିହାରେ କଟକ ଡାକ୍ତରଖାନାରେ ଡିଏମ ନେଫ୍ରୋଲୋଜି କୋର୍ସ ଆରମ୍ଭ ହେଲା। ୨୦୧୬ ମସିହାରେ ପ୍ରଥମ କରି ୩ ଜଣ ବାହାରିଲେ। ବର୍ତ୍ତମାନ ସୁଦ୍ଧା ଏଠାରୁ ୧୮ ଜଣ କିଡ୍‌ନି ରୋଗ ବିଶେଷଜ୍ଞ ବାହାରିଥିଲେ ମଧ୍ୟ ଏହି ସଙ୍କଟର ସମସ୍ୟା ସମାଧାନ ହୋଇପାରି ନାହିଁ। ୨୦୦୪ ମସିହାରେ ବିଶ୍ବ ବ୍ୟାଙ୍କ ସହାୟତାରେ ରାଜ୍ୟର ୪ଟି ସ୍ଥାନ ଭୁବନେଶ୍ବର ସ୍ଥିତ କ୍ୟାପିଟାଲ, କୋରାପୁଟ, ବାରିପଦା, ସୁନ୍ଦରଗଡ଼ ଡାକ୍ତରଖାନାରେ ଡାଏଲିସିସ ମେସିନ କ୍ରୟ କରାଯାଇଥିଲା। ୨୦୧୦ ମସିହା ପର୍ଯ୍ୟନ୍ତ ଏହା ଅନୁପଯୋଗୀ ହୋଇ ରହିଗଲା। ଏହାପରେ ସୁନ୍ଦରଗଡ଼ରୁ ବୁର୍ଲା, କୋରାପୁଟରୁ ବ୍ରହ୍ମପୁରକୁ ଡାଏଲିସିସ ମେସିନ ସ୍ଥାନାନ୍ତରଣ ହେଲା। ସମସ୍ତ ସଦର ଡାକ୍ତରଖାନାରେ ଡାଏଲିସିସ ମେସିନ ପାଇଁ ନିର୍ଦେଶ ହୋଇଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ଏହା କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ହୁଏ। ରାଜ୍ୟରେ କିଡ୍‌ନି ପ୍ରତିରୋପଣର ଇତିହାସ ରାଜ୍ୟରେ ପ୍ରଥମ କିଡନି ପ୍ରତିରୋପଣ ୧୯୮୫ ମସିହା ଜୁନ ମାସ ବୁର୍ଲା ବୀର ସୁରେନ୍ଦ୍ର ସାଏ ଡାକ୍ତରଖାନାରେ ହୋଇଥିଲା(ଏହି ରୋଗୀ ଦେଢ଼ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିଲେ)। ଔଷଧ ଖର୍ଚ ବହନ କରି ନ ପାରିବାରୁ ତାଙ୍କ ମୃତ୍ୟୁ ହେଲା ବୋଲି କୁହାଯାଏ। ଏହାର ୧୭ ବର୍ଷ ପରେ ୨୦୦୨ ମସିହା ନଭେମ୍ବର ମାସରେ କଳିଙ୍ଗ ହସ୍ପିଟାଲରେ ଆଉ ଜଣେ ରୋଗୀଙ୍କ କିଡ୍‌ନି ପ୍ରତିରୋପଣ ହୋଇଥିଲା। ଉଭୟ କ୍ଷେତ୍ରରେ ମା’ ହିଁ ନିଜ ନିଜ ପୁଅଙ୍କୁ କିଡ୍‌ନି ଦେଇଥିଲେ।

୨୦୧୦ ମସିହା ଅଗଷ୍ଟ ମାସରେ ଛତ୍ରପୁରର ଜଣେ ରୋଗୀ ହାଇକୋର୍ଟରେ ରିଟ୍‌ ପିଟିସନ ପରେ କଟକ, ବୁର୍ଲା, ବ୍ରହ୍ମପୁର ‌ମେଡିକାଲ କଲେଜ ହସ୍ପିଟାଲରେ କିଡନି ପ୍ରତିରୋପଣ ବ୍ୟବସ୍ଥା କରିବାକୁ ନିର୍ଦେଶ ହେଲା। ଏହାପରେ ୨୦୧୨ ମସିହା ମାର୍ଚ ମାସ ୧୯ ତାରିଖରେ କଟକରେ କିଡନି ପ୍ରତିରୋପଣ ଆରମ୍ଭ ହୋଇଥିଲା। ମୃତ୍ୟୁ ପରେ କିଡ୍‌ନି ନିଆଯାଇ ଅନ୍ୟରୋଗୀଙ୍କଠାରେ ପ୍ରତିରୋପଣ ୨୦୨୦ ମସିହା ଫେବ୍ରୁଆରି ମାସରେ ହୋଇଥିଲା। ଦୁର୍ଘଟଣାର ଶିକାର ହୋଇ ବ୍ରେନଡେଡ୍‌ ହୋଇଥିବା ପ୍ରିୟଙ୍କା ରାଣୀ ପାତ୍ରଙ୍କ ଦୁଇଟି କିଡ୍‌ନିକୁ ତାଙ୍କ ପରିବାରବର୍ଗ ଦାନ କରିଦେବା ପରେ ଆପୋଲୋ ହସ୍ପିଟାଲର ଜଣେ ରୋଗୀ ଏବଂ ଏସ୍‌ସିବିର ଜଣେ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଏହାପରେ ବ୍ରେନଡେଡ୍ ହୋଇଥିବା ଆଉ ୨ ଜଣ ରୋଗୀଙ୍କ କିଡ୍‌ନି ୨ଟି ଭିନ୍ନ ଘରୋଇ ଡାକ୍ତରଖାନାରେ ରୋଗୀଙ୍କଠାରେ ପ୍ରତିରୋପଣ ହୋଇଥିଲା।

ସମ୍ବନ୍ଧିତ ଖବର