ଭୁବନେଶ୍ୱର: କଟକର ଏସସିବି ଓ ଅଶ୍ବିନୀ ହସ୍ପିଟାଲ୍ ପରେ ରାଜ୍ୟର ଆଉ ଦୁଇଟି ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ୍। ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। କିମ୍ସ ହସ୍ପିଟାଲରେ ୧୪ କରୋନା ରୋଗୀ ଚିକିତ୍ସାଧୀନ ଥିବାର ସୂଚନା ମିଳିଛି।
ଅପରପକ୍ଷରେ ରାଉରକେଲାରେ ଥିବା ହାଇଟେକ୍ କୋଭିଡ୍ ହସ୍ପିଟାଲ୍ ବି କାର୍ଯ୍ୟକ୍ଷମ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ଏବେ କଟକର ଅଶ୍ବିନୀ ହସ୍ପିଟାଲରେ ୧୯ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।
ଏଣେ ଏସ୍ସିବିରେ କରୋନା ପରୀକ୍ଷା ଲାଗି ଗତକାଲି ୨୮ଟି ନମୁନା ସଂଗ୍ରହ କରାଯାଇଥିଲା। ପୂର୍ବ ଦିନ ହୋଇଥିବା ସମସ୍ତ ନମୁନାର ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା। କଟକର ଯେଉଁ ନିଜାମୁଦ୍ଦିନ୍ ଫେରନ୍ତା କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ପରୀକ୍ଷା ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି। ଅନ୍ୟପଟେ, ଏସ୍ସିବିରେ ଖୋଲା ଯାଇଥିବା ସ୍ୱତନ୍ତ୍ର କରୋନା ୱାର୍ଡକୁ ଆଜି ୩୦ରୁ ଅଧିକ ଲୋକ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିଥିଲେ। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଚିକିତ୍ସା ଲାଗି କରୋନା ୱାର୍ଡରେ ଭର୍ତ୍ତି କରାଯାଇଥିଲା।