ଭୁବନେଶ୍ୱର : ଦି ଟାଇମ୍ସ ହାୟର ଏଜୁକେସନ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ-୨୦୨୨ରେ କିଟ୍ ବିଶ୍ୱବିଦ୍ୟାଳୟ ଉତ୍ତମ ପ୍ରଦର୍ଶନ କରିଛି। ଏଥିରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କିଟ୍ ୭ଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ରହିଛି। କିଟ୍ର ଓଭରାଲ୍ ସ୍କୋର ୩୨+ ରହିଥିବା ବେଳେ ସମଗ୍ର ଏସିଆ ମହାଦେଶରେ କିଟ୍ ୨୦୧+ ରାଙ୍କ ବଜାୟ ରଖିଛି। ଭାରତର ଅଳ୍ପ କେତେକ ଖ୍ୟାତିସମ୍ପନ୍ନ ବିଶ୍ୱବିଦ୍ୟାଳୟ ଏହି ରୢାଙ୍କରେ ରହିଛନ୍ତି।
ଜେନେରାଲ୍ ଇଞ୍ଜିନିୟରିଂର ଓଭରାଲ୍ ବର୍ଗରେ ଶ୍ରେଷ୍ଠ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୧୨ତମ ସ୍ଥାନକୁ ଉନ୍ନୀତ ହୋଇ କିଟ୍ ଦେଶର ବିଭିନ୍ନ ଆଇଆଇଟି, ଏନ୍ଆଇଟି ଓ ଖ୍ୟାତିସମ୍ପନ୍ନ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜର ଟେକ ବଜାୟ ରଖିଛି। ଟାଇମ୍ସ ହାୟର ଏଜୁକେସନ୍ ପକ୍ଷରୁ ସାଇଟେସନ୍, ଗବେଷଣା, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଓ ଇଣ୍ଡଷ୍ଟ୍ରି ଇନ୍କମ୍ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ରାଙ୍କିଙ୍ଗ କରାଯାଇଛି। ଟାଇମ୍ସ ହାୟର୍ ଏଜୁକେସନ୍ ପକ୍ଷରୁ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠା ଲାଭ କରିଥିବା ଏସିଆର ଲବ୍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଏହି ଚୟନ ପ୍ରକ୍ରିୟାରେ ସାମିଲ୍ କରାଯାଇଛି।
ଏହା ପୂର୍ବରୁ କିଟ୍ ଅନ୍ତର୍ଜାତୀୟସ୍ତରରେ ହେଉଥିବା ବିଭିନ୍ନ ରୢାଙ୍କିଙ୍ଗରେ ଲଗାତାର ଉତ୍ତମ ପ୍ରଦର୍ଶନ କରିଆସୁଛି। ଏହି ସଫଳତା ପାଇଁ କିଟ୍ ଓ କିସ୍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଶୁଭେଚ୍ଛୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ପ୍ରତିବର୍ଷ ଦେଶର ପ୍ରତିଷ୍ଠିତ ଆଇଆଇଟି ଓ ଏନ୍ଆଇଟି ଆଦି ସରକାରୀ ବିଶ୍ୱବିଦ୍ୟାଳୟ ଓ ଘରୋଇ ଲବ୍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ସହ ସମକକ୍ଷ ହୋଇ କିଟ୍ ଉତ୍ତମ ପ୍ରଦର୍ଶନ ଜାରି ରଖିଛି। ଏହା ହିଁ ହେଉଛି କିଟ୍ର ସଫଳତା ବୋଲି ପ୍ରତିଷ୍ଠାତା ଶ୍ରୀ ସାମନ୍ତ କହିଛନ୍ତି।
ସୂଚନାଯୋଗ୍ୟ, କିଟ୍ ୨୫ ବର୍ଷର ଅନୁଷ୍ଠାନ ଓ ମାତ୍ର ୧୮ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ୨୦୧+ ରୢାଙ୍କରେ ରହିଛି। ଟାଇମ୍ସ ହାୟର ଏଜୁକେସନ୍ ପକ୍ଷରୁ ଚଳିତବର୍ଷ କରାଯାଇଥିବା ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ ହେଉଛି ଏକ ବିଶ୍ୱସ୍ତରୀୟ ପ୍ରଦର୍ଶନ ତାଲିକା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/KIIT-f.jpg)