ଭୁବନେଶ୍ୱର: କ୍ୟୁସିଆଇ ନାବେଟ ରାଙ୍କିଂରେ ଉଭୟ ସରକାରୀ ଓ ବେସରକାରୀସ୍ତରରେ କିଟ୍ ପଲିଟେକ୍ନିକ୍ ଓଡ଼ିଶାର ପ୍ରଥମ ସ୍ଥାନ ଅଧିକାର କରିଛି । ସଂପ୍ରତି ଗୁଣାତ୍ମକ ଶିକ୍ଷା ଓ ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଉପରେ ରାଜ୍ୟ ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିବା ଗୁଣାତ୍ମକ ପଲିଟେକ୍ନିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ବାଛିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକୁ ନେଇ ପ୍ରଥମ ଥର ଲାଗି ଉଦ୍ୟମ କରାଯାଇଛି । କ୍ୱାଲିଟି କାଉନ୍ସିଲ୍ ଅଫ୍ ଇଣ୍ଡିଆ (କ୍ୟୁସିଆଇ)ର ନ୍ୟାସ୍ନାଲ୍ ଆକ୍ରିଡିଟେସନ୍ ବୋର୍ଡ ଫର ଏଜୁକେସନ୍ ଆଣ୍ଡ ଟ୍ରେନିଂ (ନାବେଟ୍), ଷ୍ଟେଟ୍ କାଉନ୍ସିଲ୍ ଫର ଟେକ୍ନିକାଲ୍ ଏଜୁକେସନ୍ ଓ ଭୋକେସନାଲ୍ ଟ୍ରେନିଂ ପକ୍ଷରୁ ପ୍ରଥମ ଥର ଲାଗି ଓଡ଼ିଶାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପଲିଟେକ୍ନିକ ଶିକ୍ଷାନୁଷ୍ଠାନର ପୁଙ୍ଖାନୁପୁଙ୍ଖ ତର୍ଜମା ପରେ ଏହି ରାଙ୍କିଂ ପ୍ରଦାନ କରାଯାଇଛି ।
ଗତକାଲି ଷ୍ଟେଟ୍ କାଉନ୍ସିଲ୍ ମୁଖ୍ୟାଳୟଠାରେ ର୍ୟାଙ୍କିଂରେ ସ୍ଥାନ ପାଇଥିବା ଅନୁଷ୍ଠାନଗୁଡ଼ିକର ନାମ ଘୋଷଣା କରାଯାଇଥିଲା। ଗୌରବର ବିଷୟ କିଟ୍ ପଲିଟେକ୍ନିକ୍ ସମସ୍ତ ସରକାରୀ ଓ ବେସରକାରୀ ପଲିଟେକ୍ନିକ୍ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା କିଟ୍ ପଲିଟେକ୍ନିକ୍ର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇଛି । କିଟ୍ ପଲିଟେକ୍ନିକ୍ ଏକ ବେସରକାରୀ ଅନୁଷ୍ଠାନ ହୋଇଥିବା ସତ୍ତ୍ୱେ ଉଭୟ ସରକାରୀ ଓ ବେସରକାରୀ ପଲିଟେକ୍ନିକ୍ ଅନୁଷ୍ଠାନକୁ ଅତିକ୍ରମ କରି ପ୍ରଥମ ସ୍ଥାନରେ ରହିପାରିଛି । ଏଥିରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ କିଟ୍ ପଲିଟେକ୍ନିକର ଅଧ୍ୟକ୍ଷ ଡ. ତନ୍ମୟ ମହାନ୍ତି, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ସମସ୍ତ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହା କେବଳ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସମ୍ଭବ ହୋଇଛି ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି । କିଟ୍ ପଲିଟେକ୍ନିକ ବାସ୍ତବିକ ଏକ ଉଚ୍ଚ ମାନର ପଲିଟେକ୍ନିକ୍ । ଏଠାରେ ଗୁଣାତ୍ମକ ଶିକ୍ଷା ସହିତ ଉଚ୍ଚିଶକ୍ଷା ଓ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପାଇଁ ସର୍ବଦା ପ୍ରାଧାନ୍ୟ ଦିଆଯାଇଥାଏ । ଚଳିତ ବର୍ଷ କିଟ୍ ପଲିଟେକ୍ନିକ୍କୁ କ୍ୟାମ୍ପସ୍ ପ୍ଲେସ୍ମେଣ୍ଟ ପାଇଁ ୪୦ରୁ ଊର୍ଦ୍ଧ୍ୱ କମ୍ପାନି ଆସିଥିବା ବେଳେ ଶେଷବର୍ଷର ଛାତ୍ରଛାତ୍ରୀଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ୟାକେଜରେ ନିଯୁକ୍ତି ସୁଯୋଗ ମିଳିଛି ।