କଣିହାଁ: ଡିନାମାଇଟ୍ ଫୁଟାଇ ନଦୀରେ ମାଛ ମାରିବା କିଛି ଲୋକଙ୍କର ନିତିଦିନିଆ କାମ ହୋଇଛି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ର ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ ଓ ସମଲ ବ୍ୟାରେଜ୍ରେ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ବରେ ଶକ୍ତିଶାଳୀ ଡିନାମାଇଟ୍ ବିସ୍ଫୋରଣ କରି ମାଛମରା ଚାଲିଛି। ଦିନେ, ଦୁଇଦିନ ନୁହେଁ; ମାସ ମାସ ଧରି ଦିନ ଦି’ପହରରେ ଏହିଭଳି ବେଆଇନ ଭାବେ ମାଛ ମରାଯାଉଛି। ଏହାକୁ ରୋକିବା ପାଇଁ ବନ୍ଧ ବିଭାଗ ବା ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ରେଙ୍ଗାଳି ନଦୀବନ୍ଧର ଉଭୟ ପାର୍ଶ୍ବ ଜଳଭଣ୍ଡାରରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ପ୍ରତିବର୍ଷ ମାଛ ଯାଆଁଳ ଛଡ଼ାଯାଉଛି। ଏଥିସହ ମାଛ ମାରିବା ପାଇଁ ଜଳ ଭଣ୍ଡାର ଅଞ୍ଚଳକୁ ମତ୍ସ୍ୟ ସମବାୟ ସମିତିକୁ ନିଲାମ ଦିଆଯାଉଛି। କିଛିଲୋକ କିନ୍ତୁ ବେଆଇନ ଭାବେ ନଦୀରେ ଡିନାମାଇଟ୍ ଫୁଟାଇ ଅନାୟାସରେ ମାଛ ମାରିଚାଲିଛନ୍ତି। ନିଲାମଧାରୀ ମତ୍ସ୍ୟ ସମବାୟ ସମିତି ତେଣୁ କ୍ଷତିଗ୍ରସ୍ତ ହେଉଛି। ବାରମ୍ବାର ଡିନାମାଇଟ୍ ବିସ୍ଫୋରଣ ଦ୍ବାରା କୋଟି କୋଟି ଟଙ୍କାରେ ନିର୍ମିତ ରେଙ୍ଗାଳି ବନ୍ଧ ପ୍ରତି ବିପଦ ଆଶଙ୍କା ଦେଖାଦେଇଛି। ବିସ୍ଫୋରଣ ଯୋଗୁଁ ବ୍ରାହ୍ମଣୀ ନଦୀର ଜଳ ଦୂଷିତ ହେବା ସହ ମାଛ ମରି ଭାସୁଥିବା ଦେଖାଯାଇଛି। ନଦୀ ଭିତରେ ଅନେକ ମାଛ ପଚିଯାଉଥିବାରୁ ପାଣି ଦୁର୍ଗନ୍ଧ ହେଉଛି। ନଦୀକୂଳରେ ବାସ କରୁଥିବା ହଜାର ହଜାର ଲୋକ ନଦୀର ଜଳକୁ ପାନୀୟଜଳ ଭାବେ ବ୍ୟବହାର କରୁଛନ୍ତି।
ଦୂଷିତ ଜଳକୁ ବ୍ୟବହାର କରିବାରୁ ସେମାନେ ପେଟରୋଗରେ ପୀଡ଼ିତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କେବଳ ରେଙ୍ଗାଳି ଡ୍ୟାମ୍ ନୁହେଁ; ସମଲ ବ୍ୟାରେଜ ଅଞ୍ଚଳରେ ମଧ୍ୟ ଡିନାମାଇଟ୍ ଫୁଟାଇ ମାଛ ମରାଯାଉଛି। ମାଛ ଧରାଳିମାନେ ଛୋଟ ଡଙ୍ଗାରେ ଗଭୀର ଜଳକୁ ଯାଇ ଡିନାମାଇଟ୍ ବିସ୍ଫୋରଣ କରୁଛନ୍ତି। ସେମାନଙ୍କ ବିରୋଧରେ ରେଙ୍ଗାଳି ଡ୍ୟାମ୍ କିମ୍ବା ସମଲ ବ୍ୟାରେଜର କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ସ୍ଥାନୀୟ ପୁଲିସ ପକ୍ଷରୁ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନାହିଁ। ଚଳିତ ବର୍ଷ ରେଙ୍ଗାଳି ରାମେଶ୍ବର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି ଜଳ ଭଣ୍ଡାର ଅଞ୍ଚଳ ନିଲାମ ନେଇଛି। ଜଳ ଭଣ୍ଡାରରେ ବେଆଇନ ଭାବେ ଡିନାମାଇଟ୍ ବିସ୍ଫୋରଣ କରି ମାଛ ମରାଯାଉଛି ବୋଲି ସମବାୟ ସମିତିର ସମ୍ପାଦକ ନିଶାକର ବିଶ୍ୱାଳ ଓ ସଭାପତି ସଞ୍ଜୟ କୁମାର ସାମଲ ଅଭିଯୋଗ କରିଛନ୍ତି।