ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଯୁବ ବ୍ୟବସାୟୀ ହିତେନ୍ ସ୍ବାଇଁଙ୍କୁ ହତ୍ୟା ରହସ୍ୟ ଉପରୁ ପର୍ଦ୍ଦା ଉଠିଛି। ‘କିନି’ ନାମକ ଏକ ଚିଟ୍ଫଣ୍ଡ୍ ସଂସ୍ଥାରେ ଅର୍ଥ ବିନିଯୋଗରୁ ଉପୁଜିଥିବା ବିବାଦ କାରଣରୁ ହିଁ ହିତେନ୍ଙ୍କୁ ହତ୍ୟା କରା ଯାଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଆଉ ଏଥିରେ ସଂପୃକ୍ତ ମାଷ୍ଟର୍ମାଇଣ୍ଡ୍ ସମେତ ଭେଜିପୁଟ ଆଡୁଆ ସାହିର ସୁଧାଂଶୁ ଶେଖର ସ୍ବାଇଁ ଓରଫ୍ ବିଟୁ ସମେତ ୬ ଜଣ ଅଭିଯୁକ୍ତଙ୍କୁ ଶନିବାର ଦିନ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ, ସୁଧାଂଶୁର ବାପା ବିକ୍ରମ ସ୍ବାଇଁ, ଗାମୁଣ୍ଡି ଧୂମୁଛାଇ ଗ୍ରାମର ଚିତ୍ରସେନ ସ୍ବାଇଁ, ଭେଜିପୁଟର ଜଗନ୍ନାଥ ଭୂୟାଁ, ମାଲସାହିର ପ୍ରଦ୍ୟୁମ୍ନ ପାତ୍ର ଓ ଗାମୁଣ୍ଡି ଗ୍ରାମର ପ୍ରତିକୃଷ୍ଣ ସ୍ବାଇଁ ଓରଫ୍ ଫିଲଟର୍। ସେମାନଙ୍କ ପାଖରୁ ଗୋଟିଏ କାର୍, ବାଇକ୍, ଭୂଜାଲି, ଷ୍ଟେଥୋସ୍କୋପ୍, ୨ଟି ଲାଠି, ଗୋଟିଏ ଗାମୁଛା, ୫ଟି ମୋବାଇଲ୍ ଓ ୨ଟି ସିମ୍କାର୍ଡ଼ ସମେତ ମୃତ ହିତେନ୍ଙ୍କ ଅର୍ଦ୍ଧଦଗ୍ଧ ପୋଷାକ ଜବତ ହୋଇଛି। ଏ ନେଇ ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନାଧିକାରୀ ଧୀରେଶ କୁମାର ଦାଶ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ବିବରଣୀ ଦେଇଛନ୍ତି। ଏହି ଘଟଣାରେ ପୁଲିସ ପୂର୍ବରୁ ଅଭିଯୁକ୍ତ ତ୍ରିପତି ଦାସକୁ ଗିରଫ କରିଥିଲା।
ସୂଚନାନୁସାରେ, ଭଞ୍ଜନଗର ହାଇସ୍କୁଲ୍ ଛକରେ ଗତ କିଛିବର୍ଷ ହେବ ଖୋଲିଥିବା ‘କିନି ନାମକ ସଂସ୍ଥା ଡାଟା ଏଣ୍ଟ୍ରି ନାମରେ ଲୋକଙ୍କଠୁ କୋଟି କୋଟି ଟଙ୍କା ନେଇ ଚମ୍ପଟ୍ ମାରିଥିଲା। ପୂର୍ବରୁ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୁଇ ମୁଖିଆଙ୍କ ନାଁରେ ଲୁକ୍ଆଉଟ୍ ସର୍କୁଲାର୍ ବି ଜାରି ହୋଇଥିବା ବେଳେ ବର୍ତ୍ତମାନ ଏହି ସଂସ୍ଥାର ବିଭିନ୍ନ ବେଆଇନ କାର୍ଯ୍ୟକଳାପ ବିଷୟରେ ଇଡି ତଦନ୍ତ ଜାରି ରଖିଛି। ଉକ୍ତ ସଂସ୍ଥାରେ ସୁଧାଂଶୁ ୫୦ ଲକ୍ଷରୁ ଅଧିକ ଟଙ୍କା ହିତେନ୍ଙ୍କ ଜରିଆରେ ବିନିଯୋଗ କରିଥିଲା। ଏହି ଟଙ୍କା ଫେରାଇଦେବାକୁ ସେ ବାରମ୍ବାର ହିତେନ୍ଙ୍କୁ କହିଆସୁଥିଲା। କିନ୍ତୁ ଟଙ୍କା ନପାଇବାରୁ ଉଭୟଙ୍କ ଭିତରେ ବିବାଦ ଆରମ୍ଭ ହୋଇଥିଲା।
ଗତ ୧୩ ତାରିଖ ଅପରାହ୍ଣରେ ସେ ହିତେନ୍ଙ୍କୁ ଡାକି ନେଇ ବାଉଁଶଲୁଣ୍ଡି ଧୂପକାଠି ଗୋଦାମରେ ରଖିଥିଲେ। ସେଠାରେ ଅନ୍ୟମାନେ ବି ଉପସ୍ଥିତ ଥିଲେ। ସମସ୍ତେ ମିଶି ହିତେନ୍ଙ୍କୁ ପ୍ରବଳ ମାଡ଼ ମାରିବା ସହ ଟଙ୍କା ଫେରାବାକୁ ବାଧ୍ୟ କରିଥିଲେ। କିଛି ସମୟ ପରେ ଏକ ଗାମୁଛାରେ ତାଙ୍କୁ ମୁହଁକୁ ଭିଡ଼ି ଦେବାରୁ ଶ୍ବାସରୁଦ୍ଧ ହୋଇ ହିତେନ୍ ପ୍ରାଣ ହରାଇଥିଲେ। ଏହାପରେ ହିତେନ୍ ଜୀବିତ ଅଛନ୍ତି କି ନାହିଁ, ଏହା ଜାଣିବାକୁ ସୁଧାଂଶୁ ଷ୍ଟେଥୋସ୍କୋପ୍ରେ ଯାଞ୍ଚ୍ କରିଥିଲା। ହିତେନ୍ ମୃତ ବୋଲି ଜାଣିବା ପରେ ସେ ବାପା ବିକ୍ରମକୁ ଘଟଣା ବିଷୟରେ ଜଣାଇଥିଲା। ଏହାପରେ ପୁଲିସ ନଜରରୁ ବଞ୍ଚିବାକୁ ଏକ କାର୍ରେ ଶବକୁ ନେଇ ବଡ଼କୋଦଣ୍ଡା-ଡହ ରାସ୍ତା ଦେଇ ସୋରଡ଼ା ଅତିକ୍ରମ କରି ଦାରିଙ୍ଗବାଡ଼ି ଅଭିମୁଖେ ଅଭିଯୁକ୍ତମାନେ ଯାଇଥିଲେ। ଗାଜଲାବାଡ଼ି-ଦାରିଙ୍ଗବାଡ଼ି ୯ ନମ୍ବର ବୁଲାଣିରେ ଶବକୁ ଫୋପାଡ଼ିଥିଲେ। ଫେରିବା ସମୟରେ ଗାଙ୍ଗପୁର ଥାନା ବାଙ୍କଲେଡ଼ିରେ ହିତେନ୍ଙ୍କ ପୋଷାକ ପୋଡ଼ିବା ସହ କଣ୍ଟେଇପଲ୍ଲୀରୁ କିଛି ଦୂରରେ ଥିବା ଏକ ପୋଖରୀରେ ତାଙ୍କ ମୋବାଇଲ ଫୋପାଡ଼ି ଦେଇଥିଲେ।
ସେପଟେ ହିତେନ୍ଙ୍କୁ ଅପହରଣ କରାଯାଇଥିବା ନେଇ ପତ୍ନୀ ମିନତି ଗତ ୧୪ ତାରିଖରେ ଏତଲା ଦେବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ବିଭିନ୍ନ ସିସି କ୍ୟାମେରା ଫୁଟେଜ୍କୁ ଯାଞ୍ଚ କରାଯାଇଥିଲା। ହିତେନ୍ଙ୍କ ମୋବାଇଲ ଲୋକେସନ୍ ଆଧାରରେ ତଦନ୍ତକୁ ତ୍ବରାନ୍ବିତ କରାଯାଇଥିଲେ ହେଁ, ଏହା ବନ୍ଦ ହୋଇଯାଇଥିଲା। ୫ ଦିନ ପରେ ଅଭିଯୁକ୍ତ ତ୍ରିପତିକୁ ଗିରଫ କରିବା ପରେ ୧୮ ତାରିଖରେ ଶବ ଠାବ ହୋଇଥିଲା। ଏହାପରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ସମେତ ଅନ୍ୟମାନଙ୍କୁ କାବୁ କରିଥିଲା। ଗତକାଲି ପୁଲିସ୍ ସୁଧାଂଶୁକୁ ଘଟଣାସ୍ଥଳକୁ ନେଇ ସମସ୍ତ ତଥ୍ୟ ଉଗାଳିଥିଲା। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।