ପାପଡ଼ାହାଣ୍ଡି/ତେନ୍ତୁଳିଖୁଣ୍ଟି: ଚାଷ ଟଙ୍କାକୁ କେନ୍ଦ୍ର କରି ପୁଅକୁ ହତ୍ୟା କଲା ନୃଶଂସ ବାପା। ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ନୀଳଗୁଣ୍ଡି ଗାଁରେ ଘଟିଛି। ସୂଚନା ଅନୁସାରେ, ନୀଳଗୁଣ୍ଡି ଗ୍ରାମର ସଲମାନ ଖୁରା ଓ ତାଙ୍କ ବାପା ନବୀନ ଖୁରା ମଙ୍ଗଳବାର ସନ୍ଧ୍ୟାରେ ଚାଷ କାମ ସଂପର୍କରେ ଆଲୋଚନା କରୁଥିଲେ। ଏହି ସମୟରେ ଚାଷ ପାଇଁ ଟଙ୍କାକୁ କେନ୍ଦ୍ର କରି ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା।

Advertisment

ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପା ନବୀନ ଖୁରା ଛୁରିରେ ସଲମାନଙ୍କୁ ଭୁସି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପାପଡ଼ାହାଣ୍ଡି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ନବୀନଙ୍କୁ ଗିରଫ କରିଥିଲା। ଏନେଇ ସଲମାନଙ୍କ ଭାଇ ଅମିଲାଲ ଖୁରା ପାପଡ଼ାହାଣ୍ଡି ଥାନାରେ ଏତଲା ଦେବାରୁ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିଲା। ପରିବାରକୁ ଶବ ହସ୍ତାନ୍ତର ସହ ଅଭିଯୁକ୍ତକୁ ଗିରଫ କରାଯାଇଥିବା ତଦନ୍ତ ଅଧିକାରୀ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି।